ଭୁବନେଶ୍ବର: ଚଳିତ ବର୍ଷ ମାର୍ଚ୍ଚ ୨୨ ତାରିଖରେ ଶିଶୁଭବନ ଛକରେ ଆତ୍ମହତ୍ୟା ଉଦ୍ୟମ କରି ହଇଚଇ ସୃଷ୍ଟି କରିଥିବା ବାଲେଶ୍ବର ନୀଳଗିରିର ଟୁଲୁ ପାତ୍ର ଆଜି ପୁଣି ଲୋୟର୍‌ ପିଏମ୍‌ଜିରେ ହାଇଡ୍ରାମା କରିଛି। ବିଧାନସଭା ସମ୍ମୁଖ ଧାରଣାସ୍ଥଳରେ ଏକ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିବା ବେଳେ କମିସନରେଟ୍‌ ପୁଲିସ ଓ ଅଗ୍ନିଶମ ବାହିନୀ ତାକୁ ଉଦ୍ଧାର କରିଛନ୍ତି। ତାକୁ ଏବେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି ଏବଂ ପୁଲିସ ଜଗି ରହିଛି। ସୁସ୍ଥ ହେବା ପରେ ପୁଲିସ ତାକୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି। କୌଣସି ଗୁରୁତ୍ବପୂର୍ଣ୍ଣ ଅଭିଯୋଗ ନଥାଇ ସେ ରାଜଧାନୀକୁ ଆସି ବାରମ୍ବାର ଏଭଳି କାଣ୍ଡ କରୁଥିବାରୁ ତା’ର ମାନସିକ ବିକୃତି ଥିବା ଅନୁମାନ କରାଯାଉଛି।

Advertisment

ସୂଚନାନୁସାରେ ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ଟୁଲୁ ମହାତ୍ମାଗାନ୍ଧୀ ମାର୍ଗସ୍ଥିତ ଧାରଣାସ୍ଥଳରେ ଥିବା ଏକ ଗଛରେ ଚଢ଼ି ଯାଇଥିଲା। ହାତରେ ଏକ ଗାମୁଛା ଧରିଥିଲା। ଏକ ଡାଳରେ ବସି ସେ ଚିତ୍କାର କରିଥିଲା। ଆତ୍ମହତ୍ୟା କରିବ ବୋଲି ବଡ଼ପାଟିରେ କହିଥିଲା। ଉପସ୍ଥିତ ଲୋକେ ତାକୁ ବୁଝାସୁଝା କରିଥିଲେ ଏବଂ କ’ଣ ପାଇଁ ଏଭଳି ପଦକ୍ଷେପ ନେଉଛନ୍ତି ବୋଲି ପଚାରିଥିଲେ। ଏକ ନିଉଜ୍‌ ଚ୍ୟାନେଲ୍‌ ତା’ ବିରୋଧରେ ମିଛ ଖବର ପ୍ରସାରଣ କରିଥିବା‌ରୁ ସେ ଗାଁରେ ମୁହଁ ଟେକି ବାଟ ଚାଲିପାରୁ ନାହାନ୍ତି। ତେଣୁ ଆତ୍ମହତ୍ୟା କରିବା ଛଡ଼ା ତା ପାଖରେ ଆଉ କିଛି ବାଟ ନାହିଁ ବୋଲି ସେ କହିଥିଲା। ତେବେ ଉକ୍ତ ନିଉଜ୍‌ ଚ୍ୟାନେଲ୍‌ ନାଁ କ’ଣ ଓ ସେ କେଉଁ ମିଛ ଖବର ପ୍ରସାରଣ କରିଛି ବୋଲି ପଚାରିବାରୁ ସେ କିଛି କହନଥିଲା। ଧାରଣାସ୍ଥଳରେ ଥିବା ଲୋକମାନେ ତାକୁ ପ୍ରାୟ ଘଣ୍ଟାଏ କାଳ ବୁଝାସୁଝ‌ା କରିବା ଭିତରେ କ୍ୟାପିଟାଲ ଥାନା ପୁଲିସ ସେଠାରେ ପହଞ୍ଚିଥିଲା। ପରେପରେ ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚିଥିଲା। ତଳୁ ଥାଇ ପୁଲିସ ତାକୁ ବହୁ ବୁଝାଇଲା। ଅଭିଯୋଗ କ’ଣ ଅଛି ଲିଖିତ ଭାବେ ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଥିଲା। ତଥାପି ଟୁଲୁ ନଛୋଡ଼ବନ୍ଧା। ବେକରେ ଗାମୁଛା ବାନ୍ଧି ଓହଳି ପଡ଼ିବ ବୋଲି ଧମକ ଦେଇଚାଳିଲା। ବୁଝାସୁଝା କରି ତାକୁ ଉଦ୍ଧାର କରିବା ସମ୍ଭବ ନୁହେଁ ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀ ଅପରେସନ୍ ଆରମ୍ଭ କରିଥିଲା। ତଳେ କିଛି କର୍ମଚାରୀ ଜାଲ ଧରି ଠିଆ ହେବା ବେଳେ କିଛି କର୍ମଚାରୀ ଗଛରେ ଚଢ଼ିଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀ ଗଛରେ ଚଢ଼ିବା ଦେଖି ଟୁଲୁ ଅଧିକ ଡରାଇଲା। ଡେଇଁ ପଡ଼ିବ, ବେକରେ ଗାମୁଛା ବାନ୍ଧି ଡାଳରେ ଝୁଲିପଡ଼ିବ ବୋଲି ଚିତ୍କାର କଲା। କିନ୍ତୁ ସେ କିଛି କରିବା ପୂର୍ବରୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଚତୁରତାର ସହ ତା’ ନିକଟରେ ପହଞ୍ଚି ତାକୁ କାବୁ କରିଥିଲେ।

କ୍ୟାପିଟାଲ ଥାନା ପୁଲିସ ସୂଚନା ମୁତାବକ ଟୁଲୁ ଗତ ଥର ଡ୍ରାଇଭର ମହାସଂଘ ବିରୋଧରେ କହି ଶିଶୁଭବନ ଛକରେ ଏକ ହୋର୍ଡିଂ ଉପ‌ରୁ ତଳକୁ ଡେଇଁ ଆତ୍ମହତ୍ୟା କରିବ ବୋଲି ହାଇଡ୍ରାମା କରିଥିଲା। ଏଥର ପୁଣି ସେମିତି ନାଟକ କରିଛି। ତା’ର କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ନାହିଁ। ସେ ନିଶା ସେବନ କରି ଏଭଳି କରୁଛି କି ନାହିଁ ପରୀକ୍ଷା ପରେ ଜଣାପଡ଼ିବ। ଏଥର ତା’ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।