ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲକୁ ପିଜିଆଇ ମାନ୍ୟତା ମିଳିବାରେ ବିଳମ୍ବ ହୋଇପାରେ। ନ୍ୟାସନାଲ ମେଡିକାଲ କମିସନ (ଏନ୍ଏମ୍ସି)ର କ୍ୟାପିଟାଲ ହସ୍ପିଟାଲର ପର୍ଯ୍ୟବେକ୍ଷଣ ବିଳମ୍ବିତ ହୋଇଥିବାରୁ ପିଜିଆଇ ମାନ୍ୟତା ଆହୁରି ବିଳମ୍ବିତ ହେବ ବୋଲି କୁହାଯାଉଛି। ତେଣୁ ଚଳିତ ଶିକ୍ଷାବର୍ଷରେ କ୍ୟାପିଟାଲ ହସ୍ପିଟାଲ ପିଜିଆଇରେ ନାମଲେଖା ହେବ କି ନାହିଁ ତାହା ଆଶଙ୍କାରେ ରହିଛି।
ସୂଚନା ଅନୁସାରେ, ଏନ୍ଏମ୍ସିର ଟିମ୍ ପ୍ରତ୍ୟକ୍ଷ ଭାବେ କ୍ୟାପିଟାଲ ହସ୍ପିଟାଲର ଭିତ୍ତିଭୂମି ଯାଞ୍ଚ କରି ସବୁଜ ସଂକେତ ଦେଲା ପରେ ଯାଇ ହସ୍ପିଟାଲକୁ ପିଜି ଇନଷ୍ଟିଚ୍ୟୁଟ୍ର ମାନ୍ୟତା ମିଳିବ। ଏହାପରେ ଅନ୍ୟ ଭିତ୍ତିଭୂମିର ବିକାଶ କରାଯାଇ ୨୦୨୨-୨୩ ପାଇଁ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହେବ। ତେବେ କ୍ୟାପିଟାଲ ହସ୍ପିଟାଲକୁ ପିଜିଆଇ ମାନ୍ୟତା ପାଇଁ ଗତବର୍ଷ ନଭେମ୍ବରୁ ଏନ୍ଏମ୍ସିକୁ ଚିଠି ଲେଖାଯାଇଥିଲା। ଏହାଭିତରେ ୮ମାସ ବିତି ଯାଇଥିଲେ ହେଁ ଏନ୍ଏମ୍ସି ଟିମ୍ କ୍ଷେତ୍ର ପରିଦର୍ଶନ କରିନାହିଁ। ଏନ୍ଏମ୍ସିର ପରିଦର୍ଶନ ବିଳମ୍ବ ହେବା ପଛରେ କରୋନାର ତୃତୀୟ ଲହର ଦାୟୀ ବୋଲି କୁହାଯାଉଛି।
ଅପରପକ୍ଷରେ ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲକୁ ଟିଚିଂ ଇନଷ୍ଟିଚ୍ୟୁଟ୍ରେ ମାନ୍ୟତା ଦେଇଛନ୍ତି। ଗତ ସପ୍ତାହରେ ପିଜିଆଇ ପାଇଁ ନୂତନ ନିର୍ଦ୍ଦେଶିକାଙ୍କୁ ନିଯୁକ୍ତି ଦିଆଯାଇଛି। ନୂତନ ବିଲ୍ଡିଂ ପାଇଁ ମଧ୍ୟ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଛି। ମାତ୍ର ଏନ୍ଏମ୍ସି ଟିମ୍ ବର୍ତମାନ ସୁଦ୍ଧା ପରିଦର୍ଶନ କରି ନ ଥିବାରୁ ପିଜିଆଇ ମାନ୍ୟତା କେବେ ମିଳିବ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ଏ ବାବଦରେ ପିଜିଆଇ ନିର୍ଦ୍ଦେଶିକା ଡା. ନିବେଦିତା ପାଣି କହିଛନ୍ତି ଯେ ପିଜିଆଇ ମାନ୍ୟତା ପାଇଁ ସ୍ବାସ୍ଥ୍ୟ ବିଭାଗ ତରଫରୁ ପୁଣି ଥରେ ଏନ୍ଏମ୍ସିକୁ ଚିଠି ଲେଖାଯାଇଛି। ଖୁବଶୀଘ୍ର ଏନ୍ଏମ୍ସି ପର୍ଯ୍ୟବେକ୍ଷଣ ପାଇଁ ଆସିପାରନ୍ତି ବୋଲି ଡା. ପାଣି କହିଛନ୍ତି।