ଯୋଗଦେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ବର: କୋଭିଡ୍ ପରେ ପ୍ରଥମଥର ପାଇଁ ଏମ୍ସର ସେଣ୍ଟ୍ରାଲ ଇନ୍ଷ୍ଟିଚ୍ୟୁଟ୍ ବଡି ବୈଠକ ଆସନ୍ତା ୮ତାରିଖରେ ହେବାକୁ ଯାଉଛି। ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ, କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର, ସ୍ବାସ୍ଥ୍ୟ ସଚିବ, ଯୁଗ୍ମ ସଚିବଙ୍କ ସହ ୨୨ଟି ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସାମିଲ ହେବେ। କୋଭିଡ୍ ପରଠାରୁ ଦେଶର ସମସ୍ତ ଏମ୍ସର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ, ନୀତି ନିର୍ଧାରଣ ପ୍ରଭାବିତ ହୋଇଥିଲା। ଏହି ବୈଠକରେ ଏହାକୁ ନେଇ ଆଲୋଚନା ହେବା ସହ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ।
ଏହା ସହ ଏମ୍ସର ପାଣ୍ଠି, ୨୦୦୬ ମସିହାରୁ ବଢ଼ି ନଥିବା ଅନୁମୋଦିତ ଡାକ୍ତର ଏବଂ କର୍ମଚାରୀ ପଦ ସଂଖ୍ୟା, ହସ୍ପିଟାଲ ସମ୍ପ୍ରସାରଣ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏହାବ୍ୟତୀତ ଶନିବାର ଏମ୍ସର ଚତୁର୍ଥ ସମାବର୍ତ୍ତନ ଉତ୍ସବ ହେବ। ଏଥିରେ ଉଭୟ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଶିକ୍ଷା, ଦକ୍ଷତା, ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ଉତ୍ତୀର୍ଣ୍ଣ ୪୦ ବିଦ୍ୟାର୍ଥୀଙ୍କୁ ସ୍ବର୍ଣ୍ଣପଦକ ଦିଆଯିବ। ତେଣୁ ଆଗାମୀ ଦୁଇଦିନ ରାଜ୍ୟ ଓ ଏମ୍ସ ଉପରେ ନିର୍ଭରଶୀଳ ରୋଗୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଓ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ବଡି ବୈଠକକୁ ନେଇ ସମସ୍ତଙ୍କର ବହୁତ କିଛି ଆଶା ରହିଛି।
ହୋଇପାରୁନି ୪ ବିଭାଗର ସେଣ୍ଟର୍ ଅଫ୍ ଏକ୍ସଲେନ୍ସ
