ସହରରେ ଦିଶିବ ଆଦିବାସୀ ଗାଁ’

ଭୁବନେଶ୍ବର: ସହରରେ ଦିଶିବ ବଣଜଙ୍ଗଲ ଘେରା ପାହାଡ଼ ତଳି ଆଦିବାସୀ ଗାଁ। ଶୋଭା ପାଇବ ଖପର କାତି ଓ ଛଣ ଛପର ନୁଆଁଣିଆ ଚାଳିଘର। ପୁଣି ନାଲି ଦୋରସା ମାଟିର ଗୋବର ଲିପା କାନ୍ଥ ସାଙ୍ଗକୁ କଣିବାଡ଼ ଓ ଝାଟିମାଟି ଘେରା ଅଗଣା। ଆଉ ତା ଭିତରେ ମାଟି ଚୁଲିଠୁ ନେଇ ଠାକୁରାଣୀ ଘର। ଢିଙ୍କିଶାଳରୁ ନେଇ ଧାନ ଖମାର। ସରଳ ଓ ନିଷ୍କପଟ ଆଦିବାସୀ ଗାଁ’ର ଏହି ଅବିକଳ ଚିତ୍ର ଶୋଭା ପାଇବ ରାଜଧାନୀର କେନ୍ଦ୍ର ଭାଗରେ। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଆସନ୍ତା ୨୬ରୁ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବାକୁ ଯାଉଥିବା ‘ଆଦିବାସୀ ମେଳା’ ଏମିତି ଏକ ନିଆରା ଅବକାଶ ଭେଟି ଦେବ। ଆଦିବାସୀ ଗାଁ’କୁ ନଯାଇ ବି ଆଦିବାସୀ ଗାଁ’ର ମହକ ଦେବ ଏହି ମେଳା। ଏହି ଅବସରରେ ଆଦିବାସୀ ଗ୍ରାମପୁଞ୍ଜରେ ଜୁଆଙ୍ଗ, ଓରାଓଁ, ମୁଣ୍ଡା, ସାନ୍ତାଳ, କିସାନ, ମୁଣ୍ଡାରି, ସଉରା, ବଣ୍ଡା ଭଳି ୨୪ଟି ଜନଜାତିର ଘର ଦେଖିବାକୁ ମିଳିବ ବୋଲି ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ପ୍ରତିଷ୍ଠାନର ନିର୍ଦେଶକ ଅଖିଳ ବିହାରୀ ଓତା କହିଛନ୍ତି।

ବିକ୍ରି ହେବ ଜଙ୍ଗଲଜାତ ଖାଣ୍ଟି ଦରବ
ଆଦିବାସୀ ଗାଁ’ର ଅନୁଭବ ସାଙ୍ଗକୁ ଜଙ୍ଗଲଜାତ ଖାଣ୍ଟି ସାମଗ୍ରୀ ବିକ୍ରିବଟା ହେବ। ଏଥିପାଇଁ ସ୍ବତନ୍ତ୍ର ପିଣ୍ଡିର ବ୍ୟବସ୍ଥା କରାଯାଉଛି। ହଳଦୀ, ମାଣ୍ଡିଆ, ମୁଗ, ବିରି, ବାସ୍ନା ଚାଉଳ, ମହୁ, ଝୁଣା, ଝାଡ଼ୁ, ପାଳୁଅ ପରି ଜଙ୍ଗଲଜାତ ଖାଣ୍ଟି ଖାଦ୍ୟ ଓ ଅନ୍ୟ ସବୁ ସାମଗ୍ରୀ ସୁଲଭ ଦରରେ ଉପଲବ୍ଧ ହେବ। ବର୍ଷକୁ ଥରେ ଏହିଭଳି ଖାଣ୍ଟି ଜିନିଷ ଉପଲବ୍ଧ ହେଉଥିବାରୁ ଏହାକୁ ସହରବାସୀ ଅପେକ୍ଷା କରିଥାଆନ୍ତି। ୨୦୧୦ ମସିହାରୁ ଆରମ୍ଭ ହୋଇଥିବା ‌ଏହି ମେଳାରେ ସର୍ବାଧିକ ଲୋକଙ୍କ ସମାଗମ ହେବାର ରେକର୍ଡ ମଧ୍ୟ ରହିଛି।

ଖାଦ୍ୟ ପ୍ରାଙ୍ଗଣ‌ ମହକିବ
ବୁଲାବୁଲି ସାରିବା ପରେ ଲୋକେ ହାବୁଡ଼ୁଥିବା ଆଦିବାସୀ ଖାଦ୍ୟ ପ୍ରାଙ୍ଗଣରେ ପାରମ୍ପରିକ ଚଟ୍‌ପଟି ଖାଦ୍ୟ ଖାଇବାର ସୁଯୋଗ ମିଳିବ। ମୁଢ଼ି ମାଂସ, ପାଳୁଅ/କାଙ୍ଗୁ ଖିରି, ମାଣ୍ଡିଆ ଜାଉ, ମାଣ୍ଡିଆ ପିଠା, ହର୍ବାଲ୍‌ ଜୁସ୍‌ ଭଳି ଟକରା ଖାଦ୍ୟ ନିଶ୍ଚେ ଆପଣଙ୍କୁ କ୍ଷଣେ ଅଟକାଇ ଦେବ।

ସନ୍ଧ୍ୟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ
ସନ୍ଧ୍ୟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବାର ସୁଯୋଗ ମିଳିବ। ଆଦିବାସୀ ପାରମ୍ପରିକ ନୃତ୍ୟ ଗୀତ, ସଂଗୀତ ଓ ନାଟକ‌ ଦେଖିବାକୁ ମିଳିବ। କିଛି ଷ୍ଟଲ୍‌ରେ ଆଦିବାସୀ ଚିତ୍ରକଳା ମଧ୍ୟ ପ୍ରଦର୍ଶିତ ହେବ। ବହୁ ସଂଖ୍ୟାରେ ଆଗନ୍ତୁକଙ୍କୁ ନଜରରେ ରଖି ଏଥର ବି ଅନୁରୂପ ଭାବେ ସିସିଟିଭି କ୍ୟାମେରା ଖଞ୍ଜାଯିବ। ୱାଚ୍‌ଟାୱାରରୁ ଗତିବିଧି ଉପରେ ନଜର ରଖାଯିବ। ଟ୍ରାଫିକ୍‌ ସମସ୍ୟା ଏଡ଼ାଇବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର