ସାବାସ ମାନସୀ, ସାହସୀ ଆଦିବାସୀ ଝିଅ ପାଇଁ ଉଦ୍ଧାର ହେଲେ ୬ହଜାର ଶ୍ରମିକ

ଭୁବନେଶ୍ବର: ସାହସ ଓ ଉପସ୍ଥିତି ବୁଦ୍ଧି ବଳରେ ୧୯ ବର୍ଷୀୟା ଆଦିବାସୀ ଝିଅ ତାମିଲନାଡ଼ୁରେ ଇଟାଭାଟିରେ କାମ କରୁଥିବା ୬ ହଜାରରୁ ଅଧିକ ଶ୍ରମିକଙ୍କୁ ସେମାନଙ୍କ ଭିଟାମାଟିକୁ ଫେରାଇ ଆଣିପାରିଛି। ନିରକ୍ଷର ହୋଇଥିଲେ ସୁଦ୍ଧା ସୋସିଆଲ ମିଡିଆର ଉପଯୋଗ କରି ‌ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ଫେରାଇ ଆଣିଥିବା ଝିଅ ହେଉଛନ୍ତି ବଲାଙ୍ଗିରର ମାନସୀ ବରିହା। କେବଳ ଓଡ଼ିଶା ନୁହେଁ ବରଂ ତାଙ୍କର ଗୋଟିଏ ପଦକ୍ଷେପ ପାଇଁ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶରୁ ଯାଇ ଇଟାଭାଟିରେ କାମ କରୁଥିବା ଶ୍ରମିକମାନେ ସେମାନଙ୍କ ଘରକୁ ଫେରି ଆସିପାରିଛନ୍ତି।

ତିରୁଭାଲୁର ପୁଢ଼ୁକୁପମରେ ଥିବା ଜିଡିଏମ୍‌ ଇଟା ଭାଟିରେ ମାନସୀଙ୍କ ସମେତ ଓଡ଼ିଶାର ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡିରୁ ୩୫୫ ଜଣ ଶ୍ରମିକ ଜଣେ ଏଜେଣ୍ଟ୍‌ ଜରିଆରେ ଯାଇ କାମ କରୁଥିଲେ। ମାନସୀର ମା’ ରୋଗଶଯ୍ୟାରେ ପଡ଼ିଥିବା ବ‌େଳେ ସମ୍ପୃକ୍ତ ଏଜେଣ୍ଟ୍‌ ତାଙ୍କୁ ଔଷଧ ଖର୍ଚ୍ଚ ବାବଦରେ ୨୮ ହଜାର ଟଙ୍କା ଦେଇଥିଲା। ଏହାର ପ୍ରତିବଦଳରେ ମାନସୀ, ତାଙ୍କ ବାପା ଓ ସାନ ଭଉଣୀ ଯାଇ ସେଠାରେ ଇଟାଭାଟିରେ କାମ କରୁଥିଲେ। ମାତ୍ର ସେଠାରେ ୬ ମାସ ରହିବା ଭିତରେ ସେଠାରେ ସେମାନଙ୍କୁ କୌଣସି ସୁବିଧା ଯୋଗାଇ ଦିଆଯାଇନଥିଲା। ବରଂ ସପ୍ତାହକୁ ଥରେ ୨୫୦ ଟଙ୍କା ମିଳୁଥିଲା। ଯେବେ କରୋନା ପାଇଁ ସଟ୍‌ଡାଉନ୍‌ ଘୋଷଣା ହେଲା ଶ୍ରମିକମାନେ ଭୟଭୀତ ହୋଇପଡ଼ିଲେ। ଘରକୁ ଫେରିବାକୁ ଇଟାଭାଟି ମାଲିକଙ୍କୁ ଅନୁରୋଧ କଲେ। କିନ୍ତୁ ମାଲିକ ତାଙ୍କୁ ଆଶ୍ବାସନା ଦେଲା ଯେ ସପ୍ତାହେ ମଧ୍ୟରେ ନିର୍ଧାରିତ କାମ କରିଦେଲେ ସେମାନଙ୍କୁ ଘରକୁ ଯିବାକୁ ଦେବ। ତେଣୁ ଶ୍ରମିକମାନେ ଘରକୁ ଫେରିବା ଆଶାରେ ଦିନରାତି ଏକ କରି କାମ କଲେ। କରୋନାରେ ଆକ୍ରାନ୍ତ ହେବାର ଭୟ ଯୋଗୁଁ ସେମାନେ ଘରକୁ ଫେରିବା ପାଇଁ ପରିଶ୍ରମ କରି କାମ ସାରିଲେ ମଧ୍ୟ ମାଲିକ ସେମାନଙ୍କୁ ଛାଡ଼ିବା ବଦଳରେ ଆହୁରି କାମ କରାଇଲା। ଏନେଇ ଶ୍ରମିକମାନେ ବିରୋଧ କରିବାରୁ ଭାଟି ମାଲିକ ଓ ତାଙ୍କର କର୍ମୀମାନେ କିଛି ଶ୍ରମିକଙ୍କୁ ନିଷ୍ଠୁର ଭାବେ ପିଟିଲେ। ଏପରିକି ମହିଳା ଓ ପିଲାମାନଙ୍କୁ ବି ଛାଡ଼ିଲେ ନାହିଁ। କିଛି ଶ୍ରମିକ ନିଜର ବ୍ୟାଗ୍‌ ସଜାଡ଼ି ଘରକୁ ଆସିବାକୁ ଉଦ୍ୟମ କରିବାରୁ ତାଙ୍କୁ ଲାଠିରେ ହିଂସ୍ର ଭାବେ ପିଟି ରକ୍ତାକ୍ତ କରିଦେଲେ। ଅଧିକାଂଶ ଗଭୀର ଆଘାତ ପାଇଲେ। କିଛି ଜଣଙ୍କର ନାକ ଓ ମୁଣ୍ଡ ଫାଟିଗଲା।