୨୦୧୪ ମସିହାରୁ ଏମ୍ସର କର୍କଟ, କିଡନି, ହୃଦ୍ରୋଗ ଏବଂ ସ୍ନାୟୁ ବିଭାଗର ସେଣ୍ଟର୍ ଅଫ୍ ଏକ୍ସଲେନ୍ସ ପାଇଁ ଅନୁମୋଦିତ ହୋଇଛି। ଏଥିପାଇଁ ଲମ୍ବା ଲଢ଼େଇ ପରେ ଗତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ମଧ୍ୟ ମିଳିଥିଲା। ମାତ୍ର ଏହାକୁ ନେଇ କୌଣସି କାର୍ଯ୍ୟ ଆରମ୍ଭ ହୋଇନାହିଁ। ଓଡ଼ିଶାରେ ସର୍ବାଧିକ କର୍କଟ ରୋଗୀ ଅଛନ୍ତି। ଏହାର ଚିକିତ୍ସା ସହ ଗବେଷଣା ଏବଂ ଏ ସମ୍ପର୍କିତ ପାଠ୍ୟକ୍ରମ ଖୋଲିବାର ଆବଶ୍ୟକତା ରହିଛି। ମାତ୍ର ଅନୁମୋଦନ ପରେ ବି ଏହାକୁ ନେଇ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏଠାରେ ପାଲିଏଟିଭ୍ କେୟାର୍ ଖୋଲିବାର ନିହାତି ଆବଶ୍ୟକତା ରହିଛି।
ଦିଲ୍ଲୀ ପରେ ଭୁବନେଶ୍ବର ବିଦ୍ୟାର୍ଥୀଙ୍କ ପସନ୍ଦ
ଦିଲ୍ଲୀ ଏମ୍ସ ପରେ ଭୁବନେଶ୍ବର ଏମ୍ସ ବିଦ୍ୟାର୍ଥୀଙ୍କ ଦ୍ବିତୀୟ ପସନ୍ଦରେ ରହିଛି। ଅନେକ ବିଦ୍ୟାର୍ଥୀ ଏମ୍ବିବିଏସ, ପଲ୍ମୋନାରି ବିଭାଗ ପାଇଁ ଏମ୍ସ ଭୁବନେଶ୍ବରକୁ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରନ୍ତି। ୨୦୨୨ ମସିହାରେ ସର୍ବଭାରତୀୟ ସ୍ତରରେ ୫୭ ଏବଂ ୨୦୨୧ ମସିହାରେ ସର୍ବଭାରତୀୟ ସ୍ତରରେ ୭୮ ରୢାଙ୍କ ପାଇଥିବା ବିଦ୍ୟାର୍ଥୀ ଭୁବନେଶ୍ବରରେ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ଏମ୍ବିବିଏସ୍ରେ ୧୧ଟି ବ୍ୟାଚ୍ ପିଲା ପଢ଼ି ସାରିଛନ୍ତି। ସ୍ନାତକୋତ୍ତରରେ ୧୪, ସୁପର୍ସ୍ପେସାଲିଷ୍ଟରେ ୧୨ ରହିଛି। ପିଏଚ୍ଡି ପାଠ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି। ଗୁଣାତ୍ମକ ସ୍ବାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏମ୍ସ ଭୁବନେଶ୍ବର ବିଦ୍ୟାର୍ଥୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ୨୦୧୨ ମସିହାରେ ୫୦ ଡାକ୍ତରୀ ବିଦ୍ୟାର୍ଥୀ ଏବଂ ୨୦୧୩ ମସିହାରେ ନର୍ସିଂ କଲେଜ ବିଦ୍ୟାର୍ଥୀ ନାମ ଲେଖାଇଲେ। ସେହି ସମୟରେ ସେମାନଙ୍କ ପାଠପଢ଼ା, ରହିବା, ପ୍ରାକ୍ଟିକାଲ ଆଦି ଆହ୍ବାନପୂର୍ଣ୍ଣ ଥିଲା। ଏପରିକି ପ୍ରଥମେ ପ୍ରାକ୍ଟିକାଲ ପାଇଁ ଏସ୍ସିବି, ଏମ୍କେସିଜି ଏବଂ ଭୀମ୍ସାରରୁ ମରଶରୀର ଅଣାଯାଇ ପ୍ରାକ୍ଟିକାଲ ହେଉଥିଲା।
ଚିକିତ୍ସା ଭଲ କିନ୍ତୁ ଅପେକ୍ଷା କରି ନୟାନ୍ତ
ଆଜ୍ଞା! ଏମ୍ସର ଚିକିତ୍ସା, ଡାକ୍ତରଙ୍କ ବ୍ୟବହାର ବହୁତ ଭଲ, କିନ୍ତୁ ଅପେକ୍ଷା କରି କରି ନୟାନ୍ତ ହେବାକୁ ପଡ଼ୁଛି। ୨୦୧୮ ମସିହାରୁ ପରିଜନଙ୍କ ଚିକିତ୍ସା ବେଳେ ଯେତେଥର ଆସିବାକୁ ପଡ଼ି ନଥିଲା, ବର୍ତ୍ତମାନ ୨ମାସ ମଧ୍ୟରେ ଡାକ୍ତରଙ୍କୁ ଭେଟିବା ପାଇଁ ୨୨ଥର ଆସିଥିଲେ ମଧ୍ୟ ଚିକିତ୍ସା ହୋଇ ପାରୁନାହିଁ। ଡାକ୍ତର ଥିଲେ ମଧ୍ୟ ଆଡମିସନ୍ ବେଳକୁ ଶଯ୍ୟା ମିଳୁନି। ପୁରୀରୁ ଆସିଥିବା ରୋଗୀ ସନ୍ଦୀପ ଭୂୟାଁଙ୍କ ପରିଜନ ଏହା କହିଛନ୍ତି। ୯୬୦ ଶଯ୍ୟା ବିଶିଷ୍ଟ ଏମ୍ସରେ ଦୈନିକ ଶହେ ଜଣ ଡିସ୍ଚାର୍ଜ ହୋଇଥାଆନ୍ତି। କିନ୍ତୁ ଡିସଚାର୍ଜର ୧୦ ଗୁଣା ପାଖାପାଖି ହଜାରେ ରୋଗୀ ଆଡ୍ମିସନ୍ ପାଇଁ ଧାଡ଼ିରେ ଥାଆନ୍ତି। ଏଥି ପାଇଁ ନୂତନ ରୋଗୀଙ୍କୁ ଅନ୍ୟୁନ ଅଢ଼େଇରୁ ତିନି ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ। ଏଠାରେ ଦୈନିକ ୧୦ ହଜାର ରୋଗୀ ଆସିଥାଆନ୍ତି। ଓପିଡିରେ ଦେଖାଇବାଠାରୁ ଆରମ୍ଭ କରି ଡାକ୍ତରଖାନାରେ ଭର୍ତ୍ତି, ଅସ୍ତ୍ରୋପଚାର, ଏପରିକି ଏଠାରେ ଉପଲବ୍ଧ ମାଗଣା ଟେଷ୍ଟ ସବୁ ପାଇଁ ଅନେକ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ। ବିଭିନ୍ନ ଜଟିଳ ଟେଷ୍ଟ ବ୍ୟବସ୍ଥା ମାଗଣା ଥିଲେ ମଧ୍ୟ ୨ରୁ ୩ମାସ ଅପେକ୍ଷା କରିବାକୁ ପଡ଼ିଥାଏ। ଏହାକୁ ଦୃଷ୍ଟିରେ ରଖି ଏମ୍ସ ସମ୍ପ୍ରସାରଣ ଏବଂ ଡାକ୍ତର ସହ ଅନୁମୋଦିତ ପଦ ସଂଖ୍ୟା ବୃଦ୍ଧିର ଆବଶ୍ୟକତା ରହିଛି।
ଟର୍ସିୟାରି କେୟାର ସେଣ୍ଟର୍କୁ ଆଉ କେତେ ଦିନ?
ଦିଲ୍ଲୀ ଭଳି ଭୁବନେଶ୍ବର ଏମ୍ସରେ ସବୁ ପ୍ରକାର ଚିକିତ୍ସା ମିଳିବ। ବିଶେଷକରି ଜଟିଳ ରୋଗୀଙ୍କୁ ଓଡ଼ିଶାରେ ଚିକିତ୍ସା ସୁବିଧା ଅଭାବରୁ ଆଉ ଦିଲ୍ଲୀ, ବେଙ୍ଗାଲୁରୁ ଯିବାକୁ ପଡ଼ିବ ନାହିଁ ବୋଲି ବାରମ୍ବାର ପ୍ରତିଶ୍ରୁତି ଦିଆଯାଇଛି। ମାତ୍ର ଆଜି ମଧ୍ୟ କର୍କଟ, ହୃଦ୍ରୋଗ, ଶ୍ବାସରୋଗ, ନେଫ୍ରୋଲୋଜି, ସ୍ନାୟୁ, ଚର୍ମ, ଚିକିତ୍ସା ସହିତ ସବୁ ପ୍ରକାର ପ୍ରତିରୋପଣ ପାଇଁ ବାହାରକୁ ଯିବାକୁ ପଡ଼ୁଛି। ଡିସେମ୍ବର ୪ ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଏମ୍ସ ଗସ୍ତ ଅବସରରେ କହିଥିଲେ, ଗତବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏମ୍ସକୁ ୫୧୦ କୋଟି ଟଙ୍କା ଦିଆଯାଇଥିଲା। ଚଳିତ ବର୍ଷ ଏହାକୁ ୬୩୫କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ରୋଗୀମାନଙ୍କୁ ଉଚ୍ଚମାନର ଚିକିତ୍ସା ଦିଆଯିବା ମୁଖ୍ୟ ଲକ୍ଷ୍ୟ ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଟର୍ସିୟାରି କେୟାର୍ ସେଣ୍ଟର ହୋଇପାରିନାହିଁ। ଏମ୍ସ ଭୁବନେଶ୍ବରକୁ ଆସୁଥିବା ରୋଗୀଙ୍କ ମଧ୍ୟରେ ୨୦ରୁ ୩୦ପ୍ରତିଶତ ଏଭଳି ଅଛନ୍ତି, ଯେଉଁମାନଙ୍କ ଚିକିତ୍ସା ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ସମ୍ଭବ। ଏଠାରେ ରୋଗୀଙ୍କ ଭିଡ଼ ଯୋଗୁଁ ଏମ୍ସର ମୂଳ କାର୍ଯ୍ୟ ଜଟିଳ ରୋଗୀଙ୍କ ଚିକିତ୍ସା ସହିତ ଗବେଷଣା ଯେଉଁଭଳି ହେବା କଥା, ହୋଇ ପାରୁନାହିଁ। ଏହାର ସମାଧାନ ପାଇଁ ଜିଲ୍ଲା ସ୍ତରୀୟ ଡାକ୍ତରଖାନାଙ୍କ ସହ ସମନ୍ବୟ ରକ୍ଷା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। କିନ୍ତୁ ଏହାକୁ ନେଇ ଏମ୍ସ ଭୁବନେଶ୍ବର କର୍ତ୍ତୃପକ୍ଷ କି’ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ଜଣାପଡ଼ିନାହିଁ। ଏମ୍ସ ଭୁବନେଶ୍ବରରେ ଗତବର୍ଷ କିଡ୍ନି ପ୍ରତିରୋପଣ ହୋଇଛି। ଚଳିତ ବର୍ଷ ଲିଭର୍, ଅସ୍ଥିମଜ୍ଜା ପ୍ରତିରୋପଣ ହେବ ବୋଲି କାର୍ଯ୍ୟନିର୍ବାହୀ ନିର୍ଦେଶକ ଘୋଷଣା କରିଛନ୍ତି।
ବଡ଼ ଉପହାର ବର୍ନ ସେଣ୍ଟର୍
ଛିଣ୍ଡା ହାତ ଯୋଡ଼ି କିଛି ଦିନ ପୂର୍ବରୁ ଚର୍ଚ୍ଚାକୁ ଆସିଥିଲା ଏମ୍ସ ପ୍ଲାଷ୍ଟିକ୍ ସର୍ଜନ ବିଭାଗର ଡାକ୍ତର। ଦୀର୍ଘ ଦିନର ଅପେକ୍ଷା ପରେ ଏଠାକାର ବର୍ନ ସେଣ୍ଟର୍ ଉଦ୍ଘାଟିତ ହେଉଛି। ଏଠାରେ ଚର୍ମ ବ୍ୟାଙ୍କ ଖୋଲିବାର ଲକ୍ଷ୍ୟ ରହିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଏଥିପ୍ରତି ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦୃଷ୍ଟି ଦେବେ ବୋଲି ଆଶା ରହିଛି। କ୍ରିଟିକାଲ କେୟାର ହସ୍ପିଟାଲର ଭିତ୍ତିଭୂମି ସ୍ଥାପନ ହେବ।