ଟ୍ଵିଟ୍‌ ଯୋଗେ ସଫେଇ ଦେଲେ ରବିନା : ସମସ୍ତେ ମୋବାଇଲ ଧରିଥିଲେ, କଟକଣା କଥା ଜାଣି ନ ଥିଲି

ଲିଙ୍ଗରାଜ ମନ୍ଦିରରେ ବିଜ୍ଞାପନସୁଟିଂ ବିବାଦ

ଶ୍ରୀଲିଙ୍ଗରାଜ ମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା
ଅଭିଯୋଗ କଲେ ସ୍ଥାନୀୟ ଲୋକେ

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଜ୍ଞାପନ ସୁଟିଂ କରି ବିବାଦକୁ ଆସିଥିବା ଅଭିନେତ୍ରୀ ରବିନା ଟଣ୍ଡନ ଆଜି ଟ୍ଵିଟ୍‌ ଜରିଆରେ ସଫେଇ ଦେଇଛନ୍ତି। ନିଜ ଟ୍ଵିଟ୍‌ରେ ସେ ଉଲ୍ଲେଖ କରିଛନ୍ତି ଯେ, ମନ୍ଦିର ଭିତରେ ପୂଜାରୀ ଓ ଅନ୍ୟ କର୍ମଚାରୀମାନେ ମୋବାଇଲରେ ଫଟୋ ଉଠାଉଥିଲେ। ତେଣୁ ମନ୍ଦିରକୁ ମୋବାଇଲ୍‌ ନେବା ଉପରେ କଟକଣା ଥିବା ସମ୍ପର୍କରେ ସେ ଜାଣି ନଥିଲେ। ରବିନା କେବଳ ଟ୍ଵିଟ୍‌ରେ ସଫେଇ ଦେଇ ନାହାନ୍ତି ବରଂ ଏକାଧିକ ଗଣମାଧ୍ୟକ ସଂସ୍ଥାର ନ୍ୟୁଜ୍‌ କ୍ଲିପିଂକୁ ପୋଷ୍ଟ କରି ପ୍ରକୃତ ଘଟଣା କ’ଣ ବୋଲି ଜାଣିବା ପାଇଁ କହିଛନ୍ତି। ଅନ୍ୟପଟେ ଏଭଳି ଘଟଣା ପରେ ମନ୍ଦିରର ସୁରକ୍ଷାକୁ ନେଇ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି। ମନ୍ଦିରର ଐତିହ୍ୟ କୀର୍ତିରାଜିର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଲୋକେ ପୁଲିସ କମିସନରଙ୍କ ନିକଟରେ ଦାବି କରିଛନ୍ତି।

ଶ୍ରୀଲିଙ୍ଗରାଜ ମନ୍ଦିର ଭିତରକୁ ମୋବାଇଲ୍‌ ନେବା ପାଇଁ ବାରଣ ଥିଲେ ମଧ୍ୟ ଗତ ରବିବାର ରବିନା ଓ ତାଙ୍କ ସହଯୋଗୀମାନେ ମୋବାଇଲ୍‌ ନେଇ ଭିତରକୁ ନେଇଥିଲେ। ଆଉ ମନ୍ଦିର ଭିତରେ ରବିନା ବିୟୁଟି ଟିପ୍ସ୍‌ ଦେଉଥିବା ବେଳର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା। ଏହା ଭାଇରାଲ୍‌ ହେବାରୁ ଏଏସ୍‌ଆଇ ପକ୍ଷରୁ ମନ୍ଦିର ପ୍ରଶାସନକୁ ଘଟଣା ସମ୍ପର୍କରେ ତଥ୍ୟ ମାଗା ଯାଇଥିଲା। ଗତକାଲି ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଲିଙ୍ଗରାଜ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା। ମନ୍ଦିର ଭିତରକୁ କ୍ୟାମେରା ନିୟମ ନ ଥିବା ବେଳେ ରବିନା କେମିତି ମୋବାଇଲ୍‌ ନେବା ସହ ସେଠାରେ ଭିଡିଓ ରେକର୍ଡିଂ କଲେ ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା। ଏହି ଘଟଣାରେ ପୁଲିସ ରବିନାଙ୍କୁ ନୋଟିସ୍‌ କରିବ ବୋଲି କହିଥିଲା।

ଅନ୍ୟପକ୍ଷରେ ସିଂହଦ୍ଵାର ପାଖରେ ମାଳମାଳ ପୁଲିସ ରହିଥିଲେ ମନ୍ଦିର ଭିତରକୁ ମୋବାଇଲ୍‌ ଯିବା ପରେ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ସନ୍ଦେହ ପ୍ରକାଶ ପାଇଛି। ସାଧାରଣ ଭକ୍ତଙ୍କ ମୋବାଇଲ୍‌ ବାରଣ ହେଉଥିବା ବେଳେ କିଛି ସେବାୟତ, ଭିଆଇପି ଭକ୍ତ ଏପରିକି ସୁରକ୍ଷା କର୍ମୀ ମୋବାଇଲ୍‌ ନେଇ ଭିତରକୁ କିପରି ଯାଉଛନ୍ତି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି। ଏ ନେଇ ଆଜି କାମ୍ର ଜନଜାରଣ ମଞ୍ଚ ପକ୍ଷରୁ ପୁଲିସ କମିସନରଙ୍କ ନିକଟରେ ଅଭିଯୋଗ କରାଯାଇଛି। ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି ଯେ, ମନ୍ଦିରର ସୁରକ୍ଷା ପାଇଁ ପୁଲିସ ବ୍ୟବସ୍ଥା ଥାଇ ମଧ୍ୟ ମନ୍ଦିରର ବିଭିନ୍ନ ଦୃଶ୍ୟ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ମନ୍ଦିର ସିଂହଦ୍ଵାରଠାରେ ଲାଗିଥିବା ମେଟାଲ ଡିଟେକ୍ଟର୍‌ କାର୍ଯ୍ୟ କରୁନାହିଁ। ମନ୍ଦିରକୁ ପ୍ରତିଦିନ ଶହ ଶହ ଦର୍ଶନାର୍ଥୀ ଆସୁଥିଲେ ହେଁ ମନ୍ଦିରର ସିଂହଦ୍ଵାର ବ୍ୟତୀତ ଅନ୍ୟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କୋହଳ ରହିଛି। ମନ୍ଦିର ପରିସରରେ ଜଣେ ହାବିଲଦାର, ୬ଜଣ କନେଷ୍ଟବଳ, ୧୦ ଜଣ ହୋମଗାର୍ଡ ବ୍ୟତୀତ ଗୋଟିଏ ପ୍ଲାଟୁନ ଫୋର୍ସ ଡ୍ୟୁଟି କରୁଥିବା କୁହାଯାଉଥିଲେ ହେଁ, ପ୍ରକୃତରେ ମନ୍ଦିର ଭିତରେ କେବଳ ଦୁଇ ଜଣ ହୋମଗାର୍ଡ ଡ୍ୟୁଟି କରୁଛନ୍ତି। ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଦୁଇଟି ମୋର୍ଚା ରହିବା, ଚାରିପଟେ ୪ଟି ଓ୍ଵାଚ୍‌ ଟାଓ୍ଵାର ଲାଗିବା, ଟେମ୍ପୁଲ ପୁଲିସ୍‌ ନିଯୁକ୍ତି ହେବା ଆଦି ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରସ୍ତାବ ରହିଥିଲେ ମଧ୍ୟ ପାଦେ ଆଗେଇ ପାରୁନାହିଁ।

ସମ୍ବନ୍ଧିତ ଖବର