ତିନି ବର୍ଷ ପରେ… ଅଡ଼ୁଆ କରିବ ଡ୍ରେନ୍, ଡେଙ୍ଗୁ, ସ୍ୱାସ୍ଥ୍ୟକେନ୍ଦ୍ର

ପୌର ନିର୍ବାଚନ ବିଗୁଲ୍ ବାଜି ସାରିଛି। ସରକାରୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ନେତା ଓ ଜନତା ବି ପ୍ରସ୍ତୁତ। କେବଳ ଅପେକ୍ଷା ତାରିଖ ଘୋଷଣାକୁ। ଭୁବନେଶ୍ବର ମହାନଗର ନିଗମରେ ରାଜନୈତିକ ପରିବେଶ ଏବେ ଚଳଚଞ୍ଚଳ। ଦୀର୍ଘ ୩ ବର୍ଷ ପରେ ନିର୍ବାଚନ ହେଉଥିବାରୁ ସବୁ ମହଲରେ ଉତ୍ସୁକତା। ପ୍ରତି ୱାର୍ଡର ଗଳିକନ୍ଦି, ଛକ ବଜାର ସବୁଠି ନିର୍ବାଚନୀ ତାତି। ସାଧାରଣ ଜନତା ଆଶାୟୀଙ୍କ ଦମ୍ ପରଖୁଛନ୍ତି- ନିଜ ଅଞ୍ଚଳର ସମସ୍ୟା ସମାଧାନ ପାଇଁ କେଉଁ ପ୍ରାର୍ଥୀ କେତେଦୂର ସକ୍ଷମ ହେବେ? ଚିରାଚରିତ ଭାବେ ସମସ୍ୟା ତା’ ବାଟରେ ରହିଯିବନି ତ? ପ୍ରତିଶ୍ରୁତି ଓ ସମାଧାନ ଭିତରେ ବଡ଼ ବ୍ୟବଧାନ ରହିଯିବ କି? ଏପଟେ ଆଶାୟୀଙ୍କ ରଣନୀତି ପ୍ରସ୍ତୁତ ଚାଲିଛି। ବିଭିନ୍ନ ରାଜନୈତି ଦଳର ବଡ଼ପଣ୍ଡାମାନଙ୍କ ପାଖରେ ଟିକେଟ୍ ଆଶାୟୀଙ୍କ ଲବି ଆରମ୍ଭ ହୋଇଛି। ନିର୍ବାଚନ ଯେତିକି ପାଖେଇ ଆସୁଛି, ଆଶାୟୀଙ୍କ ହୃଦ୍‌ସ୍ପନ୍ଦନ ସେତିକି ବଢ଼ୁଛି। ରାଜଧାନୀର ବିଭିନ୍ନ ୱାର୍ଡର ମୌଳିକ ସମସ୍ୟା ଓ ରାଜନୀତିକୁ ନେଇ ଆମର ଏହି ସ୍ବତନ୍ତ୍ର ଉପସ୍ଥାପନା…

ୱାର୍ଡ ନଂ୭: ୱାର୍ଡ ପରିସୀମା ଶୈଳଶ୍ରୀବିହାର ଏଚଆଇଜି ଡୁପ୍ଲେକ୍ସ କ୍ୱାଟର୍ସ, ହାଉସିଂ ସ୍କିମ୍ କ୍ୱାଟର, ଶୈଳଶ୍ରୀବିହାର ଏଲସି କ୍ୱାଟର୍ସ, ଶୈଳଶ୍ରୀବିହାର ଭିଆଇଏମ ଅଞ୍ଚଳ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଶୈଳଶ୍ରୀ ବିହାର ଜିଏ ପ୍ଲଟ ଅଞ୍ଚଳ, କନ୍ୟାଶ୍ରମ ଅଞ୍ଚଳ, ନିଳାଦ୍ରିବିହାର ଏନକ୍ଲେଭ

