ଭୁବନେଶ୍ବର: ୧୧ ମାସ ପରେ ଆସନ୍ତାକାଲି (ମଙ୍ଗଳବାର) କ୍ୟାପିଟାଲ ହସ୍ପିଟାଲ୍ରେ ରୋଗୀ କଲ୍ୟାଣ ସମିତି ସାଧାରଣ (ଆର୍କେଏସ୍) ବୈଠକ ଆୟୋଜିତ ହେବ। ଏନେଇ ହସ୍ପିଟାଲ୍ ପକ୍ଷରୁ ସମସ୍ତ ପ୍ରକାରର ଆୟୋଜନ ସରିଛି। ଏହା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୩ଟି କାର୍ଯ୍ୟନିର୍ବାହୀ ବୈଠକ ହୋଇଛି। କିନ୍ତୁ ଗତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ସାଧାରଣ ବୈଠକର ଅଧିକାଂଶ ନିଷ୍ପତ୍ତି ଏବେବି ସରିନାହିଁ। ଫଳରେ କାଲିର ବୈଠକରେ ଏହାକୁ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି।
ଗତ ବୈଠକର ନିଷ୍ପତ୍ତି ଏଯାଏ କାର୍ଯ୍ୟକାରୀ ହୋଇନି
ବିଏମ୍ସି ହସ୍ପିଟାଲ୍
ଭୁବନେଶ୍ୱର: ପୁରୁଣା ଭୁବନେଶ୍ବରସ୍ଥିତ ବିଏମ୍ସି ହସ୍ପିଟାଲରେ ଆଜି ରୋଗୀ କଲ୍ୟାଣ ସମିତି (ଆର୍କେଏସ୍) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏକାମ୍ର ବିଧାୟକ ବାବୁ ସିଂହ, ବିଏମ୍ସି ମେୟର ସୁଲୋଚନା ଦାସ, କର୍ପୋରେଟର୍ ତଥା ବିଏମ୍ସି ଷ୍ଟାଣ୍ଡିଂ କମିଟି(ସ୍ବାସ୍ଥ୍ୟ)ର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର, କର୍ପୋରେଟର୍ ଶିବ ବେହେରା, କର୍ପାରେଟର୍ ଚନ୍ଦ୍ରଶେଖର ମଲିଆ, ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ସିଦ୍ଧାର୍ଥ ଶଙ୍କର ରାୟଙ୍କ ସମେତ ହସ୍ପିଟାଲର କର୍ମକର୍ତ୍ତାମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏନେଇ ବିଧାୟକ ଶ୍ରୀ ସିଂହ କହିଛନ୍ତି ଯେ ବିଏମ୍ସି ହସ୍ପିଟାଲରେ ଅନେକ ସମସ୍ୟା ରହିଛି। ସେଥିମଧ୍ୟରୁ ମୁଖ୍ୟ ସମସ୍ୟା ହେଉଛି ଡାକ୍ତରଙ୍କ ଅଭାବ। ୪୧ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର ୨୦ଜଣ ଅଛନ୍ତି। ଡାକ୍ତର ଅଭାବରୁ ରୋଗୀ ଚିକିତ୍ସା ନପାଇ ଫେରୁଛନ୍ତି। ଡାକ୍ତର ପଦବି ପୂରଣ ସହିତ ଆବଶ୍ୟକ ଉପରଣ, ଭିତ୍ତିଭୂମିର ବିକାଶ ଦିଗରେ ବିଏମ୍ସି ଓ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ। ଅନ୍ୟପଟେ ବିଏମ୍ସି ହସ୍ପିଟାଲକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ନେଇ ସରକାରଙ୍କ ସହ ଆଲୋଚନା କରିବାକୁ ମେୟର ଶ୍ରୀମତୀ ଦାସ ବିଧାୟକଙ୍କୁ ନିବେଦନ କରିଥିଲେ। ସେହିପରି ଅନ୍ଲାଇନ୍ ପଞ୍ଜୀକରଣ ନିମନ୍ତେ ନିଷ୍ପତ୍ତି ହୋଇଛି। ଫଳରେ ରୋଗୀ ଆଉ ଧାଡ଼ିରେ ଛିଡ଼ା ନହୋଇ କିଓସ୍କରେ ସ୍କାନ୍ କରି ଟିକେଟ ଓ ପୁରୁଣା ପ୍ରେସ୍କ୍ରିପ୍ସନ୍ ପାଇ ପାରିବେ। ଖରା, ବର୍ଷାରୁ ରକ୍ଷା ପାଇବା ପାଇଁ ଫାଟକ ନିକଟରେ ରୋଗୀଙ୍କ ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯିବା ସହିତ ନୂଆ କୋଠା ଉପରେ ଆଉ ଏକ ଅପରେସନ ଥିଏଟର୍ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି।
ଏହି ଅବସରରେ ହସ୍ପିଟାଲରେ ନୂଆ ଅଲଟ୍ରାସାଉଣ୍ଡ ମେସିନ୍ର ଉଦ୍ଘାଟନ କରାଯାଇଥିଲା। ବର୍ତ୍ତମାନ ଆରତି ନାୟକଙ୍କୁ ଅଲଟ୍ରାସାଉଣ୍ଡ ପରିଚାଳନା ଅନୁମତି ମିଳିଥିଲା ବେଳେ କିଛି ଦିନ ଭିତରେ ସତ୍ୟବ୍ରତ ପଣ୍ଡା ଓ ଡା. ମନୋରଞ୍ଜନ ମଲ୍ଲିକଙ୍କୁ ଅନୁମତି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଏନେଇ ହସ୍ପିଟାଲ ମୁଖ୍ୟ ଶ୍ରୀ ରାୟ କହିଛନ୍ତି, ଏହି ମେସିନ୍ କେବଳ ପ୍ରସୂତିଙ୍କ ପାଇଁ ବ୍ୟବହାର କରାଯିବ। ଯେଉଁମାନେ ବାହାରୁ ଆସିବେ ସେମାନଙ୍କୁ ଏହି ସେବା ମିଳିବ ନାହିଁ। ସେହିପରି କୁକୁର କାମୁଡ଼ା ଇଞ୍ଜେକ୍ସନ ଦିଆଯିବା ଆରମ୍ଭ ହୋଇଛି। ୩ ଦିନ ଭିତରେ ୩୮ଜଣ କୁକୁର କାମୁଡ଼ାରେ ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ୍ ଦିଆଯାଇଥିବା ସୂଚନା ମିଳିଛି।
ସୂଚନାନୁସାରେ ଗତ ସାଧରଣ ବୈଠକରେ କ୍ୟାପିଟାଲ ହସ୍ପିଟାଲ୍ର ସମସ୍ତ ବିଭାଗକୁ କାଗଜବିହୀନ କରାଯିବା ସହିତ, ହସ୍ପିଟାଲ ପ୍ରାଙ୍ଗଣରେ ଟ୍ରମା କେୟାର, ଫୁଡ କୋର୍ଟ, ପାର୍କିଂ, ବିଶ୍ରାମଗାର, ନୂଆ ପଞ୍ଜୀକରଣ କେନ୍ଦ୍ର କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ରୋଗୀଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇବା ସହିତ ହସ୍ପିଟାଲକୁ ଏକ ନମ୍ବରରେ ପରିଣତ କରିବାକୁ ସଦସ୍ୟମାନେ ଗଣମାଧ୍ୟମରେ କହିଥିଲେ। କିନ୍ତୁ ଏଯାଏଁ ଅଧିକାଂଶ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇ ପାରିନାହିଁ। ହସ୍ପିଟାଲକୁ ଆସୁଥିବା ରୋଗୀ ଏକ ତିକ୍ତ ଅନୁଭୂତି ନେଇ ଫେରୁଥିବା ଜଣାପଡ଼ିଛି। ହସ୍ପିଟାଲରେ ପ୍ରଦାନ କରାଯାଉଥିବା ସେବାର ରେଟିଂ ରୋଗୀମାନେ କରିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନଥିବା ଜଣାପଡ଼ିଛି। କେବଳ ନୂଆ ପଞ୍ଜୀକରଣକୁ ଛାଡ଼ି ଆଉ କୌଣସି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରି ନାହିଁ। ଫୁଡକୋର୍ଟ କାମ ବହୁ ଦିନରୁ ସରିଥିଲେ ମଧ୍ୟ ଏହାର ଟେଣ୍ଡର ହୋଇପାରି ନାହିଁ। କାଁ ଭାଁ ବିଭାଗକୁ ଛାଡ଼ି ଦେଲେ ଅନ୍ୟ ସବୁ ଶଯ୍ୟାକୁ ଅକ୍ସିଜେନ ପାଇପ୍ ସଂଯୋଗ ହୋଇପାରି ନାହିଁ। ପାର୍କିଂ ବ୍ୟବସ୍ଥାକୁ ସୁଧାରିବାକୁ ନୂଆ ପାର୍କିଂ କରାଯାଇଥିଲେ ମଧ୍ୟ ପ୍ରସ୍ତାବିତ ବହୁତଳ ପାର୍କିଂ କାର୍ଯ୍ୟକାରୀ ହୋଇପାରି ନାହିଁ। ଏବେବି ରୋଗୀଙ୍କ ସମ୍ପର୍କୀୟ ଖରା ବର୍ଷାରେ ବାରଣ୍ଡାରେ ଶୋଉଛନ୍ତି। ବିଶ୍ରାମାଗାର କରାଯିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଆରମ୍ଭ ହୋଇପାରି ନାହିଁ। କେବଳ କିଛି ପାଥୋଲୋଜି ବିଭାଗକୁ ଛାଡ଼ି ଅନ୍ୟ ସମସ୍ତ ବିଭାଗରେ କାଗଜ ସହାୟତାରେ ହିଁ କାମ ଚାଲିଛି। ତେଣୁ ଏଥର ମଧ୍ୟ ପୂର୍ବ ନିଷ୍ପତ୍ତିକୁ ଦୋହରା ଯିବ ବୋଲି ଜଣାପଡ଼ିଛି। ଏଠାରେ ପ୍ରକାଶଯୋଗ୍ୟ ଯେ କ୍ୟାପିଟାଲ ହସ୍ପିଟାଲ୍ରେ ଆର୍କେଏସ୍ ସାଧାରଣ ବୈଠକ ବାରମ୍ବାର ବିଭିନ୍ନ କାରଣ ପାଇଁ ସ୍ଥଗିତ ରହୁଥିଲା। ଆସନ୍ତାକାଲି ବୈଠକରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୁରୀ ସାଂସଦ ସମ୍ବିତ ପାତ୍ର, ଭୁବନେଶ୍ବରର ତିନି ବିଧାୟକ, ମେୟର, ଜିଲ୍ଲାପାଳ, ବିଏମ୍ସି କମିସନରଙ୍କ ସମେତ କ୍ୟାପିଟାଲ ହସ୍ପିଟାଲର୍ ଅଧିକାରୀ ଓ ସଦସ୍ୟମାନେ ଯୋଗ ଦେବେ ବୋଲି ଜଣାପଡ଼ିଛି।