ଏଡିଏମ୍‌ ଅଫିସ ଘେରିଲା ଏକାମ୍ର ଗ୍ରାମୀଣ ମଣ୍ଡଳ

ଧଉଳି: ଧଉଳି ପଞ୍ଚାୟତ କାର୍ଯ୍ୟାଳୟ ପ୍ରକୋଷ୍ଠରେ କର୍ମଚାରୀ ମଦ ପିଇବା, ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ରାସନ୍‌କାର୍ଡ ମଂଜୁର କରାଯିବା ଆଦି ବହୁ ଦୁର୍ନୀତିର ତଦନ୍ତ ପ୍ରକ୍ରିୟାରେ ଶିଥିଳତା ପ୍ରତିବାଦରେ ଆଜି ଏକାମ୍ର ଗ୍ରାମୀଣ ମଣ୍ଡଳ ପକ୍ଷରୁ ଭୁବନେଶ୍ୱର ଏଡିଏମ୍‌ ମନୋଜ ମହାନ୍ତିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଆଜି ପୂର୍ବାହ୍ନରେ ଏକାମ୍ର ଗ୍ରାମୀଣ ମଣ୍ଡଳର ଶତାଧିକ ସମର୍ଥକ ଦୀର୍ଘ ସମୟ ଧରି ମୁହଁରେ କଳା କପଡ଼ା ବାନ୍ଧି ଦାବି ପୂରଣ ନେଇ ଏଡିଏମ୍‌ଙ୍କ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିଲେ। ଏହାପରେ ଉପରୋକ୍ତ ଅଭିଯୋଗ ଘଟଣାରେ ସଂପୃକ୍ତ କର୍ମଚାରୀ ତଥା ବ୍ୟକ୍ତିବଶେଷଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଲିଖିତ ଦାବିପତ୍ର ଏଡିଏମ୍‌ଙ୍କୁ ପ୍ରଦାନ କରାଯାଇଥିଲା। ଉତ୍ତରରେ ଏଡିଏମ୍‌ ଏହି ନିର୍ଦ୍ଦିଷ୍ଟ କର୍ମଚାରୀଙ୍କ ଅଭିଯୋଗ ସଂପର୍କରେ ଜିଲ୍ଲା ପ୍ରଶାସନ ସହ ବିସ୍ତତ ଆଲୋଚନା କରିବେ ବୋଲି କହିଥିଲେ। ସେହିପରି ପଞ୍ଚାୟତର ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକା ପ୍ରଦାନ କରାଗଲେ କାର୍ଡ଼ ସେମାନଙ୍କ କାର୍ଡ ରଦ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ଓ ବିଜେପି ନେତା ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ଧାରଣାର ନେତୃତ୍ୱ ନେଇଥିଲେ। ଉଲ୍ଲେଖଯୋଗ୍ୟ, ଧଉଳି ପଞ୍ଚାୟତ କକ୍ଷରେ କାର୍ଯ୍ୟରତ ଯୋଗାଣ ସହାୟକ ଏବଂ ଆଉ କେତେଜଣ ଯୁବକ ବସି ମଦ ପିଇଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ସହକାରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ ସର୍ବୋପରି କିନ୍ତୁ ବ୍ଲକ ପ୍ରଶାସନିକସ୍ତରରେ ଏହାର ତଦନ୍ତ ସରିଛି। ଅଭିଯୋଗ ଓ ତଦନ୍ତ ରିପୋର୍ଟରେ କିଛି ତାଳମେଳ ନଥିବା ବି ଦର୍ଶାଯାଇଛି। ଅନ୍ୟପକ୍ଷରେ ଏହା ପୂର୍ବତନ ସରପଞ୍ଚଙ୍କ ଯୋଗାଣ ସହାୟକଙ୍କ ବିରୋଧରେ ଏକ ହୀନ ଷଡ଼ଯନ୍ତ୍ର ବୋଲି ଧଉଳି ସରପଞ୍ଚ ପୂର୍ଣ୍ଣିମା ସାହୁଙ୍କ ସ୍ୱାମୀ ହରେକୃଷ୍ଣ ସାହୁ କହିବା ସହ ଅଧିକାରୀଙ୍କ ତଦନ୍ତକୁ ଆଧାର କରି କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଥିବା ସରପଞ୍ଚ କହିଛନ୍ତି।

ସମ୍ବନ୍ଧିତ ଖବର