ଭୁବନେଶ୍ବର: କୁଳପତିଙ୍କ କାର୍ଯ୍ୟକାଳ ସରିଯାଇଛି। ୬ମାସିଆ ବର୍ଦ୍ଧିତ କାର୍ଯ୍ୟକାଳରେ ଦାୟିତ୍ବ ସମ୍ଭାଳୁଛନ୍ତି। ତାହା ମଧ୍ୟ ଆସନ୍ତା ୨୩ ତାରିଖରେ ଶେଷ ହୋଇଯିବ। କୁଳସଚିବ ଭାରପ୍ରାପ୍ତରେ କାର୍ଯ୍ୟ କରୁଛନ୍ତି। ବର୍ଷେରୁ ଅଧିକ ଦିନ ହେଲା ପରୀକ୍ଷା ନିୟନ୍ତ୍ରକ ନାହାନ୍ତି। ଭାରପ୍ରାପ୍ତ ଭାବେ ଜଣେ ପ୍ରଫେସର ଅଛନ୍ତି। ସୁରକ୍ଷା ଅଧିକାରୀଙ୍କଠାରୁ ଆରମ୍ଭ କରି ଇ-ଷ୍ଟେଟ୍ ଅଧିକାରୀ, କ୍ରୀଡ଼ା ଉନ୍ନୟନ ଅଧିକାରୀ ବି ନିୟମିତ ନୁହନ୍ତି। ଏମିତି କାମଚଳାରେ ଚାଲିଛି ରାଜ୍ୟର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟ। ଗୋଟିଏ ପଟେ ବିଶ୍ବବିଦ୍ୟାଳୟରେ ପ୍ରଫେସର ଅଭାବରୁ ପାଠପଢ଼ା ପ୍ରଭାବିତ ହେଉଥିବା ବେଳେ ଅନ୍ୟପଟେ ପ୍ରଫେସରଙ୍କ କାନ୍ଧରେ ଏକାଧିକ ପ୍ରଶାସନିକ ଦାୟିତ୍ବ ଲଦି ଦିଆଯାଇଛି। ପରିଣାମ ସ୍ବରୂପ କ୍ୟାମ୍ପସରେ ପାଠପଢ଼ା ଠପ୍। କେତେବେଳେ କ୍ଲାସ ହେଉଛି ତ ଆଉ କେବେ ହେଉ ନ ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଚଳିତ ମାସ ୨୩ ତାରିଖରେ ଶେଷ ହେବାକୁ ଯାଉଛି। ଆଉ ମାତ୍ର ୧୬ ଦିନ ରହିଥିବା ବେଳେ ଏପର୍ଯ୍ୟନ୍ତ ନୂତନ କୁଳପତି ଚୟନ ନେଇ ପ୍ରକ୍ରିୟା କରାଯାଇ ନାହିଁ। କେବେ ହେବ ସେନେଇ କେହି ବି ମୁହଁ ଖୋଲୁ ନାହାନ୍ତି। କୁଳପତି ଚୟନ ଆଗ ହେବ ନା ପ୍ରଫେସର ନିଯୁକ୍ତି କରାଯିବ ତାହାକୁ ନେଇ ଏବେ ଦୋଛକିରେ ଉଚ୍ଚଶିକ୍ଷା ବିଭାଗ। ନୂଆ ଆଇନରେ ବିଶ୍ବବିଦ୍ୟାଳୟର ବରିଷ୍ଠତମ ପ୍ରଫେସରଙ୍କୁ ଦାୟିତ୍ୱ ଦିଆଯାଇପାରେ କିମ୍ବା ଯେକୌଣସି ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଦାୟିତ୍ୱ ଦିଆଯିବାର ବିଧି ରହିଛି। ମାତ୍ର ସରକାରଙ୍କ ପଦକ୍ଷେପ ବିଷୟରେ ସମସ୍ତେ ଅନ୍ଧାରରେ।
ଭାରପ୍ରାପ୍ତରେ ଚାଲିଛି ରାଜ୍ୟର ସର୍ବପୁରାତନ ବିଶ୍ବବିଦ୍ୟାଳୟ
୨୩ରେ ସରୁଛି କୁଳପତିଙ୍କ ବର୍ଦ୍ଧିତ କାର୍ଯ୍ୟକାଳ
କୁଳସଚିବ, ପରୀକ୍ଷା ନିୟନ୍ତ୍ରକ ପଦବିରେ ପ୍ରଫେସର
ଲାଇବ୍ରେରି ସାଇନ୍ସ ବିଭାଗ ଦାୟିତ୍ବରେ ଅର୍ଥନୀତି ପ୍ରଫେସର
ସେହିପରି ନିୟମ ଅନୁଯାୟୀ ନିୟମିତ କୁଳସଚିବ ଏଠାରେ ନାହାନ୍ତି। ବାଣିଜ୍ୟ ବିଭାଗର ଏକମାତ୍ର ପ୍ରଫେସରଙ୍କୁ କୁଳସଚିବ ପଦବିରେ ଅବସ୍ଥାପିତ କରାଯାଇଥିବାରୁ ବିଭାଗରେ ପାଠପଢ଼ା ପ୍ରଭାବିତ ହେଉଛି। ସ୍ବତନ୍ତ୍ର ଶିକ୍ଷା ଅଧିକାରୀମାନେ ପରୀକ୍ଷା ନିୟନ୍ତ୍ରକ ପରି ଗୁରୁତ୍ବପୂର୍ଣ୍ଣ ପଦବିରେ ଆଗରୁ ରହୁଥିବା ବେଳେ ଏବେ ପ୍ରଫେସରଙ୍କୁ ଦାୟିତ୍ବ ଦିଆଯାଇଛି। ସମ୍ପୃକ୍ତ ପ୍ରଫେସର ଜଣକ ଡିଡିସିଇ ନିର୍ଦ୍ଦେଶକ ସମେତ ପରିବେଶ ବିଜ୍ଞାନ ଓ ଅଣୁଜୀବ ବିଜ୍ଞାନ ବିଭାଗର ସଂଯୋଜକ ଦାୟିତ୍ବ ସମ୍ଭାଳୁଛନ୍ତି। ବିଶ୍ବବିଦ୍ୟାଳୟର ଏକାଧିକ ଗୁରୁତ୍ବପୂର୍ଣ୍ଣ ପଦବିରେ ରହୁଥିବାରୁ ଉଦ୍ଭିଦ ବିଜ୍ଞାନ ବିଭାଗ ପାଠପଢ଼ାରେ ସମୟ ଦେଇପାରୁ ନାହାନ୍ତି। ବିଶ୍ବବିଦ୍ୟାଳୟ ସୁରକ୍ଷା ଅଧିକାରୀ ପଦବିରେ ଜଣେ ଡିଏସ୍ପି ରୢାଙ୍କର ଅଧିକରୀ ରହିବା କଥା। ମାତ୍ର ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦାୟିତ୍ବ ଦିଆଯାଇଛି। ଏନ୍ଏସ୍ଏସ୍ ଅଧିକାରୀ ଭାବେ ରାଜ୍ୟ ସରକାର ଜଣଙ୍କୁ ନିଯୁକ୍ତି ଦେବାର ନିୟମ ରହିଥିଲେ ମଧ୍ୟ ଜଣେ ପ୍ରଫେସରଙ୍କୁ ଦାୟିତ୍ବ ଦିଆଯାଇଛି। ଉପପରୀକ୍ଷା ନିୟନ୍ତ୍ରକ ଦାୟିତ୍ୱରେ ପରିସଂଖ୍ୟାନ ବିଭାଗର ଜଣେ ପ୍ରଫେସର ଦାୟିତ୍ୱରେ ଥିବାବେଳେ ମହାବିଦ୍ୟାଳୟ ଉନ୍ନୟନ ପରିଷଦ ଓ ଛାତ୍ର କଲ୍ୟାଣ ନିର୍ଦେଶକ ଦାୟିତ୍ୱରେ ମଧ୍ୟ ପ୍ରଫେସର ରହିଛନ୍ତି।
ଭିତ୍ତିଭୂମି କଥା ବୁଝିବା ସହ କ୍ୟାମ୍ପସ ଓ ବିଲଡିଂଗୁଡ଼ିକର ତଦାରଖ ଦାୟିତ୍ବରେ ରହିବାକୁ ଥିବା ଉନ୍ନୟନ ଜଣେ ଓଆରଏସ୍ ପାହ୍ୟାର ଜଣେ ଅଧିକାରୀ ରହିବା କଥା। ମାତ୍ର ସେଠାରେ ସଂସ୍କୃତ ବିଭାଗର ସହଯୋଗୀ ପ୍ରଫେସରଙ୍କୁ ନିୟୋଜିତ କରାଯାଇଛି। ଛାତ୍ରଛାତ୍ରୀଙ୍କ କ୍ରୀଡ଼ାର ବିକାଶ ପାଇଁ ଜଣେ କ୍ରୀଡ଼ା ଉନ୍ନୟନ ଅଧିକାରୀ ରହିବା କଥା, ଯାହାଙ୍କର ଯୋଗ୍ୟତା ଶାରୀରିକ ଶିକ୍ଷା ରହିବା ନିତ୍ୟାନ୍ତ ଆବଶ୍ୟକ। ମାତ୍ର ସେହି ପଦବିରେ ଏବେ ପ୍ରଫେସର ରହିଛନ୍ତି। ୨୮ଟି ନିୟମିତ ବିଭାଗ ମଧ୍ୟରୁ ଲାଇବ୍ରେରି ସାଇନ୍ସରେ ଜଣେ ବି ପ୍ରଫେସର ନାହାନ୍ତି। ଅର୍ଥନୀତି ବିଭାଗର ପ୍ରଫେସର ଏହି ବିଭାଗରେ ଭାରପ୍ରାପ୍ତ ଦାୟିତ୍ବରେ ରହିଛନ୍ତି। ବ୍ୟବସାୟ ପ୍ରଶାସନ ଓ ମନସ୍ତତ୍ତ୍ବ ବିଜ୍ଞାନ ବିଭାଗରେ ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବି ମଧ୍ୟରୁ ୧୦ଟି ଲେଖାଏଁ ଖାଲି ପଡ଼ିଛି। ବାଣିଜ୍ୟ, ଗଣିତ, ବିଶ୍ବବିଦ୍ୟାଳୟ ଆଇନ ମହାବିଦ୍ୟାଳୟ(ୟୁଏଲ୍ବି)ରେ ମାତ୍ର ଜଣେ ଲେଖାଏଁ ନିୟମିତ ପ୍ରଫେସର ରହିଛନ୍ତି। ବାୟୋଟେକ୍ନୋଲୋଜି, ଉଦ୍ଭିଦ ବିଜ୍ଞାନ, ଏଆଇଏଚ୍ସିଏ, ଇଂରାଜୀ, ଇତିହାସ, ଏଲ୍ଏଲ୍ଏମ୍, ଓଡ଼ିଆ, ପଦାର୍ଥ ବିଜ୍ଞାନ, ରାଜନୀତି ବିଜ୍ଞାନ, ସାଧାରଣ ପ୍ରଶାସନ, ପରିସଂଖ୍ୟାନ ଓ ପ୍ରାଣୀ ବିଜ୍ଞାନ ବିଭାଗରେ ଦୁଇ କିମ୍ବା ତିନି ଜଣ ନିୟମିତ ପ୍ରଫେସର ପଢ଼ାଉଛନ୍ତି। ଏଭଳି ସମୟରେ ପ୍ରଫେସରମାନଙ୍କ କାନ୍ଧରେ ଏକାଧିକ ପ୍ରଶାସନିକ ବୋଝ ଲଦାଯାଇଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।