ଭୁବନେଶ୍ବର: ବହୁଚର୍ଚ୍ଚିତ ବ୍ରହ୍ମପୁର ଆଇନଜୀବୀ ପୀତବାସ ହତ୍ୟାକାଣ୍ଡର ଶବ ବ୍ୟବଛେଦ ରିପୋର୍ଟ ଆସିଛି। ଏଫ୍ଏମ୍ଟି ବିଭାଗ ତଦନ୍ତକାରୀ ଅଧିକାରୀଙ୍କୁ ରିପୋର୍ଟ ଦାଖଲ କରିଛି। ରିପୋର୍ଟରୁ ଜଣାପଡ଼ିଛି ଯେ, ପୀତବାସଙ୍କୁ ୨ରୁ ଅଢେଇ ମିଟର ରେଞ୍ଜରୁ ଗୁଳିମାଡ଼ କରାଯାଇଥିଲା। ଗୁଳିମାଡ଼ ପରେ ଘଟଣାସ୍ଥଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଛାନିଆ ଓ ଆଭ୍ୟନ୍ତରୀଣ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା। ଶରୀରରୁ ପ୍ରାୟ ୪ଲିଟର ରକ୍ତ ନିର୍ଗତ ହୋଇଥିଲା। ଫଳରେ ଗୁରୁତ୍ୱପୂର୍ଣ୍ଣ ଟିସ୍ୟୁ ନଷ୍ଟ ହୋଇଥିଲା।
ପୀତବାସୀ ପଣ୍ଡା ହତ୍ୟ ମାମଲାରେ ଓଡ଼ିଶା ପୁଲିସ ଆନ୍ଧ୍ର ପ୍ରଦେଶରେ ଛାନ୍ଭିନ୍ ଆରମ୍ଭ କରିଛି। ଏକ ୬ଜଣିଆ ଟିମ୍ ଆନ୍ଧ୍ରପ୍ରଦେଶ ଯାଇଛନ୍ତି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି।
ସୂଚନାଯୋଗ୍ୟ, ଗତ ସୋମବାର ଦିନ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବୈକୁଣ୍ଠନଗର ଅଞ୍ଚଳରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବ୍ରହ୍ମପୁର ସହରର ବରିଷ୍ଠ ଆଇନଜୀବୀ, ରାଜ୍ୟ ବାର୍ କାଉନ୍ସିଲ ସଦସ୍ୟ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ତାଙ୍କ ଘର ସମ୍ମୁଖରେ ପଏଣ୍ଟ୍ ବ୍ଲାଙ୍କ୍ରୁ ଗୁଳି କରି ହତ୍ୟା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଏହାପଛରେ ସୁପାରିଂ କିଲିଂ ରହିଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତକୁ ତ୍ବରାନ୍ବିତ କରିଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ରାଜ୍ୟବ୍ୟାପୀ ଆଇନଜୀବୀମାନେ ଆନ୍ଦୋଳନ କରିଚନ୍ତି। ଏହି ମାମଲାକୁ ସରକାର ମଧ୍ୟ ଗୁରୁତ୍ବର ସହିତ ନେଇଛନ୍ତି।
ଆଇନୀଜୀବ ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡକୁ ୪ ଦିନ ବିତିଗଲା। ଏଯାଏଁ ହତ୍ୟାକାରୀଙ୍କୁ ଖୋଜି ପାରିନି ପୁଲିସ। ତିନି ଦିନ ଧରି ବିଭିନ୍ନ ଦିଗରେ ତଦନ୍ତ ଜାରି ଥିଲେ ବି ଆତତାୟୀଙ୍କ ଟେର୍ ମିଳୁନି। ହତ୍ୟାକାଣ୍ଡ ଭିଆଇ ୨ ଦୁର୍ବୃତ୍ତ କୁଆଡ଼େ ଗଲେ କିଛି ଜଣାପଡ଼ୁନି। ତଦନ୍ତକୁ ନେଇ ପୁଲିସ ନିରବ ଥିବା ବେଳେ ଗତକାଲି ସଂଧ୍ୟାରେ ଜଣେ ଡିଏସ୍ପିଙ୍କ ନେତୃତ୍ବରେ ପୁଲିସର ଏକ ୬ଜଣିଆ ଟିମ୍ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଇଛି।
Berhampur | BJP