‘ଆଦର୍ଶ ଅପେରା’ ଉଦ୍‌ଘାଟିତ

ଭୁବନେଶ୍ୱର: ନିଜର ଦମ୍‌ଦାର୍‌ ସଂଳାପ ଓ କଠୋର ସ୍ୱରରେ ଯଲିଉଡ୍‌ରେ ହଇଚଇ ସୃଷ୍ଟି କରିଥିବା ତଥା ନିଜ ଅଭିନୟରେ ଦର୍ଶକଙ୍କୁ ଭୟଭୀତ କରୁଥିବା ବହୁଚର୍ଚ୍ଚିତ ଖଳନାୟକ ଦୈତାରୀ ପଣ୍ଡାଙ୍କ ଯାତ୍ରା ପ୍ରେମ ଆଜି ଇଡ୍‌କଲ୍‌ ଅଡିଟୋରିୟମ୍‌ ମଞ୍ଚରେ ଝଲସିଥିଲା। ଯାତ୍ରା ଦୁନିଆରେ ବଢ଼ୁଥିବା ଅଶ୍ଳୀଳତା ଅଭିଯୋଗକୁ ସେ ସହ୍ୟ କରି ପାରି ନଥିଲେ। ଏହାକୁ ନଜରରେ ରଖି ଓଡ଼ିଶାର ସଂସ୍କୃତି, ପରମ୍ପରା, ଇତିହାସ ତଥା ଇଷ୍ଟ ଦେବ ଜଗନ୍ନାଥଙ୍କୁ ଯାତ୍ରାରେ ସ୍ଥାନ ଦେଇ ଆଧ୍ୟାତ୍ମିକ ଚେତନା, ଆଦର୍ଶ ବ୍ୟକ୍ତିତ୍ୱଙ୍କ ଜୀବନୀ, ଜଗନ୍ନାଥ ଅମୃତମୟ ଲୀଳା ଆଦି ଆଧାରିତ ‘ଆଦର୍ଶ ଅପେରା’ର ଆଜି ଉଦ୍‌ଘାଟନ କରିଛନ୍ତି। ଆଜି ଅକ୍ଷୟ ତୃତୀୟା ଅବସରରେ ଆୟୋଜିତ ‘କଳାପ୍ରାଣାର୍ପଣ ଉତ୍ସବ’ରେ ଏହି ‘ଆଦର୍ଶ ଅପେରା’ ଉଦ୍‌ଘାଟିତ ହୋଇଛି। ଓଡ଼ିଶାର ଅଭିନୟ ଓ ମଞ୍ଚ କ୍ଷେତ୍ରରେ ଆଦର୍ଶବୋଧ ସୃଷ୍ଟି କରିବା ତଥା ପୌରାଣିକ କଥାବସ୍ତୁକୁ ସାମାଜିକ ଓ ମନୋରଞ୍ଜନ କ୍ଷେତ୍ରରେ ଝଲସାଇବା ଉଦ୍ଦେଶ୍ୟରେ ଏହି ସଂସ୍ଥାର ଜନ୍ମ। ଏହି ଉତ୍ସବରେ ଉଦ୍‌ଘାଟକ ଭାବେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସ୍ୱାମୀ ବିଜୟାନନ୍ଦଜୀ ମହାରାଜ, ମୁଖ୍ୟବକ୍ତା ଭାବେ ଭାଷାବିତ୍‌ ପ୍ରଦ୍ୟୁମ୍ନ ଶତପଥୀ, ସମ୍ମାନିତ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ସଚ୍ଚି ଦାସ, ଅଭିନେତା ଅଜିତ୍‌ ଦାସ, ନାଟ୍ୟ ନିର୍ଦ୍ଦେଶକ ବିନୋଦ ରାଉତ ଓ ମନୋଜ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ସଭାରେ ଶ୍ରୀ ପଣ୍ଡା ସଭାପତିତ୍ୱ କରିଥିଲେ। ଯୁବ ନାଟ୍ୟ ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ଓଝା ଧନ୍ୟବାଦ ଅର୍ପଣ କରିଥିଲେ। ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର