ଭୁବନେଶ୍ୱର : ରାଜଧାନୀର ୩ଟି ହସ୍ପିଟାଲରେ ଆଜି ଆଟୋମିକ ଏନର୍ଜି ରେଗୁଲୋଟୋରି ବୋର୍ଡ ବା ଏଇଆରବି ପକ୍ଷରୁ ବଡ଼ ଧରଣର ଚଢ଼ଉ କରାଯାଇଛି। ଚଢ଼ଉବେଳେ ଅନିୟମିତତାର ସନ୍ଧାନ ମିଳିବାରୁ ବେଆଇନ ଭାବେ ଚାଲୁଥିବା ମେସିନ୍‌ଗୁଡ଼ିକୁ ସିଲ୍‌ କରି ଦିଆଯାଇଛି।

Advertisment

ବିବେକାନନ୍ଦ ଓ ନୀଳଚଳ ହସ୍ପିଟାଲକୁ ତାଗିଦ କରାଯାଇଥିବା ବେଳେ ନିଦାନ ଡାଏଗ୍ନୋଷ୍ଟିକ୍‌ର ୨ଟି ମେସିନ୍‌କୁ ସିଲ୍‌ କରି ଦିଆଯାଇଛି। ଏହାସହ ବେଆଇନ ଭାବେ ଚାଲୁଥିବା ଅନ୍ୟ ମେସିନ୍‌ ପାଇଁ ହସ୍ପିଟାଲ କର୍ତୃପକ୍ଷଙ୍କୁ ତାଗିଦ କରାଯାଇଛି। କେବଳ ରାଜଧାନୀ ନୁହେଁ, ଆଗାମୀ ଦିନରେ କଟକରେ ମଧ୍ୟ ଚଢ଼ଉ କରାଯିବ। ଯେଉଁ ହସ୍ପିଟାଲ ଓ କ୍ଲିନିକ୍‌ଗୁଡ଼ିକ ବେଆଇନଭାବେ ରେଡିଏସନ୍‌ ମେସିନ୍‌ ବ୍ୟବହାର କରୁଛନ୍ତି ସେମାନଙ୍କ ମେସିନ୍‌କୁ ସିଲ କରାଯିବ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରୁ ୨ଜଣିଆ ଟିମ୍‌ ଆଜି ଦ୍ୱିପ୍ରହରରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ସାଇଣ୍ଟିଫିକ୍‌ ଅଫିସର(ଇ) ଆରତୀ କୁଲକର୍ଣ୍ଣିଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଥିଲା। ପ୍ରଥମେ ଏହି ଟିମ୍‌ ବିବେକାନନ୍ଦ ହସ୍ପିଟାଲରେ ପହଞ୍ଚିଥିଲେ। ଯେଉଁ ମେସିନ୍‌ଗୁଡ଼ିକରେ ରେଡିଏସନ୍‌ ବା ବିକିରଣ ବ୍ୟବହୃତ ହେଉଛି ସେଗୁଡ଼ିକର ଯାଞ୍ଚ କରାଯାଇଥିଲା। ବିବେକାନନ୍ଦ ହସ୍ପିଟାଲରେ ନିକଟରେ ଏକ ନୂତନ ମେସିନ୍‌ ଆସିଥିବାରୁ ସେମାନଙ୍କୁ ୩ମାସର ସମୟ ଦିଆଯାଇଛି। ତେବେ ଅନ୍ୟ କେତେକ ତ୍ରୁଟି ସେମାନଙ୍କୁ ମୌଖିକ ଭାବେ ତାଗିଦ କରାଯାଇଥିବା ଜଣାପଡ଼ିଛି।

ପରେ ଏହି ଟିମ୍‌ ନୀଳଚଳ ହସ୍ପିଟାଲରେ ପହଞ୍ଚିଥିଲା। ସେଠାରେ ବିକିରଣ ଜନିତ ମେସିନ୍‌ର ଠିକ୍‌ ରହିଥିଲେ ହେଁ ଅନ୍ୟାନ୍ୟ ତ୍ରୁଟି ପାଇଁ ହସ୍ପିଟାଲ କର୍ତୃପକ୍ଷଙ୍କୁ ତାଗିଦ୍‌ କରାଯାଇଥିଲା। ପରେ ଏହି ଟିମ୍‌ ନିଦାନ ଡାଏଗ୍ନୋଷ୍ଟିକ୍‌ ସେଣ୍ଟରରେ ପହଞ୍ଚିଥିଲେ। ଏହି ସେଣ୍ଟରରେ ଥିବା ମାମୋଗ୍ରାଫି ମେସିନ୍‌ ଓ ଓପିଜି ମେସିନ୍‌ର ପଞ୍ଜୀକରଣ ନ ଥିବା ଜଣାପଡ଼ିଥିଲା। ଏହାସହ ଗୋଟିଏ ଗୃହରେ ୨ଟି ୟୁନିଟ୍‌ କାର୍ଯ୍ୟ କରୁଥିବା ଜାଣିବା ପରେ ଟିମ୍‌ ଏହି ଦୁଇଟି ମେସିନ୍‌କୁ ସିଲ କରି ଦେଇଥିଲା। ଏହାସହ ସିଟି-ସ୍କାନ୍‌ ମେସିନ୍‌ ଓ ଏକ୍ସ-ରେ ମେସିନ୍‌ ପାଇଁ ସେଣ୍ଟରର କର୍ତୃପକ୍ଷଙ୍କୁ ତାଗିଦ କରାଯାଇଛି।

ଚଢ଼ଉ ଟିମ୍‌ର ସଦସ୍ୟ ଡା.ରାଜୀବ ଲୋଚନ ସା’ଙ୍କ କହିବାନୁଯାୟୀ, ବିକିରଣ ନେଇ ହସ୍ପିଟାଲଗୁଡ଼ିକରେ ବ୍ୟବହୃତ ମେସିନ୍‌ଗୁଡ଼ିକର ଲାଇସେନ୍‌ସ ଏଇଆରବି ପକ୍ଷରୁ ପ୍ରଦାନ କରାଯାଇଥାଏ। ତେଣୁ ଯେପରି ସାଧାରଣ ଲୋକ, ରୋଗୀ, ପରିବେଶ ଓ ଅପରେଟରଙ୍କୁ ବିକିରଣ ଜନିତ ସମସ୍ୟା ନ ଉପୁଜେ ସେଥିପାଇଁ ଏଭଳି ଚଢ଼ଉ କରାଯିବ। ଯେଉଁ ହସ୍ପିଟାଲଗୁଡ଼ିକ ଏହାର ଉଲ୍ଲଂଘନ କରୁଥିବା ଜଣାପଡ଼ିବ ସେଗୁଡ଼ିକ ସିଲ୍‌ କରି ଦିଆଯିବ। ଭୁବନେଶ୍ୱର ଓ କଟକରେ ଥିବା ହସ୍ପିଟାଲରେ ଚଢ଼ଉ କରାଯିବ ବୋଲି ଶ୍ରୀ ସା’ ସୂଚନା ଦେଇଛନ୍ତି।