୧୨ କିଲୋମିଟର ପିଛା କରି ଲୁଟିଲେ ୫ଲକ୍ଷ, ପୂର୍ବରୁ ଡାକ୍ତରାଣୀଙ୍କଠାରୁ ଲୁଟିଥିଲେ ୪ ଲକ୍ଷ

ବ୍ୟାଙ୍କ ପାଖରେ ବୁଲୁଛନ୍ତି ଲୁଟେରା, ପତ୍ତା ପାଉନି ପୁଲିସ

ଭୁବନେଶ୍ବର: ଖୋଲାଖୋଲି ସ୍ପଷ୍ଟ ଦିବାଲୋକରେ ଗୋଟିଏ ପରେ ଗୋଟିଏ ଲୁଟ୍ ଘଟାଇ ଚାଲିଛନ୍ତି ଲୁଟେରା। ବ୍ୟାଙ୍କ ନିକଟରେ ବୁଲୁଛନ୍ତି, ଟିକିନିଖି ଦେଖୁଛନ୍ତି। ଟଙ୍କା ଉଠାଉଥିବା ବ୍ୟକ୍ତିଙ୍କୁ ପିଛା କରି ଲୁଟୁଛନ୍ତି। କିନ୍ତୁ ଲୁଟେରାଙ୍କ ଟେର୍ ପାଉନି ପୁଲିସ। ଆଜି ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଲୁଟେରା ୫ଲକ୍ଷ ଟଙ୍କା ଲୁଟ୍ କରିବା ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ତନାଘନା ଆରମ୍ଭ କରିଥିଲେ ମଧ୍ୟ ସେମାନଙ୍କ ଟେର୍ ପାଇ ପାରିନାହିଁ। ଗୋଟିଏ ଘଟଣା ଖାରବେଳନଗର ଓ ଅନ୍ୟଟି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ହେଲେ ବି.ସି. ଡାଗରା। ତାଙ୍କ ଘର ଶୈଳଶ୍ରୀବିହାର ଅଞ୍ଚଳରେ। ଆଜି ଅପରାହ୍‌ଣ ପ୍ରାୟ ୧ଟାରେ ସେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ବ୍ୟାଙ୍କରୁ ୩ଲକ୍ଷ ଟଙ୍କା ଉଠାଇଥିଲେ। ଟଙ୍କାକୁ ଏକ ବ୍ୟାଗ୍‌ରେ ପୂରାଇ ଶୈଳଶ୍ରୀବିହାର ଯାଉଥିଲେ। ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଦ୍ରୁତଗତିରେ ଆସି ଟଙ୍କା ବ୍ୟାଗ୍ ଛଡ଼ାଇ ନନ୍ଦନକାନନ ଅଭିମୁଖେ ପଳାଇଥିଲେ। ଲକ୍ଷ୍ମୀସାଗରରୁ ଶୈଳଶ୍ରୀବିହାର ଦୂରତା ପ୍ରାୟ ୧୨ କିଲୋମିଟର ହେବ ବୋଲି ଜଣାପଡ଼ିଛି। ଦୁର୍ବୃତ୍ତମାନେ ତାଙ୍କୁ ବ୍ୟାଙ୍କ ନିକଟରୁ ପିଛା କରି ଯିବା ପରେ ଏହି ଲୁଟ୍ ଘଟାଇଛନ୍ତି। ବାଟରେ ବିଭିନ୍ନ ଜାଗାରେ ସୁଯୋଗ ଖୋଜୁଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ। ଶେଷରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୁଟ୍ କରିବାରେ ସଫଳ ହୋଇଥିଲେ। ସେହିପରି ଖାରବେଳନଗର ଅଞ୍ଚଳରୁ ମଧ୍ୟ ଦୁଇ ଦୁର୍ବୃତ୍ତ ଏକ ବାଇକରେ ଆସି ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ବ୍ୟକ୍ତି ନୂଆପଲ୍ଲୀ ଅଞ୍ଚଳର ଏକ ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ। ବ୍ୟାଗ୍‌ରେ ପୂରାଇ ବାଇକ୍‌ରେ ଆସୁଥିଲେ। ଲୁଟେରା ତାଙ୍କୁ ପିଛା କରି ଖାରବେଳନଗର ଅଞ୍ଚଳରୁ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି।

ସୂଚନାଯୋଗ୍ୟ, ଗତ ୫ ତାରିଖରେ ମହର୍ଷି କଲେଜ ରାସ୍ତାର ଏକ ଡାଇଗ୍ନୋସିସ୍ ସେଣ୍ଟର୍‌ ସାମ୍ନାରୁ ଡାକ୍ତରାଣୀ ସ୍ମିତାରାଣୀ ନାୟକଙ୍କଠାରୁ ଦୁର୍ବୃତ୍ତମାନେ ୪ ଲକ୍ଷ ଟଙ୍କା ଝାମ୍ପି ନେଇଥିଲେ। ସେ ଏକ ବ୍ୟାଙ୍କରୁ ଟଙ୍କା ଉଠାଇ ଡାଇଗ୍ନୋସିସ୍ ସେଣ୍ଟରକୁ ଯାଉଥିବା ବେଳେ ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିଲେ। ସେହିଦିନ ଶ୍ରୀୟା ଛକରେ ଥିବା ଏକ ବ୍ୟାଙ୍କରୁ ଦୁର୍ବୃତ୍ତମାନେ ୧୦ହଜାର ଟଙ୍କା ଚୋରି କରି ନେଇଥିଲେ। ଲୁଟ୍ ଘଟଣାକୁ ପୁଲିସ ଗୁରୁତ୍ବର ସହ ନେଇଥିଲେ ମଧ୍ୟ ଏଯାଏ ଜଣେ ହେଲେ ଦୁର୍ବୃତ୍ତଙ୍କ ଟେର୍ ପାଇ ପାରିନାହିଁ।

କାର୍‌ ଭିତରୁ ଝାମ୍ପିନେଲେ ମହିଳାଙ୍କ ମୋବାଇଲ ଫୋନ୍

ଭୁବନେଶ୍ବର: ଲୁଇସ୍‌ ରୋଡ୍‌ରେ ଏକ କାର ଭିତରୁ ଜଣେ ମହିଳାଙ୍କ ମୋବାଇଲ ଫୋନ୍ ଲୁଟ୍ ହୋଇଛି। ଲୁଟର ଶିକାର ମହିଳାଙ୍କ ସ୍ବାମୀ ସଞ୍ଜୟ କୁମାର ରାୟ ଏ ନେଇ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ସଞ୍ଜୟ ତାଙ୍କ ପତ୍ନୀଙ୍କ ସହ କାରରେ କଳ୍ପନା ଛକରୁ ରବି ଟକିଜ୍‌ ଯାଉଥିଲେ। ବାଟରେ ଏକ ହୋଟେଲ ନିକଟରେ ଥିବା ମେଡିସିନ୍ ଷ୍ଟୋର୍‌ ପାଖରେ ଅଟକି ଥିଲେ। ସଞ୍ଜୟ ମେଡିସିନ କିଣିବାକୁ ଯାଇଥିବା ବେଳେ ଜଣେ ଦୁର୍ବୃତ୍ତ କାର ଡୋର୍‌ ପାଖକୁ ଆସି ତାଙ୍କ ପତ୍ନୀଙ୍କ ହାତରୁ ମୋବାଇଲ ଫୋନ୍ ଛଡ଼ାଇ ଫେରାର୍‌ ହୋଇଯାଇଥିଲା।

ଲୁଟିଲେ ମହିଳାଙ୍କ ସୁନାଚେନ୍

ଭୁବନେଶ୍ବର: ଲଗାତାର ଆତଙ୍କ ଖେଳାଇ ଚାଲିଛନ୍ତି ଲୁଟେରା। ଟାର୍ଗେଟ୍‌ରେ ରହିଛନ୍ତି ମହିଳା। ପାତ୍ରପଡ଼ା ନିକଟରୁ ଆଜି ଜଣେ ମହିଳାଙ୍କ ସୁନାଚେନ୍ ଲୁଟି ନେଇଛନ୍ତି ଦୁଇ ଲୁଟେରା। ଏ ନେଇ ଭରତପୁର ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଚଳାଇଛି ପୁଲିସ। ମିଳିଥିବା ସୂଚନା ଅନୁସାରେ, ଲୁଟର ଶିକାର ହୋଇଛନ୍ତି ଶ୍ବେତାଞ୍ଜିନା ପ୍ରଧାନ। ସେ ଘରକୁ ଫେରୁଥିବା ବେଳେ ଦୁଇ ଦୁର୍ବୃତ୍ତ ଏକ ବାଇକରେ ଆସି ସୁନାଚେନ୍‌ ଲୁଟିବା ପରେ ଦ୍ରୁତଗତିରେ ଫେରାର ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର