ଭୁବନେଶ୍ବର: ବିଏମ୍ସିରେ କେଉଁ ଓଏଏସ୍ ବା ଓଆର୍ଏସ୍ ଅଧିକାରୀ କେତେ ଦିନ ହେଲା ଅଛନ୍ତି ତାହାର ତଥ୍ୟ ମାଗିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଏହି ଚିଠି ପହଞ୍ଚିବା ପରେ ବର୍ଷ ବର୍ଷ ଧରି ବିଏମ୍ସିରେ ରହିଥିବା ଅଫିସର ବଦଳି ଭୟରେ ପ୍ରମାଦ ଗଣୁଥିବା ବେଳେ ବଦଳି ଆଦେଶ ସତ୍ବେ ଗାଦି ଛାଡ଼ୁନଥିବା ଅଫିସର କାର୍ଯ୍ୟାନୁଷ୍ଠାନ ଭୟରେ ଛାନିଆ ହୋଇଛନ୍ତି। ‘ଆଉ ନୁହେଁ, ଏଥର ଗାଦି ଛାଡ଼ିବାକୁ ପଡ଼ିବ’ ବୋଲି ଆଲୋଚନା ହେଉଥବା ବେଳେ ଦୁଇ ଦୁଇ ଥର ସରକାରଙ୍କ ବଦଳି ଆଦେଶକୁ ଫୁ’ କରିଦେଇଥିବା ଅଫିସର ଏଥର ବି ନିଜ ଆଧିପତ୍ୟ ବଜାୟ ରଖିବାକୁ ଉପରମୁଣ୍ଡରେ ଶରଣ ପଶିଥିବା କୁହାଯାଉଛି। ଗତ ୧୫ ତାରିଖରେ ବିଏମ୍ସି ଏହି ଅଧିକାରୀମାନଙ୍କର ତାଲିକା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଛି। କାର୍ଯ୍ୟାନୁଷ୍ଠାନ କ’ଣ ହେଉଛି, ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି। ବିଏମ୍ସି ଡେପୁଟି କମିସନର ଗାୟତ୍ରୀ ସାମନ୍ତରାୟ। ବିଏମ୍ସିର ଏଷ୍ଟାବ୍ଲିସ୍ମେଣ୍ଟ ଉପବିଭାଗରେ ସେ ୪ ବର୍ଷ ହେଲା ଅଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତାଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟାଙ୍କ ଓଏସ୍ଡି ଭାବରେ ଦୁଇ ଥର ବଦଳି କରାଯିବା ସତ୍ତ୍ବେ ସେ ଅଛନ୍ତି। ଏଣେ ଏଷ୍ଟାବ୍ଲିସ୍ମେଣ୍ଟ ଉପବିଭାଗରେ ଯାବତୀୟ କେଳେଙ୍କାରୀର ଅଭିଯୋଗ ମଧ୍ୟ ରହିଛି।
ବାରମ୍ବାର ମାନିନାହାନ୍ତି ବଦଳି ଆଦେଶ
ଡେପୁଟି କମିସନର ଥିବା ଶୁଭେନ୍ଦୁ କୁମାର ସାହୁଙ୍କର ପଦୋନ୍ନତି ହେବା ପରେ ସେ ବିଏମ୍ସିରେ ଅଛନ୍ତି। ଅତିରିକ୍ତ ସଚିବ ପଦକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପଦୋନ୍ନତି ଦେବା ପରେ ତାଙ୍କୁ ଅତିରିକ୍ତ କମିସନର ଦାୟିତ୍ବ ଦିଆଯାଇଛି। ଗତବର୍ଷ ତାଙ୍କର ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଭାବରେ ବଦଳି ହୋଇଥିଲା। ଏହା ବାତିଲ ହେବା ପରେ ତାଙ୍କୁ ସ୍ବତନ୍ତ୍ର ଭୂମି ଅଧିଗ୍ରହଣ ଅଧିକାରୀ ଦାୟିତ୍ବ ମିଳିଛି। ଏହି ଆଦେଶ ବାତିଲ ହୋଇ ନାହିଁ। ତାଙ୍କୁ ମଧ୍ୟ ବିଏମ୍ସିରେ ୫ ବର୍ଷ ପୂରିବାକୁ ଯାଉଛି। ବିଭିନ୍ନ ସମୟରେ ସେ ବିଏମ୍ସିର ଗୁରୁତ୍ବପୂର୍ଣ୍ଣ ଉପବିଭାଗର ଦାୟିତ୍ବରେ ରହିଆସିଛନ୍ତି। ଜେଡ୍ଡିସି ଭାବରେ ଉତ୍ତର ଜୋନ୍ ଦାୟିତ୍ବରେ ଥିବା ପୁରନ୍ଦର ନନ୍ଦ ମଧ୍ୟ ବିଏମ୍ସିରେ ୪ ବର୍ଷରୁ ଅଧିକ ସମୟ ଧରି ରହିଛନ୍ତି। ଉତ୍ତର ଜୋନ୍ରେ ଜବରଦଖଲ ହଟାଇବାକୁ ନେଇ ମାଳ ମାଳ ଅଭିଯୋଗ ରହିଛି। ଫାଷ୍ଟଫୁଡ୍ ବ୍ୟବସାୟଙ୍କୁ ରାସ୍ତା କଡ଼ରୁ ଉଚ୍ଛେଦ ପାଇଁ ପାତରଅନ୍ତର ହୋଇଥିବା ଅଭିଯୋଗକୁ ପ୍ରବଳ ଜନଅସନ୍ତୋଷ ରହିଛି। ଏଥିରେ ମୋଟା ଅଙ୍କର ହାତଗୁଞ୍ଜା କାରବାର ହୋଇଥିବା ଅନ୍ୟ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।
ଆଉ ଜଣେ ଜେଡ୍ଡିସି ହେଉଛନ୍ତି ରବିନାରାୟଣ ଜେଠୀ। ସେ ଏବେ ଦକ୍ଷିଣ-ପଶ୍ଚିମ ଜୋନ୍ର ଦାୟିତ୍ବରେ ଅଛନ୍ତି। ଜବରଦଖଲ ଉଚ୍ଛେଦକୁ ନେଇ ଏହି ଜୋନ୍ରେ ସବୁଠାରୁ ଅଧିକ ଅଭିଯୋଗ ରହିଛି। ରାସ୍ତା କଡ଼ରେ ଥିବା ଏକ ମଣ୍ଡପକୁ ଉଚ୍ଛେଦ କରିବା ପାଇଁ ବିଏମ୍ସି ସମ୍ପୃକ୍ତ ଜୋନ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ବରମୁଣ୍ଡାରୁ ଖଣ୍ଡଗିରି ରାସ୍ତା କଡ଼ରେ ଏକାଧିକ ନର୍ସରି ହୋଇଛି। ସେଗୁଡ଼ିକୁ ଉଚ୍ଛେଦ କରାନଯାଇ ଅନ୍ୟ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଉଥିବାରୁ ପ୍ରବଳ ଜନଅସନ୍ତୋଷ ସୃଷ୍ଟି ହୋଇଛି। ସେ ମଧ୍ୟ ବିଏମ୍ସିରେ ୫ ବର୍ଷ ହେବ ରହିଛନ୍ତି। ସେହିଭଳି ‘ମୋ ବସ୍’ ସେବା ଆରମ୍ଭ ହେବା ଦିନ ଠାରୁ ଅର୍ଥାତ୍ ୨୦୧୮ ମସିହାରୁ କ୍ରୁଟ୍ର ମହାପ୍ରବନ୍ଧକ ଭାବରେ ଅଛନ୍ତି ଦିପ୍ତୀ ମହାପାତ୍ର। ତାଙ୍କର ଅବଧି ମଧ୍ୟ ୫ ବର୍ଷ ପୂରିବାକୁ ଯାଉଛି। ୫ ବର୍ଷ ଧରି ଏହି ବ୍ୟବସ୍ଥାରେ ଅଭିଯୋଗର ଫର୍ଦ୍ଦ ବଢ଼ିବାରେ ଲାଗିଛି। ନା ଲାଭ ହେଉଛି ନା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇ ପାରୁଛି। ବରଂ ବିବାଦ ବଢ଼ିଛି। କେତେବେଳେ ମୋ ବସ୍ ଧକ୍କାରେ କାହାର ପ୍ରାଣ ଗଲାଣି ତ କାହାର ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଗଲାଣି। ଏଭଳି ଅଭିଯୋଗ ଏହି ବ୍ୟବସ୍ଥାକୁ ବିବାଦୀୟ କରିଛି। ବିଡିଏରେ ମଧ୍ୟ ୪ ବର୍ଷରୁ ଊର୍ଦ୍ଧ୍ବ ହେବ ଦୁଇ ଜଣ ଓଏଏସ୍ ଅଫିସର ରହିଛନ୍ତି। ଯଦିଓ ତାଙ୍କ ବିରୋଧରେ କୌଣସି ଅଭିଯୋଗ ସାମ୍ନାକୁ ଆସିନାହିଁ।