ଓଏଲଏକ୍ସରେ ବିଜ୍ଞାପନ ଦେଇ ଠକେଇ ମାମଲା, ତୃପ୍ତିକୁ ବଳ ଦେଉଥିଲା କିଏ?

ଭୁବନେଶ୍ବର: ଓଏଲଏକ୍ସରେ ସେକେଣ୍ଡ ହ୍ୟାଣ୍ଡ ଚାରିଚକିଆ ଗାଡ଼ି ବିକ୍ରି ବିଜ୍ଞାପନ ଦେଇ କୋଟିକୋଟି ଟଙ୍କା ଠକେଇ କରୁଥିବା ମୋଷ୍ଟଵାଣ୍ଟେଡ୍‌ ଠକ ତୃପ୍ତି ରଞ୍ଜନ ଦାସ ଶେଷରେ ବଡ଼ଗଡ଼ ଥାନା ପୁଲିସ ହାତରେ ଧରାପଡ଼ିଛି। ଗୋଟିଏ କି ଦୁଇଟି ନୁହେଁ, ତୃପ୍ତି ନାଁରେ ରହିଛି ପୂରା ୪୬ଟି ମାମଲା। ପୂର୍ବରୁ ସେ ତିନି ଥର ଗିରଫ ମଧ୍ୟ ହୋଇଛି। କିନ୍ତୁ ଜେଲରୁ ଫେରିବା ପରେ ପୁଣି ପୁରୁଣା ଧନ୍ଦା ଚଳାଇଥିଲା। ରାଜଧାନୀରେ ଠକେଇର ଜାଲ ବିଛାଇଥିଲା। ଅଭିଯୋଗ ପରେ ଅଭିଯୋଗ ଆସୁଥିଲା। କିନ୍ତୁ ତୃପ୍ତି ଧରାପଡ଼ୁ ନ ଥିଲା କି ଅଫିସ ମଧ୍ୟ ସିଲ୍ ହେଉ ନଥିଲା। କେବଳ ଠକେଇ ନୁହେଁ; ତୃପ୍ତି ବିରୋଧରେ ଶ୍ରୀଲିଙ୍ଗରାଜ ଥାନାରେ ଗତ ଜାନୁଆରି ୧୦ ତାରିଖରେ ଏକ ଚୋରି ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହାବାଦ୍ ୨୦୧୯ରେ ବଡ଼ଗଡ଼ ଥାନାରେ ଏକ ଲୁଟ୍ ମାମଲା ମଧ୍ୟ ରହିଥିଲା। ତୃପ୍ତି ନାଁରେ ରାଜଧାନୀର ବିଭିନ୍ନ ଥାନାରେ ମାମଲା ରହିଛି। ଏକାଧିକ ଅଭିଯୋଗ ଆସିବା ପରେ ମଧ୍ୟ ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା, ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି। ତୃପ୍ତିକୁ ନ ଧରିବା ପାଇଁ ପଡ଼ୁଥିଲା କି ଚାପ? ତୃପ୍ତି ମୁଣ୍ଡରେ ଆଉ କାହାର ହାତ ରହିଛି କି? ଅଭିଯୋଗର ଦୀର୍ଘଦିନ ଧରା ନ ପଡ଼ିବା ନେଇ ଏବେ ଏଭଳି ଅନେକ ସନ୍ଦେହ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ମାମଲା ପଦାକୁ ଆସିବା ପରେ ଠକେଇ ଅଭିଯୋଗ ବଢ଼ିବାରେ ଲାଗିଛି। ଅଧିକ ଖୋଳତାଡ଼ କରିବା ଲାଗି କୋର୍ଟ ତୃପ୍ତିର ୭ ଦିନିଆ ରିମାଣ୍ଡ ମଞ୍ଜୁର କରିଛନ୍ତି। ଆସନ୍ତାକାଲିଠାରୁ ପୁଲିସ୍‌ ତାକୁ ରିମାଣ୍ଡରେ ଆଣିପାରେ। ତୃପ୍ତି ସହ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, କିଏ ସହଯୋଗ କରିଛନ୍ତି, ଠକେଇ ଟଙ୍କା କେଉଁଠି ବିନିଯୋଗ ହୋଇଛି, କେଉଁ ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ରହିଛି, ସେନେଇ ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ବିଜ୍ଞାପନ ଦେଇ ଚାରିଚକିଆ ଗାଡ଼ି ବିକ୍ରି ନାଁରେ ଠକୁଥିବା ଠକକୁ ବଡ଼ଗଡ଼ ଥାନା ପୁଲିସ ଗିରଫ କରିବା ସହ ୯ଟି ବୋଲେରୋ ଓ ଗୋଟିଏ କାର୍‌ ଜବତ କରିଥିଲା।

ସମ୍ବନ୍ଧିତ ଖବର