‘ଡଙ୍ଗର ନାଚ’ ଉଦ୍‌ଯାପିତ : ଶେଷ ସନ୍ଧ୍ୟାରେ ମନ ମୋହିଲା ଆଦିବାସୀ ନୃତ୍ୟ, ସଙ୍ଗୀତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ଏକାଡେମି ଦ୍ୱାରା ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜିତ ‘ଡଙ୍ଗର ନାଚ’ ଆଜି ଉଦ୍‌ଯାପିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ରାମହରି ଦାସ ଯୋଗ ଦେଇ ଓଡ଼ିଶାର ଆଦିବାସୀ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ କହିଥିଲେ। ତାଙ୍କର ନୃତ୍ୟ, ସଙ୍ଗୀତ ଓ ନାଟକ ଆମ ସଂସ୍କୃତିଠାରୁ ବହୁ ପୁରୁଣା। ଆମ ସଂସ୍କୃତିରେ ପାଶ୍ଚାତ୍ୟର ଛାପ ପଡ଼ିଥିବାବେଳେ ଏବେ ବି ଆଦିବାସୀ ନୃତ୍ୟ ଜୀବନ୍ତ ରିହିଛି ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ପ୍ରାକ୍ତନ ପୁଲିସ ମହାନିର୍ଦେଶକ ବିପିନ ମିଶ୍ର ଯୋଗ ଦେଇଥିଲେ।

ଶେଷ ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ଆସିଥିବା ନୃତ୍ୟଦଳ ଦର୍ଶକଙ୍କ ମନ ମୋହିଥିଲେ। ବଲାଙ୍ଗୀରର ବିନୋଦ ପ୍ରଧାନ ଓ ସାଥୀଙ୍କ ଦ୍ୱାରା କଲଙ୍ଗାଦଣ୍ଡା ନୃତ୍ୟ, ବରଗଡ଼ର ରମେଶ ଗୁର୍ଲା ଓ ସାଥୀଙ୍କ ସହ କର୍‌ମା ନାଚ, ମୟୂରଭଞ୍ଜର ଯାମିନୀକାନ୍ତ ତିରିଆ ଓ ସାଥୀଙ୍କ ଦ୍ୱାରା କୋହ୍ଲା ନୃତ୍ୟ, ପାରଳାଖେମୁଣ୍ଡିର ପ୍ରଶାନ୍ତ ପଟ୍ଟନାୟକ ଓ ସାଥୀଙ୍କ ଦ୍ୱାରା ସଉରା ନୃତ୍ୟ ସାଙ୍ଗକୁ କଳାହାଣ୍ଡିର ସର୍ବେଶ୍ୱର ଭୋଇ ଓ ସାଥୀଙ୍କ ଦ୍ୱାରା ଗୋଟିଏ ଆଦିବାସୀ ସଙ୍ଗୀତ ପରିବେଷିତ ହୋଇଥିଲା। ଆଜି ବହୁ ସଂଖ୍ୟାରେ କିସ୍‌ର ଛାତ୍ରୀମାନଙ୍କ ସହ ଦର୍ଶକମାନେ ଆଦିବାସୀ ସଙ୍ଗୀତ ଓ ନୃତ୍ୟକୁ ମନଭରି ଉପଭୋଗ କରିଥିଲେ। ଡ.ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶେଷରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ.ବିଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର