ଦିଲ୍ଲୀରେ ଆଫଗାନ ଶରଣାର୍ଥୀଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ : ଆଫଗାନିସ୍ତାନ ସଙ୍କଟ ଦିନକୁ ଦିନ ବଢ଼ୁଥିବା ବେଳେ ଦିଲ୍ଲୀ ୟୁଏନ୍‌ଏଚ୍‌ସିଆର ଅଫିସ୍‌ ଆଗରେ ଆଜି ଆଫଗାନ୍‌ ଶରଣାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବଞ୍ଚିବା ପାଇଁ ଉତ୍ତମ ସୁଯୋଗ ଦେବାକୁ ସେମାନେ ଜାତିସଂଘ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି। ଦିଲ୍ଲୀ ଏବଂ ଆଖପାଖ ସହରରୁ ଶହ ଶହ ସଂଖ୍ୟାରେ ବିକ୍ଷୋଭକାରୀ ଆଜି ବସନ୍ତ ବିହାର ସ୍ଥିତ ଜାତିସଂଘ ଶରଣାର୍ଥୀ ହାଇକମିସନରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ‘ଆମେ ଭବିଷ୍ୟତ ଚାହୁ’, ‘ଆମେ ନ୍ୟାୟ ଚାହୁ’ ସ୍ଲୋଗାନ୍‌ ଦେଇଛନ୍ତି। ଆଫଗାନ୍‌ ସଲିଡାରିଟି କମିଟି (ଏଏସ୍‌ସି) ଦ୍ବାରା ଏହି ଆନ୍ଦୋଳନ ହୋଇଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି। ଲାଜପତ ନଗର, ନଏଡ଼ା, ଗ୍ରେଟର ନଏଡା, ଫରିଦାବାଦ ଏବଂ ଅନ୍ୟ ସ୍ଥାନରୁ ଆନ୍ଦୋଳନକାରୀମାନେ ୟୁଏନ୍‌ଏଚସିଆର୍‌ ଅଫିସ ଆଗରେ ବିକ୍ଷୋଭ ଜାରି ରଖିଛନ୍ତି। ଭାରତରେ ଏବେ ପ୍ରାୟ ୨୧ ହଜାର ଆଫଗାନ ଶରଣାର୍ଥୀ ଅଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ୭ ହଜା ରଲୋକଙ୍କ ନିକଟରେ ଆବଶ୍ୟକ କାଗଜପତ୍ର ରହିଛି। ଆଫଗାନିସ୍ତାନରେ ଜୀବନ ଆଦୌ ସହଜ ନାହିଁ କି ସୁଯୋଗ ବି ନାହିଁ। ତେଣୁ ଆମକୁ ଅନ୍ୟ ରାଷ୍ଟ୍ରରେ ଭଲରେ ବଞ୍ଚିବାର ସୁଯୋଗ ମିଳୁ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର