୧୬ ଦିନ ପରେ ଦୁବାଇରୁ ଫେରିଲା ଓଡ଼ିଆଙ୍କ ମରଶରୀର

ବାବା ତମେ ଚାଲିଗଲ, ମୋ ପାଇଁ କିଏ ବହି କିଣିଦେବ?

ଭୁବନେଶ୍ବର: ବାବା ତମେ ତ ଚାଲିଗଲ। ଆମେ କେମିତି ରହିବୁ? ମୋ ପାଇଁ ବହି କିଏ କିଣିଦବ? ବାପାଙ୍କର ମୃତ୍ୟୁ ଖବର ପରେ ଏମିତି ବାହୁନି କାନ୍ଦୁଥିଲା କୁନି ପୁଅଟିଏ। ଶେଷଥର ପାଇଁ ପୁଅ ସହ ଫୋନ୍‌ର କଥା ହେଇଥିବା ବୁଢ଼ୀ ମା’ ବି ଝୁରୁଥିଲା ପୁଅ କହିଥିବା ଶେଷକଥା, ‘ମା’ ତୁ ଖାଇଲୁଣି ନା ନାହିଁ?’। ଦିନେ କି ଦୁଇ ଦିନ ନୁହେଁ, ୧୬ ଦିନ ତଳେ ଦୁବାଇରେ ପୁଅର ମରିବା ଖବର ଶୁଣିଥିଲେ ହେଁ ପୁଅର ମଲାମୁହଁ ଯେ ଶେଷଥର ପାଇଁ ଦେଖିପାରିବେ, ସେ ଆଶା ନଥିଲା। ଶେଷରେ ୧୬ ଦିନ ପରେ ଦୁବାଇରେ ଏକ କମ୍ପାନିରେ ଶ୍ରମିକ ଭାବେ କାର୍ଯ୍ୟରତ ବଳରାମ ପ୍ରଧାନ (୩୬)ଙ୍କ ମୃତଦେହ ଓଡ଼ିଶା ଫେରିଲା। ମା’ଟିଏ ତା’ ପୁଅର ମଲା ମୁହଁ ଦେଖିବା ପାଇଁ ଆକୁଳ ନିବେଦନ କରିବା ପରେ ସେଇ ମା’ଙ୍କର ଅଭିଳାଷ ପୂରଣ କରିବା ପାଇଁ ଆଗେଇ ଆସିଥିଲେ ଅଭିନେତା ସବ୍ୟସାଚୀ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟସ୍ଥିତ ଖୋଜାପଲ୍ଲୀ ଗାଁ’ର ବଳରାମ ପ୍ରଧାନ ଦେଢ଼ ବର୍ଷ ହେବ ଦୁବାଇର ଏକ କମ୍ପାନିରେ ଶ୍ରମିକ ଭାବେ କାମ କରୁଥିଲେ। ମାତ୍ର ଗତ ଜୁନ୍‌ ୨୯ ତାରିଖ ସନ୍ଧ୍ୟାରେ ନିଜ ପରିବାର ସହ କଥା ହେବା ପରେ ରାତି ୧୨ଟା ବେଳକୁ ବଳରାମଙ୍କ ଘରେ ଖବର ପହଞ୍ଚିଲା, ବଳରାମ ଆଉ ନାହାନ୍ତି। ଏହା ଶୁଣିବା ପରେ ତାଙ୍କ ପରିବାରରେ କାନ୍ଦ ବୋବାଳି ପଡ଼ିଗଲା। କିନ୍ତୁ ମରଶରୀରକୁ ଫେରାଇ ଆଣିବା ପାଇଁ ତାଙ୍କ ପରିବାର ପାଖେ ନା ଅର୍ଥ ଥିଲା ନା ପ୍ରଶାସନର ଠିକ୍‌ ସମୟରେ ସହଯୋଗ ମିଳିଲା। ସବ୍ୟସାଚୀ ଏହା ଜାଣିବା ପରେ ବଳରାମଙ୍କ ଭାଇ ଗଣେଶଙ୍କ ସହ‌ ଯୋଗାଯୋଗ କରି ସବୁ କିଛି ପଚାରି ବୁଝିଲେ। ତାଙ୍କ ମା’ଙ୍କ ମୁହଁରେ ପୁଅକୁ ଫେରାଇ ଆଣିବାର ଆକୁଳ ନିବେଦନ ଶୁଣି ସେ ବଳରାମଙ୍କୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଲେ। ଏଥିପାଇଁ ତାଙ୍କୁ କମ୍‌ କସରତ କରିବାକୁ ପଡ଼ି ନାହିଁ। ବିଦେଶରୁ ସିଧାସଳଖ ମୃତଶରୀର ଅନ୍ତର୍ଜାତୀୟ ଏୟାରପୋର୍ଟ ପର୍ଯ୍ୟନ୍ତ ଫେରାଇ ଆଣିବାର କୌଣସି ନିୟମ ନଥିବାରୁ ଏଥିପାଇଁ ସେ ଦୁବାଇର କନ୍‌ସୋଲେଟ୍‌ ଜେନେରାଲ୍‌ ଅଫ୍ ଇଣ୍ଡିଆ ଓ ଦୁବାଇ ପୁଲିସ୍‌ଙ୍କୁ ଯୋଗାଯୋଗ କଲେ। ଏଣେ ପୁଲିସ୍‌ ପ୍ରଶାସକ ଅନୁପ ସାହୁଙ୍କ ମାଧ୍ୟମରେ ଏୟାରପୋର୍ଟର କଷ୍ଟମ ଇନ୍ସପେକ୍ଟର୍‌ ମାଲ୍ୟଦୀପ ଘୋଷ, ଏୟାରପୋର୍ଟ ଥାନା ଆଇଆଇସି ଉମାକାନ୍ତ ପ୍ରଧାନଙ୍କୁ ଯୋଗାଯୋଗ କଲେ। ଏୟାର ଇଣ୍ଡିଆ ଭୁବନେଶ୍ବରର ବରିଷ୍ଠ ପ୍ରବନ୍ଧକ ଜିତେନ୍ଦ୍ର ଦାସଙ୍କୁ ଏକ ମେଲ୍‌ କରାଯିବା ପରେ ମାନବିକତା ଦୃଷ୍ଟିକୋଣରୁ ଏହି ମରଶରୀର ଫେରାଇ ଆଣିବା ପାଇଁ ବାଟ ଖୋଲିଲା। ଶେଷରେ ସମସ୍ତ ବ୍ୟବସ୍ଥା ସହ ଦୁବାଇ ପୁଲିସ ମରଶରୀରକୁ ପଠାଇଲା। ଦୁବାଇ ଓଡ଼ିଆ ସମାଜ ପକ୍ଷରୁ ଡ. ଚନ୍ଦ୍ରଶେଖର ଖୁଣ୍ଟିଆ ଓ ତାଙ୍କ ସହଯୋଗୀମାନେ ଏକ ଚାର୍ଟର ଫ୍ଲାଇଟ୍‌ର ବ୍ୟବସ୍ଥା କରିଥିବାରୁ ଏହା ଟିକେ ସହଜ କରିଦେଲା।

ଶେଷରେ ୧୫ ତାରିଖ ବୁଧବାର ରାତିରେ ଆସି ମରଶରୀର ପହଞ୍ଚିଥିଲା। ଏକ ଆମ୍ବୁଲାନ୍‌ସର ବ୍ୟବସ୍ଥା କରି ସବ୍ୟସାଚୀ ତାଙ୍କ ଘରକୁ ମରଶରୀର ପଠାଇଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବଳରାମଙ୍କ ପତ୍ନୀ ତାଙ୍କ ଦୁଇ ପୁଅର ପଢ଼ା ନେଇ ଚିନ୍ତା ବ୍ୟକ୍ତ କରିଥିବାରୁ ଦୁଇ ପିଲାଙ୍କ ପଢ଼ା ଖର୍ଚ୍ଚ ବହନ କରିବା ପାଇଁ ମଧ୍ୟ ସବ୍ୟସାଚୀ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଯେଉଁ କମ୍ପାନିରେ ବଳରାମ କାମ କରୁଥିଲେ, ସେଠାରୁ କିପରି ତାଙ୍କ ପରିବାରକୁ ଆର୍ଥିକ ସହାୟତା ମିଳିବ, ସବ୍ୟସାଚୀ ସେ ସମ୍ପର୍କରେ ମଧ୍ୟ ଦୁବାଇର ସମ୍ପୃକ୍ତ କମ୍ପାନି ସହ କଥା ହୋଇଛନ୍ତି। ସବ୍ୟଙ୍କ ଏହି ଉଦ୍ୟମ ପରେ ବଳରାମଙ୍କ ମା’ ତାଙ୍କୁ କହିଛନ୍ତି, ମୋ’ର ଗୋଟେ ପୁଅ ସିନା ଚାଲିଗଲା, କିନ୍ତୁ ତୁ ଆଜିଠୁ ମୋ’ର ଆଉ ଗୋଟେ ପୁଅ ହେଇଗଲୁ।

ସମ୍ବନ୍ଧିତ ଖବର