ଭୁବନେଶ୍ବର: ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ(ଓରେରା)ରେ ପଞ୍ଜୀକୃତ ନ ହେଲେ ଫ୍ଲାଟ୍ ବିକ୍ରି ପାଇଁ ସଂସ୍ଥା ବିଜ୍ଞାପନ ଦେଇ ନପାରିବା ନିୟମ ନିକଟ ଅତୀତରେ କଡ଼ାକଡ଼ି କରାଯାଇଛି। କ୍ରେତାମାନଙ୍କୁ ସଚେତନ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ସମସ୍ତଙ୍କର ସହଯୋଗ ରହିଲେ ଏହି କାରବାରରେ ସ୍ବଚ୍ଛତା ରହିବା ସହ ଆଗକୁ କେହି ଠକାମିର ଶିକାର ହେବେ ନାହିଁ ବୋଲି କହିଛନ୍ତି ରେରା ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ। ଦି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆକାଉଣ୍ଟ୍ସ୍ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଚାପ୍ଟର ଓ ରେରା ମିଳିତ ସହଯୋଗରେ ସିଏମ୍ଏ ଭବନରେ ‘ରେରା ପ୍ରତି ଏକ ଅନ୍ତଃ ଦୃଷ୍ଟିପାତ-ଏହାର ସୁବିଧା ଓ ପ୍ରୟୋଗ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗେଦେଇ ସେ ଏହା କହିଥିଲେ।
ରେରା ସଦସ୍ୟ (ଆଡମିନ୍)ପ୍ରଦୀପ କୁମାର ବିଶ୍ୱାଳ, ସଦସ୍ୟ(ନ୍ୟାୟିକ) ରମାନାଥ ପଣ୍ଡା, ଆଇସିଏଆଇ ପୂର୍ବାଞ୍ଚଳ ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରାକ୍ଟିସିଂ କଷ୍ଟ ଆକାଉଣ୍ଟାଣ୍ଟ ଶିବ ପ୍ରସାଦ ପାଢ଼ୀ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଦାସ ସ୍ମରଣିକା ଉନ୍ମୋଚନ କରିଥିଲେ। ଆଇସିଏଆଇ ଭୁବନେଶ୍ୱର ଚାପ୍ଟର ଅଧ୍ୟକ୍ଷ ସାନ୍ତନୁ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ରାବଣୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ବୈଷୟିକ ଅଧିବେଶନରେ ରେରା ସଚିବ ବିଜୟ କୁମାର ପୃଷ୍ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଦେବାଶିଷ ସିଂହ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଏଜିଏ ଆଡ୍ଭୋକେଟ ବିଭୁ ପ୍ରସାଦ ତ୍ରିପାଠୀ ଓ ରେରା(ଜମିଜମା ବ୍ୟାପାର)ର ରବିନାରାୟଣ ପାଢ଼ୀ, ରିଅଲ ଇଷ୍ଟେଟ ଆକ୍ଟ-୨୦୧୬ ଉପରେ ଗୁରୁତ୍ବାରୋପ କରିଥିଲେ। ସିଏମ୍ଏ ଶକ୍ତିଧର ସିଂହ ଏହାକୁ ସଞ୍ଚାଳନ କରିଥିଲେ। ୧୫୦ରୁ ଊର୍ଦ୍ଧ୍ୱ ଓଡ଼ିଶା ରେରାର କାର୍ଯ୍ୟ ନିର୍ବାହୀ ସଭ୍ୟ, ଆପାର୍ଟମେଣ୍ଟ ଆସୋସିଏସନ ପ୍ରତିନିଧି, ବିଲଡର୍ସ ପ୍ରମୁଖ ଯୋଗ ଦେଇଥିଲେ।