ରାଜଧାନୀରେ ଆଦିବାସୀ ମହକ

ଭୁବନେଶ୍ବର : ଝାଟିମାଟିରେ ଗଢ଼ା ନୁଆଁଣିଆ ଚାଳ ଘର ସାଙ୍ଗକୁ ଗଛ ମୂଳରେ ଗ୍ରାମ ଦେବତୀଙ୍କ ଉପସ୍ଥିତି। ଜନଜାତିର ପାରମ୍ପରିକ ଖାଦ୍ୟଠୁ ନେଇ ଆଦିବାସୀ ହାଟ। ଜନଜାତିଙ୍କ କଳା ସାମଗ୍ରୀରୁ ନେଇ ଆଦିବାସୀ ନୃତ୍ୟ। ପ୍ରଦର୍ଶନୀ ପଡ଼ିଆ ଏବେ ପାଲଟିଛି ଏକ ଆଦିବାସୀ ଅଞ୍ଚଳ। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୧୫ ଦିନିଆ ମେଳାକୁ ଉଦ୍‌ଘାଟନ କରିଛନ୍ତି।

ମେଳା ପରିସର‌କୁ ଆଦିବାସୀ ଗ୍ରାମ, ଜନଜାତି ସ୍ବୟଂ ସହାୟକ ଗୋଷ୍ଠୀ ପ୍ରଭାଗ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ସରକାରୀ ପ୍ରଭାଗ, ଆଦିବାସୀ ଖାଦ୍ୟ ବଜାର, ଆଦିବାସୀ ନୃତ୍ୟ ପ୍ରାଙ୍ଗଣରେ ବିଭକ୍ତ କରାଯାଇଛି। ମେଳାର ମୁଖ୍ୟ ଆକର୍ଷଣ ପାଲଟିଥିବା ‘ଆଦିବାସୀ ଗ୍ରାମ’ ମଧ୍ୟରେ ୨୧ଟି ଆଇଟିଡିଏ ଏବଂ ୩ଟି ମାଇକ୍ରୋ ପ୍ରୋଜେକ୍ଟ ଦ୍ବାରା ୨୪ ଜନଜାତିଙ୍କ ଘର ସହ ଗୃହ ଉପକରଣ, ଚଳଣି ଓ ପରମ୍ପରାର ଝଲକ ଦେଖିବାକୁ ମିଳୁଛି। ମେଳା ପରିସରରେ ୧୮୦ଟି ଷ୍ଟଲ୍‌ ନିର୍ମିତ ହୋଇଛି। ଆଦିବାସୀ ହାଟରେ ଜଙ୍ଗଲଜାତ ସାମଗ୍ରୀର ବିକ୍ରିବଟା ପାଇଁ ୩୪ଟି ପିଣ୍ଡି ରହିଛି। ଆଇଟିଡିଏ ଓ ମାଇକ୍ରୋ ପ୍ରୋଜେକ୍ଟ ଅଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରି କରୁଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ପ୍ରଭାଗରେ ୨୮ଟି ଷ୍ଟଲ୍‌ ନିର୍ମିତ ହୋଇଛି। ଏହା ବ୍ୟତୀତ ଟିଡିସିସି, ଟ୍ରାଇଫେଡ୍‌, ମିସନ ଶକ୍ତି ପକ୍ଷରୁ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି ପାଇଁ ସରକାରୀ ପ୍ରଭାଗରେ ୩୬ଟି ସୁଦୃଶ୍ୟ ଷ୍ଟଲ୍‌ ନିର୍ମିତ ହୋଇଛି। ଆସିବାସୀ ଚିତ୍ରକଳା, କଳାସାମଗ୍ରୀ ଓ ହସ୍ତଶିଳ୍ପ ସାମଗ୍ରୀର ବିକ୍ରି ପାଇଁ ୩୪ଟି ଷ୍ଟଲ୍‌ ନିର୍ମିତ ହୋଇଛି। ଆଦିବାସୀ ଖାଦ୍ୟ ବଜା‌ରରେ ମୁଢ଼ି ମାଂସ, ପାଳୁଅ ଓ କାଙ୍ଗୁ ଖିରି, ମାଣ୍ଡିଆ ଜାଉ, ମାଣ୍ଡିଆ ପିଠା, ହର୍ବାଲ୍‌ ଜୁସ୍‌ ଉପଲବ୍ଧ ହେଉଛି। ଏହି ଅବସରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ରମେଶ ମାଝୀ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଚିବ ଆର୍‌ ରଘୁ ପ୍ରସାଦ ସ୍ବାଗତ ଭାଷଣ ଏବଂ ଏସ୍‌ସିଏସ୍‌ଟିଆର୍‌ଟିଆଇ ନିର୍ଦେଶକ ଏବି ଓତା ଧନ୍ୟବାଦ ଅର୍ପଣ କରିଥିଲେ। ମେଳା ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତି ବର୍ଷ ମେଳାକୁ ୮ରୁ ୧୦ ଲକ୍ଷ ଲୋକ ଆସିଥାଆନ୍ତି। ମେଳାରେ ୫ରୁ ୬ କୋଟି ଟଙ୍କାର ବ୍ୟବସାୟ ହୁଏ। ‌

ସମ୍ବନ୍ଧିତ ଖବର