ଆଦ୍ୟାଶା ଭୁବନେଶ୍ବର ଟପର୍‌, ସମ୍ମାନ ରଖିଲା ବିଜେବି

ଯୁକ୍ତ୨ ବିଜ୍ଞାନରେ ରାଜଧାନୀ ବିଜ୍ଞାନ, କଳା ଓ ବାଣିଜ୍ୟ କଲେଜର ସଫଳତା

ଭୁବନେଶ୍ବର: ମାଟ୍ରିକ୍‌ ପରେ ଛାତ୍ରଛାତ୍ରୀଙ୍କ ସ୍ବପ୍ନ ଥାଏ ରାଜଧାନୀରେ ରହି ପଢ଼ିବେ। ବିଜ୍ଞାନ ହେଉ କି ବାଣିଜ୍ୟ। ନାମକରା କଲେଜରେ ସିଟ୍‌ ଗୋଟିଏ ମିଳିଗଲେ ଚିନ୍ତା ଗଲା। ପିଲା ସହରରେ ରହିଥିବାରୁ ଭଲ ପଢ଼ୁଥିବ ବୋଲି ବାପା, ମା’ ଭାବି ନେଇଥାନ୍ତି। ତେବେ ଅଭିଭାବକଙ୍କ ଆଶାକୁ ପିଲାମା‌ନେ କିଭଳି ପୂରଣ କରନ୍ତି ତାହା ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଜଣାପଡ଼େ। ଯେମିତି କି ଆଜି ପ୍ରକାଶିତ ଯୁକ୍ତ୨ ବାଣିଜ୍ୟ ବିଭାଗ ପରୀକ୍ଷା ଫଳରେ ଦେଖିବାକୁ ମିଳିଛି। ଭୁବନେଶ୍ବରର ଦୁଇ ଡଜନରୁ ଅଧିକ କଲେଜରେ ବାଣିଜ୍ୟ ବିଭାଗରେ ଶିକ୍ଷା ଦିଆଯାଉଛି। ହେଲେ ବିଜେବି ଯୁକ୍ତ୨ କଲେଜକୁ ଛାଡ଼ି ଆଉ କୌଣସି ବି କଲେଜର ଛାତ୍ରଛାତ୍ରୀ ୯୦% ନମ୍ବର ରଖିବାକୁ ସକ୍ଷମ ହୋଇ ନାହାନ୍ତି। ବିଜ୍ଞାନରେ ବିଜେବି ଓ ବେସିକ୍‌ ସାଇନ୍ସ କଲେଜର ଛାତ୍ରଛାତ୍ରୀ ୯୦% ମାର୍କ ରଖିଥିବା ୧୩୭ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ‌ତେବେ ବାଣିଜ୍ୟରେ ବିଜେବି ଜୁନିୟର କଲେଜ ବ୍ୟତୀତ ଆଉ କୌଣସି ଗୋଟିଏ ବି କଲେଜର ଛାତ୍ରଛାତ୍ରୀ ସ୍ଥାନ ପାଇ ନାହାନ୍ତି। ୯୦%ରୁ ଅଧିକ ନମ୍ବର ରଖିଥିବା ୪୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜେବିର ଦୁଇ ଜଣ ଛାତ୍ରୀ ରହିଛନ୍ତି। ଛାତ୍ରୀ ଆଦ୍ୟାଶା ନନ୍ଦିନୀ ୬ଷ୍ଠ ସ୍ଥାନରେ ଥିବା ବେଳେ ଭଗବତୀ ବେହେରା ୩୬ତମ ସ୍ଥାନରେ ରହି ଶିକ୍ଷା ହବ୍‌ ଭୁବନେଶ୍ବରର ସମ୍ମାନ ବଞ୍ଚାଇଛନ୍ତି।

ରମାଦେବୀ ମହିଳା ଜୁନିଅର କଲେଜ, କମଳା ନେହେରୁ ଯୁକ୍ତ୨ କଲେଜ, ରାଜଧାନୀ ଯୁକ୍ତ୨ କ‌ଲେଜ, ମହର୍ଷି ଯୁକ୍ତ୨ କଲେଜ, ଦେବରାୟ କଲେଜର କୌଣସି ଛାତ୍ରଛାତ୍ରୀ ଶ୍ରେଷ୍ଠ ୪୦ ଜଣଙ୍କ ମଧ୍ୟରେ ନାହାନ୍ତି। ଯେତେ‌ବେଳେ କି ନାମଲେଖା ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀ ଏହି କଲେଜଗୁଡ଼ିକୁ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରିଥାନ୍ତି। ତେବେ ସ୍କୁଲ ଛାଡ଼ି କଲେଜକୁ ଆସିବା ପରେ କ’ଣ ହୁଏ କେଜାଣି ‌ପିଲାମାନେ ଆଉ ଆଗଭଳି ପଢ଼ନ୍ତି ନାହିଁ। ପରିଣାମ ସ୍ବରୂପ ଖରାପ ରେଜଲ୍ଟ କରିଥାନ୍ତି। କେବଳ ଯେ ଭୁବନେଶ୍ବର ସହର ନୁହେଁ, ଖୋର୍ଧା ଜିଲ୍ଲାରେ ବି ଏଥର ଭଲ ରେଜଲ୍ଟ କରି ନ ଥିବା ଦେଖିବାକୁ ମିଳିଛି। ୨୦୧୯ରେ ପାସ୍‌ହାରରେ ଶୀର୍ଷରେ ରହିଥିବା ଖୋର୍ଧା ଜିଲ୍ଲା ଏଥର ପଛରେ ପଡ଼ିଛି। ଖୋର୍ଧା ଜିଲ୍ଲାର ପାସ୍‌ହାର ୮୭.୫୫% ହୋଇଛି। ଶିକ୍ଷାର ହବ୍‌ ବୋଲି କୁହାଯାଉଥିବା ଖୋର୍ଧା ଜିଲ୍ଲାରେ ସର୍ବାଧିକ ୧୦୧୧ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ, ୫୯୮ ଜଣ ଦ୍ବିତୀୟ ଓ ୭୧୫ ଜଣ ତୃତୀୟ ଶ୍ରେଣୀରେ ରହି କୃତକାର୍ଯ୍ୟ ହୋଇଛନ୍ତି। ୯୦%ରୁ ଅଧିକ ମାର୍କ ରଖିବା ‌କ୍ଷେତ୍ରରେ ବି ବିଜେବି ବ୍ୟତୀତ ଖୋର୍ଧା ଜିଲ୍ଲାର ଆଉ କୌଣସି କଲେଜର ଛାତ୍ରଛାତ୍ରୀ ନ ଥିବା ଦେଖିବାକୁ ମିଳିଛି।

ଭୁବନେଶ୍ବର: ମଞ୍ଚେଶ୍ୱରସ୍ଥିତ ରାଜଧାନୀ ବିଜ୍ଞାନ, କଳା ଓ ବାଣିଜ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କଲେଜ) ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳରେ ଅଦ୍ଭୁତ ପୂର୍ବ ସଫଳତା ହାସଲ କରିଛି। କଲେଜର ପାସ୍‌ହାର ୯୫.୧୭% ରହିଛି। ଯୁକ୍ତ୨ ବିଜ୍ଞାନରେ ପରୀକ୍ଷା ଦେଇଥିବା ୧୨୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୫ ଜଣ ପ୍ରଥମ, ୪୩ ଜଣ ଦ୍ବିତୀୟ ଓ ୯ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନୁଷ୍ଠାନର ଛାତ୍ର ଦେବଜ୍ୟୋତି ରାଉତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୁଧୀର ଦାଶ, ସିଦ୍ଧାନ୍ତ ମଲ୍ଲିକ, ବିରଞ୍ଚି ନାରାୟଣ ପାଣିଗ୍ରାହୀ, ଅନିମେଶ ନାୟକ ୮୦ରୁ ୯୦% ମଧ୍ୟରେ ନମ୍ବର ରଖି ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି। ସେହିପରି ୭୦ରୁ ୭୯% ମଧ୍ୟରେ ୧୧ ଜଣ, ୬୦ରୁ ୬୯% ମଧ୍ୟରେ ୪୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ରାଜଧାନୀ ଗ୍ରୁପ୍ ଅଫ୍‌ ଇନ୍‌ଷ୍ଟିଟ୍ୟୁଟ୍‌ର ସମ୍ପାଦକ ଏସ୍ ସି ପଣ୍ଡା, ନିର୍ଦ୍ଦେଶକ ଜିଏସ୍ ସୁଷମା ପଣ୍ଡା, ଅଧ୍ୟକ୍ଷା ଉଷାରାଣୀ ଦାସ ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇବା ସହ ଛାତ୍ରଛାତ୍ରୀଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି।

ଭୁବନେଶ୍ବରସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜରେ ପାଠ ପଢ଼ୁଥିବା ଭଗବତୀ ବେହେରା ୫୪୨ ମାର୍କ ରଖିଛନ୍ତି। ବାପାଙ୍କୁ ଆଦର୍ଶ ଭାବେ ଆଖି ଆଗରେ ରଖି ତାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ସେ ପିଲାଟି ବେଳୁ ପ୍ରତିଜ୍ଞା କରିଛନ୍ତି। ପରିବାରର ଆର୍ଥିକ ଦୁରବସ୍ଥା ଯୋଗୁଁ ଭଗବତୀଙ୍କ ବାପା ରମେଶ ଚନ୍ଦ୍ର ବେହେରା କଷ୍ଟିଂ କୋର୍ସ କରିଥିଲେ ସୁଦ୍ଧା ଏହାକୁ ପୂରା କରିପାରିନଥିଲେ। ସେଥିପାଇଁ ଭଗବତୀ କଷ୍ଟିଂ କରି ଚାଟାର୍ଡ ଆକାଉଣ୍ଟାଣ୍ଟ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି। ସେ ତାଙ୍କ ସଫଳତାର ଶ୍ରେୟ ନିଜ କଲେଜର ସାର୍ ମାଡାମ୍ ଓ କୋଚିଂ ସେଣ୍ଟରକୁ ଦେଇଛନ୍ତି।

ସମ୍ବନ୍ଧିତ ଖବର