ଭୁବନେଶ୍ୱର : ଭାରତୀୟ ବିଦ୍ୟାଭବନ ଓ ଇମ୍ଫୋସିସ୍ ଫାଉଣ୍ଡେସନ୍ ମିଳିତ ସହଯୋଗରେ ଲୁପ୍ତପ୍ରାୟ ଲୋକକଳାର ୪୭ତମ ସନ୍ଧ୍ୟା ସ୍ଥାନୀୟ ବିଦ୍ୟାଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଗୁଳ ଅଡଶର ଆଦିବାସୀ ବଣ୍ଡି ଲୋକନୃତ୍ୟ କେନ୍ଦ୍ର ପକ୍ଷରୁ ଆଦିବାସୀ ବଣ୍ଡି ଲୋକନାଟ ପରିବେଷଣ କରାଯାଇଥିଲା। ଧର୍ମ ଓ ପରମ୍ପରାରେ ପରିପୂର୍ଣ୍ଣ ଓଡ଼ିଶାର ବଣ ଜଙ୍ଗଲ ଅଞ୍ଚଳର ଜନଜାତିଙ୍କଠାରୁ ଆରମ୍ଭ କରି ସହର ଓ ମଫସଲ ଅଞ୍ଚଳର ପ୍ରତ୍ୟେକ ଲୋକ କୃଷ୍ଣଚେତନା ସହିତ ଉଣାଅଧିକେ ଜଡିତ। ଓଡ଼ିଶାର ଅଧିକାଂଶ ଗ୍ରାମରେ ପ୍ରତିଷ୍ଠିତ ହୋଇଛି ରାଧାକୃଷ୍ଣଙ୍କ ମଠ ଓ ମନ୍ଦିର। ମନ୍ଦିରର ବିଧିବିଧାନ ସହ ଯୋଡ଼ି ହୋଇ ରହିଛି ଆମର ପ୍ରାଚୀନ ପରମ୍ପରା ଆଧାରିତ ନୃତ୍ୟ, ସଙ୍ଗୀତ ଓ ନାଟକର ଆସର। ଆଦିବାସୀ ବଣ୍ଡି ଲୋକନୃତ୍ୟ ରାଧାକୃଷ୍ଣଙ୍କ ଅପୂର୍ବ ଲୀଳାର ଅଂଶବିଶେଷ। ଚନ୍ଦ୍ରସେଣଙ୍କ ଅନୁପସ୍ଥିତିରେ ରାଧା ଓ କୃଷ୍ଣଙ୍କ ପ୍ରେମଲୀଳାର ପଥରେ ନଣନ୍ଦ ବଣ୍ଡିର ଆବିର୍ଭାବ ଓ ବିରୋଧର କାହାଣୀ ଓଡ଼ିଶାର ସର୍ବତ୍ର ପରିଚିତ। ପଶ୍ଚିମାଞ୍ଚଳରେ ଏହା ବଣ୍ଡି ନୃତ୍ୟ ଓ ଦକ୍ଷିଣାଞ୍ଚଳରେ ଏହା ଭୂତକେଳୀ ନାମରେ ପରିଚିତ।
କିନ୍ତୁ ଅନୁଗୋଳ ଜିଲ୍ଲା ଅଡଶ ଗ୍ରାମର ଶିଳ୍ପୀମାନଙ୍କ ପରିବେଷଣ ଶୈଳୀ ଭିନ୍ନ ସ୍ୱାଦ ବହନ କରେ। ଏଥିରେ ଓଡ଼ିଆ ଭାଷା ପ୍ରୟୋଗ କରିବା ବେଳେ ସମ୍ବଲପୁର ଲୋକଶୈଳୀ ଆଧାରରେ ଏହା ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମକୁ ମନ୍ମଥ କୁମାର ଶତପଥୀ ପରିଚାଳନା କରିଥିଲେ। ଏଥିରେ ଡ. ଏସ୍କେ ତାମୋଟିଆ, ପିକେ ସାହୁ, ସଂସ୍କୃତି ଗବେଷକ ଡ. ଚିରଂଜନ ମଲିଆ ଓ ବିଶିଷ୍ଟ ମର୍ଦ୍ଦଳଗୁରୁ ଧନେଶ୍ୱର ସ୍ୱାଇଁ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/adivasi-dance-1.jpg)