ଚନ୍ଦ୍ରଶେଖରପୁର: ବର୍ଷା ଦିନ ଆସିଲେ ମାଡ଼ି ଆସେ ଡେଙ୍ଗୁ ଭୟ। କିଛି ବର୍ଷ ହେଲା ଏମିତି ଆତଙ୍କ ସୃଷ୍ଟି କରୁଛି ଡେଙ୍ଗୁ। ଡ୍ରେନ୍‌ ପରିଚାଳନାରେ ଅବ୍ୟବସ୍ଥା ଓ ରାସ୍ତାଘାଟ ସଫେଇରେ ଅନିୟମିତତା କାରଣରୁ ରାଜଧାନୀର ଶୈଳଶ୍ରୀ ବିହାର ଅଞ୍ଚଳରେ ଡେଙ୍ଗୁ ମାତୁଛି। ବର୍ଷର ଅନ୍ୟ ସମୟରେ ବି ମଶାଙ୍କ ଉତ୍ପାତ ମଧ୍ୟ କିଛି କମ୍ ନୁହେଁ। ମଶାଙ୍କ ପ୍ରାଦୁର୍ଭାବ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ନିୟମିତ ଅଳିଆ ଆବର୍ଜନା ସଫା ହେଉ ନଥିବାରୁ ମଶା ବଂଶ ବୃଦ୍ଧି ପାଉଛି। ଏହା ହେଉଛି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ୭ ନମ୍ବର ୱାର୍ଡର ନିତିଦିନିଆ ସମସ୍ୟା। ସ୍ୱାସ୍ଥ୍ୟ କେନ୍ଦ୍ର ବି ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଯାହାକି ଆଗାମୀ ପୌର ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ହେବାକୁ ଯାଉଛି। କର୍ପୋରେଟର୍‌ ପ୍ର‌ାର୍ଥୀ ହେବାକୁ ଥିବା ଆଶାୟୀମାନେ ମଧ୍ୟ ଏସବୁ ସମସ୍ୟାକୁ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇବାକୁ ସଜବାଜ ହେଲେଣି।

ବିଗତ ତିନିଥର ନିର୍ବାଚନକୁ ଦେଖିଲେ ବିଜେଡି କବଜାରେ ଏହି ୱାର୍ଡ ରହିଥିଲା। ପ୍ରଥମ କର୍ପୋରେଟର୍ ଥିଲେ ବିଜେଡିର ଯମୁନା ହୋ। ପରବର୍ତୀ ସମୟରେ ମନୋରଞ୍ଜନ ବେହେରା କର୍ପୋରେଟର୍ ହୋଇଥିଲେ। ସେତେବେଳେ ବର୍ତ୍ତମାନର ୪ଟି ୱାର୍ଡକୁ ମିଶାଇ ଗୋଟିଏ ୱାର୍ଡ ଥିଲା। ୨୦୧୪ରେ ବିଜେଡି ପାର୍ଥୀ ସ୍ବର୍ଣ୍ଣଲତା ରାୟ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କୁ ୧୨ ଶହରୁ ଅଧିକ ଭୋଟରେ ହରାଇଥିଲେ। ଚଳିତ ବର୍ଷ ଏହି ଆସନଟି ଅଣସଂରକ୍ଷିତ ରହିଥିବାରୁ ସ୍ବର୍ଣ୍ଣଲତା ବିଜେଡି କର୍ପୋରେଟର୍‌ ପାର୍ଥୀ ହେବାକୁ ଆଶା ରଖିଛନ୍ତି। ନ ହେଲେ ତାଙ୍କ ସ୍ବାମୀ ସୁଶାନ୍ତ ରାୟ ଏଠାରୁ ପ୍ରାର୍ଥୀ ହେବା ନେଇ ଆଲୋଚନା ହେଉଛି। ସେହିପରି ସମାଜସେବୀ ସୁଶୀଲ ପଣ୍ଡା ମଧ୍ୟ ବିଜେଡିରୁ ପାର୍ଥୀ ହେବାକୁ ଲବି କରୁଥିବା ନେଇ ଚର୍ଚ୍ଚା ଜୋରଦାର ଚର୍ଚ୍ଚା ହେଉଛି। ବିଜେଡିର ପ୍ରମୁଖ ବିରୋଧୀ ଭାବେ ବିଜେପି ଉଭା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ବିଜେପିରୁ ଚିତ୍ତରଂଜନ ବାରିକ ଓ ନିର୍ମଳ ପଣ୍ଡାଙ୍କ ନାଁକୁ ନେଇ ଦଳରେ ଜୋରଦାର ଚର୍ଚ୍ଚା ଚାଲିଛି। ବିଜେଡି ଟିକେଟ ଆଶାୟୀ ଥିବା ଆଉ କିଛି ଜଣ ଯଦି ନିରାଶ ହୁଅନ୍ତି, ତେବେ ସ୍ୱାଧୀନ ଭାବେ ଲଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି।

ଗତବର୍ଷ କରୋନା ସଂକ୍ରମଣ ସମୟରେ ୱାର୍ଡରେ ମାଡ଼ି ଚାଲିଥିଲା ଡେଙ୍ଗୁ। କରୋନା ସାଙ୍ଗକୁ ଡେଙ୍ଗୁ ମୃତ୍ୟୁ ଏଠାକାର ବାସିନ୍ଦାଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ସଫେଇ ଓ ସଚେତନତା ଅଭାବରୁ ଡେଙ୍ଗୁ ବ୍ୟାପିଥିଲା ବୋଲି କୁହାଯାଇଥିଲା। ବିଶେଷକରି ଡ୍ରେନ୍‌ ଭଲ ଭାବେ ସଫା ହେଉନଥିବା ବେଳେ ଜାମ୍‌ ରହୁଥିବାରୁ ମଶା ବଂଶ ବୃଦ୍ଧି କରିବାକୁ ଅନୁକୂଳ ପରିବେଶ ମିଳିଥିଲା। ତେଣୁ ଆଗକୁ ଏହି ଅଞ୍ଚଳକୁ ଡେଙ୍ଗୁ ମୁକ୍ତ କରିବାକୁ ସ୍ବତନ୍ତ୍ର ଯୋଜନାର ଆବଶ୍ୟକତା ରହିଛି। ଏଥିପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କ କାର୍ଯ୍ୟଦକ୍ଷତା ଜରୁରୀ। ସେମିତି ଲୋକକୁ ଭୋଟ୍ ଦେବେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏହି ଅଞ୍ଚଳରେ ୧୧ ହଜାରରୁ ଅଧିକ ଭୋଟର ରହୁଛନ୍ତି। ୱାର୍ଡର ବିକାଶ ନେଇ ପୂର୍ବତନ କର୍ପୋରେଟର୍‌ ସ୍ବର୍ଣ୍ଣଲତା ରାୟଙ୍କ କହିବା କଥା ହେଉଛି ପୂର୍ବରୁ ଏଠାରେ ଡ୍ରେନ୍‌ ଓ ରାସ୍ତା ସମସ୍ୟା ମୁଖ୍ୟ ଥିଲା। କିନ୍ତୁ ତାଙ୍କ କାର୍ଯ୍ୟକାଳ ଭିତରେ ସେ ବହୁ ସମସ୍ୟା ସମାଧାନ କରିଛନ୍ତି। ପୁରୁଣା ଡ୍ରେନ୍‌ଗୁଡ଼ିକରେ ସ୍ଲାବ୍ ପକାଇବା କାମ କରାଇଛନ୍ତି। ଅନେକ ନୂଆ ଡ୍ରେନ୍ ମଧ୍ୟ କରାଯାଇଛି। ବିଭିନ୍ନ କଲୋନି ଓ ବସ୍ତିରେ ରାସ୍ତା ମରାମତି ଓ ନୂଆ ରାସ୍ତା କରାଯାଇଛି। ରାସ୍ତାରେ ଆଲୋକୀକରଣ ହୋଇଛି। ୫ଟି ପାର୍କ କରାଯାଇଛି। ବରିଷ୍ଠ ନାଗରିକଙ୍କ ପାଇଁ ଜିମ୍‌ ଓ କ୍ଲବ୍‌ ହୋଇଛି। ଯୋଗ୍ୟ ବସ୍ତିବାସିନ୍ଦାଙ୍କୁ ରାସନ୍ ଓ ସାମାଜିକ କଲ୍ୟାଣ ଭତ୍ତା ଯୋଗାଇ ଦିଆଯାଇଛି। ଏକ ସ୍ବାସ୍ଥ୍ୟକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ର କରିବାକୁ ଚେଷ୍ଟା ଜାରି ରହିଛି। ଏହି ସ୍ବପ୍ନ ଅଧୁରା ରହିଛି। ଆଗକୁ ଏହାକୁ ପୂରଣ କରିବାକୁ ଉଦ୍ୟମ ଜାରି ରଖିବେ ବୋଲି ସେ କହିଛନ୍ତି।

 

ସମ୍ବନ୍ଧିତ ଖବର