ଚତୁରତାର ସହ ମାନସୀ ଏହି ହୃଦୟ ବିଦାରକ ଘଟଣାସବୁକୁ ନିଜ ମୋବାଇଲ୍‌ରେ ରେକର୍ଡ କରିନେଇଥିଲେ। ଉପସ୍ଥିତ ବୁଦ୍ଧି ଖଟାଇ ଘଟଣାସ୍ଥଳରୁ ଖସି ଆସି ଫୋନ୍‌ କରି ସାହାଯ୍ୟ ଭିକ୍ଷା କଲେ। ଆହତ ହୋଇଥିବା ବ୍ୟକ୍ତିଙ୍କ ଯନ୍ତ୍ରଣାର ଅଡିଓ ଓ ଭିଡିଓ ହ୍ବାଟ୍‌ସଆପ୍‌ରେ ନିଜ ବନ୍ଧୁମାନଙ୍କ ପାଖକୁ ଛାଡ଼ି ତୁରନ୍ତ ସାହାଯ୍ୟ ଭିକ୍ଷା କରିଥିଲେ। ମାନସୀଙ୍କ କହିବା ମୁତାବକ, ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ୍‌ ନେଉନଥିବାରୁ ଏସବୁ ଦେଖି ସହିପାରିନଥିଲି। ତେଣୁ ତୁରନ୍ତ ସାହାଯ୍ୟ ପାଇବା ପାଇଁ ସୋସିଆଲ ମିଡିଆର ଆଶ୍ରୟ ନେଇଥିଲି। ଯେବେ ତାଙ୍କ ଦ୍ବାରା ରେକର୍ଡ ଭିଡିଓ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିକଟରେ ପହଞ୍ଚିଲା ସମ୍ପୃକ୍ତ ଅନୁଷ୍ଠାନ ତୁରନ୍ତ ତିରୁଭାଲୁର ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କଲା। ଖବର ପାଇ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲ୍‌ ନେଲା। ଇଟାଭାଟିର ମାଲିକ ମୁନୁସ୍ବାମୀଙ୍କୁ ଗିରଫ କରାଗଲା। ଏଥିସହ ସେଠାରେ ଫସି ରହିଥିବା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଘରକୁ ପଠାଗଲା। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଆହୁରି ୩୦ ଇଟାଭାଟି ଉପରେ ଚଢ଼ଉ କରାଯାଇ ଶ୍ରମିକମାନଙ୍କୁ ଉଦ୍ଧାର କରି ସେମାନଙ୍କ ଘରକୁ ଫେରାଇ ଦିଆଯାଇଥିଲା। ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶର ୬୭୫୦ ଶ୍ରମିକଙ୍କୁ ୧୫୦ ବସ୍‌ ଯୋଗେ ପୁଲିସ୍‌ କର୍ମୀଙ୍କ ସହ ସେମାନଙ୍କୁ ଘରକୁ ଫେରାଇ ଅଣାଯାଇଥିଲା। ବିଶେଷ ପଢ଼ାପଢ଼ି କରିନଥିଲେ ମଧ୍ୟ ମାନସୀଙ୍କ ଏହି ଉଦ୍ୟମ ପାଇଁ ୪ ରାଜ୍ୟର ୬ହଜାରରୁ ଅଧିକ ଶ୍ରମିକ ନିଜ ଘରକୁ ଫେରି ପାରିଥିଲେ। ଅନ୍ତର୍ଜାତୀୟ ଜଷ୍ଟିସ୍‌ ମିସନ୍‌ (ଓଡ଼ିଶା ପ୍ରକଳ୍ପ)ର ନିର୍ଦେଶକ ନିନୁ ଥୋମାସ କହିଛନ୍ତି, ସଂପ୍ରତି ଏହି ଶ୍ରମିକମାନଙ୍କୁ ସରକାର ଓ ନାଗରିକ ସମାଜ ଏକାଠି ହୋଇ ସହଯୋଗର ହାତ ବଢ଼ାଇବା ଉଚିତ।

ସମ୍ବନ୍ଧିତ ଖବର