ଭୁବନେଶ୍ବର: ଦୀର୍ଘ ୧୪ ବର୍ଷ ପରେ ଅଗ୍ନିଶମ ବିଭାଗରେ ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର ପଦବି ପାଇଁ ପଦୋନ୍ନୋତି ପରୀକ୍ଷା ହୋଇଥିଲା। ୧୭୦ ପଦବି ପାଇଁ ହାବିଲଦାର୍‌ମାନେ ପରୀକ୍ଷା ଦେଇଥିଲେ। ଦୀର୍ଘ ବର୍ଷ ପରେ ପଦୋନ୍ନତି ପରୀକ୍ଷା ହୋଇଥିବାରୁ ହାବିଲଦାରମାନେ ଖୁସିରେ ପରୀକ୍ଷା ଦେଇଥିଲେ। ମାତ୍ର ବାଧକ ସାଜିଲା ପେଟ ଓ ମୋଟାପଣ। ପେଟ ଓ ମେଦବହୁଳତା ପାଇଁ ୨୫ ଜଣ ଫେଲ୍‌ ହୋଇଗଲେ। ପେଟ ପାଇଁ ୫ଜଣ ଦୌଡ଼ି ପାରିଲେନି ଓ ମୋଟାପଣ ବା ମେଦବହୁଳତା କାରଣରୁ ୨୦ଜଣ ପହଁରି ପାରିଲେନି। ଫଳରେ ସେମାନଙ୍କ ପଦୋନ୍ନତି ଆଶା ସେମିତି ଆଶାରେ ହିଁ ରହିଗଲା। ଘଟଣାଟି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।  

Advertisment

ଗତକାଲିଠାରୁ ଭୁବନେଶ୍ବର ସପ୍ତମ ବାଟାଲିୟନ୍‌ରେ ଏଥିପାଇଁ ୩ ପର୍ଯ୍ୟାୟରେ ପରୀକ୍ଷା ହୋଇଥିଲା। ପ୍ରମୋସନ ବୋର୍ଡ ପରୀକ୍ଷା ଦାୟିତ୍ବରେ ଥିବା ଦିଲୀପ କୁମାରଙ୍କ ତଦାରଖରେ ପରୀକ୍ଷା ହେଉଥିଲା। ଲିଖିତ ପରୀକ୍ଷା ପରେ ଆଉଟ୍‌ଡୋର୍‌ ପରୀକ୍ଷା ପାଇଁ ଏଠାରେ ରାଜ୍ୟ ଅଗ୍ନିଶମ ବିଭାଗର ହାବିଲଦାରମାନେ ପହଞ୍ଚିଥିଲେ। ଦ୍ବିତୀୟ ଦିନରେ ଥିଲା ଦୌଡ଼ ଓ ପହଁରା ପରୀକ୍ଷା। ଏକ କିଲୋମିଟର ଦୌଡ଼ିବାକୁ ୯ ମିନିଟ୍‌ ଧାର୍ଯ୍ୟ କରାଯାଇଥିଲା। ସେହିଭଳି ପହଁରିବାକୁ ୧୦୦ ମିଟର ଧାର୍ଯ୍ୟ କରାଯାଇଥିଲା। ଏଥିପାଇଁ କୌଣସି ସମୟ ଲିମିଟ୍‌ ନଥିଲା। ମଜାର କଥା ହେଲା, ୯ ମିନିଟ୍‌ ଭିତରେ ଏକ କିଲୋମିଟର ଦୌଡ଼ିବାକୁ  ୫ରୁ ଅଧିକ ହାବିଲଦାର ସଫଳ ହୋଇପାରିନଥିଲେ। ଅବଶ୍ୟ କିଛି ମୋଟା ହାବିଲଦାର ଧଇଁସଇଁ ହୋଇ ବଡ଼ କଷ୍ଟେମଷ୍ଟେ ଏହି ଦୂରତାକୁ ଅତିକ୍ରମ କରିଯାଇଥିଲେ। ସେହିପରି ୨୦ ଜଣ ୧୦୦ ମିଟର ପହଁରି ପାରିନଥିଲେ। ସେମାନଙ୍କୁ ଅଧା ବାଟରୁ ଉଦ୍ଧାର କରାଯାଇଥିଲା।

ଦୌଡ଼ିପାରିଲେନି କି ପହଁରିପାରିଲେନି
ଫେଲ୍‌ ହେଲେ ୨୫ ହାବିଲଦାର

ଜଣେ ହାବିଲଦାର ପହଁରିବା ବେଳେ ଅଧିକ ଧଇଁସଇଁ ହୋଇଯିବାରୁ ତାଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲ୍‌କୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଛାଡ଼ିଦିଆଯାଇଥିଲା। ପେଟ ଓ ମୋଟାପଣ ପାଇଁ ଏହି ପଦୋନ୍ନତି ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ହାବିଲଦାରମାନେ ନିଜ ଭାଗ୍ୟକୁ ନିନ୍ଦିବା ଦେଖିବାକୁ ମିଳିଥିଲା। ପୂର୍ବରୁ ଠିକଣା ସମୟରେ ଏହି ପରୀକ୍ଷା ହୋଇଥ‌ିଲେ, ଆଜି ସେମାନଙ୍କୁ ବିଫଳତାର ମୁହଁ ଦେଖିବାକୁ ପଡ଼ି ନଥାନ୍ତା ବୋଲି ସେମାନେ ପ୍ରତିକ୍ରିୟାରେ କହିଥିଲେ। ଏହା ପୂର୍ବରୁ କିଛି ହାବିଲଦାର ଲିଖିତ ପରୀକ୍ଷାରେ ମଧ୍ୟ ଫେଲ୍‌ ହୋଇଥିବା ଜଣାପଡ଼ିଛି। କିନ୍ତୁ ଏହି ୨୫ଜଣ ଲିଖିତ ପରୀକ୍ଷାରେ ପାସ୍‌ କରିବା ପରେ ପଦୋନ୍ନତି ପାଇବେ ବୋଲି ବଡ଼ ଆଶା କରିଥିଲେ। କିନ୍ତୁ ଶେଷରେ ସେମାନଙ୍କ ସ୍ବାସ୍ଥ୍ୟ ହିଁ ସେମାନଙ୍କ ବଇରି ସାଜିଛି।

ସୂଚନାଯୋଗ୍ୟ ଯେ ଏହି ‌ପଦୋନ୍ନତି ପରୀକ୍ଷା ବିଭିନ୍ନ କାରଣରୁ ହୋଇପାରିନଥିଲା। କୋର୍ଟ କଚେରି ମାମଲା ଛନ୍ଦି ହୋଇ ବନ୍ଦ ଥିଲା। ଏବେ ଅଗ୍ନିଶମ ଡିଜିଙ୍କ ଉଦ୍ୟମରେ ଏହି ମାମଲା ସବୁ ସରିଛି ଏବଂ ପଦୋନ୍ନତି ପରୀକ୍ଷା ହୋଇଛି। ଏହି ଅବସରରେ ୧୭୦ କନେଷ୍ଟବଳ ପଦୋନ୍ନତି ପାଇ ହାବିଲଦାର ହୋଇଛନ୍ତି।