କଟକ : ବିଧାୟକଙ୍କ ପାଇଁ ବହୁତଳ ଅଟ୍ଟାଳିକା ନିର୍ମାଣ ଲାଗି ଭୁବନେଶ୍ବର ୟୁନିଟ୍‌-୪ରେ କଟା ଯାଉଥିବା ମୂଲ୍ୟବାନ୍‌ ଓ ପୁରୁଣା ଗଛର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଏକ କମିଟି ଗଠନ କରାଯାଇଛି। ଇତିମଧ୍ୟରେ ଏହି ବିଶେଷଜ୍ଞ କମିଟିର ଦୁଇଥର ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ରିପୋର୍ଟ ଏପର୍ଯ୍ୟନ୍ତ ଦାଖଲ ହୋଇନାହିଁ। ପୂର୍ବ ନିର୍ଦ୍ଦେଶ ଅନୁସାରେ ହାଇକୋର୍ଟରେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଦାଖଲ ସତ୍ୟପାଠରେ ଏଭଳି ତଥ୍ୟ ଉଲ୍ଲେଖ କରାଯିବା ସହିତ ଦୁଇ ମାସ ସମୟ ଲୋଡ଼ା ଯାଇଛି।

Advertisment

ସାଧାରଣ ପ୍ରଶାସନ ବିଭାଗ ‌ଇଷ୍ଟେଟ୍‌ ଉପନିର୍ଦ୍ଦେଶକଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ହାଇକୋର୍ଟଙ୍କ ୨୦୨୨, ସେପ୍ଟେମ୍ବର ୭ର ନିର୍ଦ୍ଦେଶ ପରେ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ସେପ୍ଟେମ୍ବର ୧୪ ଓ ୧୯ ତାରିଖ ଚିଠି ଅନୁସାରେ ଏହି ପ୍ରକଳ୍ପ ପାଇଁ କଟା ଯାଉଥିବା ଗଛର ମୂଲ୍ୟ ନିର୍ଦ୍ଧାରଣ ପାଇଁ ସିଟି ଫରେଷ୍ଟ ଡିଭିଜନ୍‌ ଡିଏଫ୍‌ଓଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ୍ କର୍ପୋ‌ରେସନ୍‌ ଭୁବନେଶ୍ବର ଇନଫ୍ରା ଡିଭିଜନ୍‌ର ସାଧାରଣ ପରିଚାଳକ, ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ପ୍ରତିନିଧି, ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ପ୍ରତିନିଧି, ଓଏଫ୍‌ଡିସି ଭୁବନେଶ୍ବର ଡିଭିଜନ ଡିଭିଜିନାଲ ମ୍ୟାନେଜର, ବିଡିଏ ଓ ବିଏମସିର ହର୍ଟିକଲଚରିଷ୍ଟ, ରିଜିଓନାଲ ସେଣ୍ଟର ଫର ଡେଭଲପମେଣ୍ଟ କୋଅପରେସନ୍, ଆମ ଅଧିକାର ଚିଫ ଫଙ୍କସନାରି ପ୍ରମୁଖଙ୍କୁ ସଦସ୍ୟ ଭାବେ ନିଆଯାଇଛି।

ଇତିମଧ୍ୟରେ ଏହି ବିଶେଷଜ୍ଞ କମିଟିର ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୩୧ରେ ଦୁଇ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇ ସାରିଛି। ଏ ପର୍ଯ୍ୟନ୍ତ କମିଟି ରିପୋର୍ଟ ଦାଖଲ କରିନାହିଁ। ଏକ ଯୁକ୍ତିଯୁକ୍ତ ସିଦ୍ଧାନ୍ତରେ ପହଞ୍ଚିବା ପରେ ଶୀଘ୍ର କମିଟି ଏହାର ରିପୋର୍ଟ ଦାଖଲ କରିବ ବୋଲି ଆଶା କରାଯାଉଛି। କମିଟି ବୈଠକ ଦୁଇଥର ହୋଇ ସାରିଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ପାଇଁ ଦୁଇ ମାସ ସମୟ ଆବଶ୍ୟକ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଏଥିସହ ବିଧାୟକଙ୍କ ଅଟ୍ଟାଳିକା ନିର୍ମାଣ ପାଇଁ ଗଛ କାଟିବା ସଂପର୍କିତ ଅନୁମତି ଦେବା ବେଳେ ଡିଏଫଓ କିଛି ନିର୍ଦ୍ଦିଷ୍ଟ ଗାଇଡଲାଇନ୍‌ ପାଳନ କରିଥିଲେ ବା ନାହିଁ, ସେ ନେଇ ଜବାବ ରଖିବାକୁ ସେପ୍ଟେମ୍ବର ୭ରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶର ଉ‌ତ୍ତରରେ ଉଲ୍ଲେଖ କରାଯାଇଛି ଯେ ଏହି ପ୍ରସଙ୍ଗ ୨୦୧୭, ସେପ୍ଟେମ୍ବର ୧୫ର ବିଜ୍ଞପ୍ତି ଦ୍ବାରା ପରିଚାଳିତ। ଓଡ଼ିଶା ଟିମ୍ବର ଆଣ୍ଡ ଅଦର ଫରେଷ୍ଟ ପ୍ରଡୁସ୍ ଟ୍ରାଞ୍ଜିଟ ସଂଶୋଧିତ ନିୟମାବଳୀ, ୨୦୧୭ର ନିୟମ (୭(୮) ଅନୁସାରେ ଡିଏଫଓ ନିର୍ଦ୍ଧାରିତ ମାନଦଣ୍ଡ ପାଳନ କରି ଗଛ କାଟିବା ପାଇଁ ଅନୁମତି ଦେଇପାରିବେ। ଡିଏଫଓ ନିୟମାବଳୀ ପାଳନ କରି ଗଛ କାଟିବା ପାଇଁ ଅନୁମତି ଦେଇଥିବାରୁ ଏଥିରେ କୌଣସି ଅନିୟମିତତା ହୋଇ ନାହିଁ ବୋଲି ଜବାବରେ ସ୍ପଷ୍ଟ କରାଯାଇଛି।

ଅନ୍ୟପକ୍ଷରେ ସାଧାରଣ ପ୍ରଶାସନ ବିଭାଗ ଗତ ଜୁନ୍‌୨୪ରେ ମାମଲାରେ ଦେଇଥିବା ସତ୍ୟପାଠ ଉପରେ ଆବେଦନକାରୀ ଦାଖଲ କରିଥିବା ପ୍ରତିଜବାବରେ ଦର୍ଶାଯାଇଛି ‌ଯେ ଏହି ପ୍ରକଳ୍ପ ଆରମ୍ଭ ପୂର୍ବରୁ ପ୍ରଥମେ ୩୫୦ ଗଛ କଟାଯିବା ବେଳେ କୌଣସି ଅନୁମତି ନଥିଲା। ଗଛ କାଟିବା ପୂର୍ବରୁ କେନ୍ଦ୍ର ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅନୁମତି ଆବଶ୍ୟକ ଥିଲା। ପରିବେଶର କେତେ ପରିମାଣର କ୍ଷତି ହୋଇଛି ସେ ନେଇ ‌କୌଣସି ଆକଳନ କରାଯାଇନାହିଁ। ଏଥିସହ ଏହି ପ୍ରକଳ୍ପ ପାଇଁ ୮୭୦ ଗଛ କାଟିବାକୁ ନିଷ୍ପତ୍ତି ହୋଇଥିବା ବେଳେ କେତେକ ପୁରୁଣା ଗଛକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପାରିବ। କିନ୍ତୁ ପୁରୁଣା ଗଛ ସ୍ଥାନାନ୍ତର ପ୍ରସଙ୍ଗରେ କିଛି ବି ନିଷ୍ପତ୍ତି ନିଆଯାଉନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଜୟନ୍ତୀ ଦାସଙ୍କ ଆବେଦନର ୨୦୨୩, ଫେବ୍ରୁଆରି ୨୩କୁ ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ରାଜ୍ୟ ସରକାର କମିଟି ରିପୋର୍ଟ ଉପସ୍ଥାପନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି।