୧୦ ବର୍ଷ ପରେ ମା’କୁ ମିଳିଲା ପୁଅ

ଖଣ୍ଡଗିରି: ୧୦ ବର୍ଷ ତଳେ ହଠାତ୍‌ ନିଖୋଜ ହୋଇଯାଇଥିଲା ପାଣ୍ଡବ। ନବ ବିବାହିତା ପତ୍ନୀ ପରପୁରୁଷର ହାତ ଧରି ଚାଲିଗଲା ପରେ ପାଣ୍ଡବ ପାଇଁ ଦୁନିଆଟା ପାଲଟି ଯାଇଥିଲା ଏକ ଜଉଘର। ମାନସିକ ଭାରସାମ୍ୟ ହରାଇ ବସିଥିବା ପାଣ୍ଡବ ଦିନେ କାହାକୁ କିଛିି ନ କହି ଘର ଛାଡ଼ିଦେଇଥିଲା। ମା ରଙ୍ଗବତୀ ବହୁ ଖୋଜାଖୋଜି କଲେ, କିନ୍ତୁ ପାଣ୍ଡବର ପତ୍ତା ପାଇ ନଥିଲେ। ମୋତ୍ର ମା’ର ମମତା ପୁଣି ପାଣ୍ଡବକୁ ଫେରାଇ ଆଣିଲା ମା କୋଳକୁ। ଗତକାଲି ତମାଣ୍ଡୋରେ ଘଟିଥିବା ଏଭଳି ଏକ ମା’ପୁଅଙ୍କ ପୁର୍ନମିଳନର ଦୃଶ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଗଞ୍ଜାମ ଜିଲ୍ଲା ବୋଇରାଣୀ ଥାନା ପାଇକଯମୁନା ଗାଁର ନାଲୁ ଭୋଳଙ୍କ ଭେଣ୍ଡିଆ ପୁଅ ପାଣ୍ଡବ। ଗରିବ ନାଲୁଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ପୁଅ। ପୁଅକୁ ବାହା ଦେବା ପରେ ନାଲୁ ଓ ତାଙ୍କ ସ୍ତ୍ରୀ ରଙ୍ଗବତୀ ବହୁ ସ୍ୱପ୍ନ ଦେଖିଥିଲେ। ମାତ୍ର ଦିନ କେଇଟା ପରେ ନୂଆବୋହୁଟା ପରପୁରୁଷର ହାତ ଧରି କେଉଁଆଡ଼େ ଚାଲିଗଲା। ପାଣ୍ଡବ ପାଗଳ ପ୍ରାୟ ହୋଇଗଲା। ହଠାତ୍‌ ଦିନେ ପାଣ୍ଡବ ନିଖୋଜ ହୋଇଗଲା। ନାଲୁ ଓ ରଙ୍ଗବତୀ ପାଣ୍ଡବକୁ ବହୁ ଖୋଜିଲେ, କିନ୍ତୁ କିଛି ଲାଭ ହେଲାନାହିଁ। ରୋଜଗାରିଆ ପୁଅ ଘର ଛାଡ଼ିବା ପରେ ବିଚରା ନାଲୁ ଓ ରଙ୍ଗବତୀ ପେଟ ପାଇଁ ଭିଟାମାଟି ଛାଡ଼ି ସୁରତ ଯିବାକୁ ବାଧ୍ୟ ହେଲେ। ଦିନେ ରଙ୍ଗବତୀ ଖବର ପାଇଲେ ପାଣ୍ଡବ ତମାଣ୍ଡୋରେ ରହୁଛି। ଗାଁର କେହି ଜଣେ ତାଙ୍କୁ ଏହି ଖବର ଦେଇଥିଲେ। ଖବର ପାଇବା ପରେ ରଙ୍ଗବତୀ ସୁରତରୁ ଏକାକୀ ଧାଇଁ ଆସିଥିଲେ ତମାଣ୍ଡୋ। କିନ୍ତୁ ସେତେବେଳକୁ ଠିକଣା ସ୍ଥାନରେ ନଥିଲା ପାଣ୍ଡବ। କିଛି ଦିନ ପୂର୍ବରୁ ତମାଣ୍ଡୋ ଛାଡ଼ି ପାଣ୍ଡବ ପିପିଲିରେ କାମ କରୁଥିଲେ। ତେବେ ପାଣ୍ଡବର ପୁରୁଣା ମାଲିକ ମହେନ୍ଦ୍ର ସ୍ୱାଇଁଙ୍କ ସହଯୋଗରେ ମା ରଙ୍ଗବତୀ ପିପିଲିରୁ ଗତକାଲି ପାଣ୍ଡବକୁ ପାଇଥିଲେ। ମହେନ୍ଦ୍ର ସେମାନଙ୍କୁ ପ୍ରଥମେ ତମାଣ୍ଡୋ ଫେରାଇ ଆଣିବା ପରେ ନିଜ ଘରକୁ ପଠାଇବା ବ୍ୟବସ୍ଥା କରିଥିଲେ।

ସମ୍ବନ୍ଧିତ ଖବର