ଏଇଆର୍‌ବି ପକ୍ଷରୁ ଚତୁର୍ଥ ଦିନରେ ଯାଞ୍ଚ ଜାରି

ଚଢ଼ଉ ପୂର୍ବରୁ ଡାଏଗ୍ନୋଷ୍ଟିକ୍‌ ସେଣ୍ଟର୍‌ରେ ତାଲା

ଭୁବନେଶ୍ୱର : ଆଟୋମିକ୍‌ ଏନର୍ଜି ରେଗୁଲେଟୋରି ବୋର୍ଡ ବା ଏଇଆର୍‌ବି ପକ୍ଷରୁ ରାଜଧାନୀରେ ଚତୁର୍ଥ ଦିନରେ ମଧ୍ୟ ଯାଞ୍ଚ ଜାରି ରହିଛି। ତେବେ ଗତ ୩ଦିନ ଧରି ରାଜଧାନୀରେ ଚଢ଼ଉ ଜାରି ରହିଥିବାରୁ ଆଜି ଅନେକ ଡାଏଗ୍ନୋଷ୍ଟିକ୍‌ ସେଣ୍ଟର୍‌ ଜାଣିଶୁଣି ନିଜର ଅଫିସରେ ତାଲା ପକାଇ ଦେଇଥିଲେ। ଯାଞ୍ଚ କରିବାକୁ ଯାଇଥିବା ଅଧିକାରୀ ବୁଲି ବୁଲି ହତାସ ହୋଇ ଫେରି ଆସିଥିବା ଜଣାପଡ଼ିଛି। ତେବେ ଗୋଟିଏ ଡାଏଗ୍ନୋଷ୍ଟିକ୍‌ ସେଣ୍ଟର୍‌ରେ ଚଢ଼ଉ କରି ଗୋଟିଏ ଏକ୍ସ-ରେ ମେସିନ୍‌କୁ ସିଲ କରିଛନ୍ତି।

ଇଏଆର୍‌ବିର ସାଇଣ୍ଟିଫିକ୍‌ ଅଧିକାରୀ ରାଜୀବ ଲୋଚନ ସାଙ୍କ ସୂଚନା ଅନୁଯାୟୀ, ଆଜି ଫରେଷ୍ଟ ପାର୍କ ଅଞ୍ଚଳରେ ଥିବା ଭୁବନେଶ୍ୱର ଡାଏଗ୍ନୋଷ୍ଟିକ୍‌ରେ ଯାଞ୍ଚ କରାଯାଇଥିଲା। ସେଠାରେ ଥିବା ଗୋଟିଏ ଏକ୍ସ-ରେ ମେସିନ୍‌କୁ ସିଲ୍‌ କରାଯାଇଛି। ସେହିପରି କ୍ୟାପିଟାଲ ହସ୍ପିଟାଲ ପଛ ପାଖ ଓ ଧଉଳି ନିକଟରେ ଥିବା ଡାଏଗ୍ନୋଷ୍ଟିକ୍‌ ସେଣ୍ଟରଗୁଡ଼ିକରେ ଯାଞ୍ଚ କରିବାକୁ ନିଷ୍ପତ୍ତି ହୋଇଥିଲା। ଗତ ୩ଦିନ ଧରି ଯାଞ୍ଚ ଜାରି ରହିଥିବାରୁ ସେମାନେ ସେଣ୍ଟର୍‌ରେ ତାଲା ପକାଇ ଦେଇଥିଲେ। ତେଣୁ ଆଜି ଭୁବନେଶ୍ୱରରେ ଯାଞ୍ଚ ଶେଷ ହୋଇଥିବା ଶ୍ରୀ ସା ସୂଚନା ଦେଇଛନ୍ତି। ଯାଞ୍ଚ ଦଳରେ ଡା.ଆରତୀ କୁଲକର୍ଣ୍ଣୀ ଓ ଅନିର୍ବାଣ ଗୁଇଁ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର