ଭୁବନେଶ୍ୱର ଆରଟିଓ ଅଫିସ-୧ ପାର୍ଶ୍ବରେ ଥିବା ଦଲାଲଙ୍କ ଅସ୍ଥାୟୀ ଘର ଭାଙ୍ଗିଲା ପ୍ରଶାସନ

ଭୁବନେଶ୍ବର: ଦଲାଲଙ୍କ ଉପରେ ଏବେ ପଡ଼ିଛି ସରକାରଙ୍କ ନଜର ।  ଭୁବନେଶ୍ୱର ଆରଟିଓ ଅଫିସ ସମ୍ମୁଖରେ ଦଲାଲମାନେ ରହୁଥିବା ଅସ୍ଥାୟୀ ଘର ଓ କ୍ୟାବିନକୁ ଭାଙ୍ଗିଛି ପ୍ରଶାସନ । ଆଚର୍ଯ୍ୟ ବିହାରସ୍ଥିତ ଆରଟିଓ ୱାନ୍ ଅଫିସ ସମ୍ମୁଖରେ ଥିବା ଓ ପଛ ପଟେ ଥିବା ଘରକୁ ଭଙ୍ଗାଯାଉଛି । ମେସାମବାର ପାଖାପାଖି ୩୦ଟି ଗୁୁମୁଟିକୁ ଭଙ୍ଗାଯାଇଥିବା ଜଣାଯାଇଛି । ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଥିବା ‘ମୋ ସରକାର’କାର୍ଯ୍ୟକ୍ରମ ପୂର୍ବରୁ ବିଭିନ୍ନ ସରକାରୀ ଅଫିସରେ ଥିବା ଦଲାଲଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ । ମେଡିକାଲ ଓ ଆରଟିଓ ଅଫିସରେ ଥିବା ଦଲାଲଙ୍କୁ ଗିରଫ କରାଯାଇ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ଅନ୍ୟପଟେ, ଆରଟିଓରୁ ଦଲାଲମାନଙ୍କୁ ହଟାଇବା ପାଇଁ ଅନେକ ବ୍ୟବସ୍ଥା କରାଯାଉଥିବା ବେଳେ ଲୋକଙ୍କର ସମସ୍ୟାର ସମାଧାନ ପାଇଁ ମଧ୍ୟ ପରିବହନ ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି । ଉପଯୁକ୍ତ ସୂଚନା ଅଭାବରୁ ଲୋକମାନେ ହଇରାଣ  ନହେବେ ସେଥିପାଇଁ ଆଜିଠୁ ଭୁବନେଶ୍ୱରରେ ଦୁଇଟି ସ୍ଥାନରେ କ୍ୟାମ୍ପ ଖୋଲାଯାଇଛି । ଆରଟିଓ-୧ ଅଧୀନରେ ବନ୍ଦ ହୋଇ ଯାଇଥିବା ଦୁଇ ଲର୍ଣ୍ଣର୍ସ ଲାଇସେନ୍ସ ପ୍ରସ୍ତୁତ କ୍ୟାମ୍ପ ଅଫିସକୁ ପୁଣି ଥରେ ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଛି।

ଆଜିଠାରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ସହିଦ ନଗର ବିଏମସି ୱାର୍ଡ ଅଫିସ୍ ଓ ଏଜି ଛକରେ ଥିବା ଓଏସଆରଟିସି ଅଫିସ୍ ପରିସରରେ ଏହି କ୍ୟାମ୍ପ ଖୋଲିବାକୁ ନୋଟିସ୍ ଜାରି ହୋଇଛି। ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଏହି ଅଫିସ୍ କାମ କରିବ।

ସମ୍ବନ୍ଧିତ ଖବର