ବାଲିଅନ୍ତା: ଦୀର୍ଘ ୪୫ ବର୍ଷ ପରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ବାଳକାଟି ପ୍ରତାପଶାସନ ପଞ୍ଚାୟତ ଅଞ୍ଚଳର ଆରାଧ୍ୟ ସ୍ବପ୍ନେଶ୍ବର ଦେବଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଚନ୍ଦନ ଯାତ୍ରା ପରିପ୍ରେକ୍ଷୀରେ ଚନ୍ଦନ ପୋଖରୀରେ ଶ୍ରୀଜିଉମାନେ ଚାପ ଖେଳିବେ। ଚନ୍ଦନ ଯାତ୍ରାକୁ ଆଡ଼ମ୍ବରରେ ପାଳନ କରାଯିବା ନେଇ ସ୍ବପ୍ନେଶ୍ବର ଦେବ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତି ବୈଠକରେ ଯାତ୍ରା କାର୍ଯ୍ୟସୂଚୀ ସ୍ଥିର ହୋଇଛି।
ଉଲ୍ଲେଖଯୋଗ୍ୟ ଯାତ୍ରା ପରିଚାଳନା କମିଟି ମଧ୍ୟରେ ମତାନ୍ତରକୁ ନେଇ ବନ୍ଦନ ଯାତ୍ରା ୪୫ ବର୍ଷ ତଳେ ବନ୍ଦ ହୋଇଯାଇଥିଲା। ସେବେଠାରୁ ଅକ୍ଷୟ ତୃତୀୟା ତିଥିରେ ଖାଲି ବିଧି ରକ୍ଷା କରି ପୂଜାର୍ଚ୍ଚନା ହେଉଥିଲେ ହେଁ ଚନ୍ଦନ ପୋଖରୀରେ ଚାପ ଖେଳ ହୋଇପାରିନଥିଲା। ଏବର୍ଷ କିନ୍ତୁ ଚନ୍ଦନ ପୋଖରୀରେ ଶ୍ରୀଜିଉଙ୍କ ଚାପ ଖେଳ ହେବ। ଏହି ଅବସରରେ ୫ ଏକର ପରିମିତ ଚନ୍ଦନ ପୋଖରୀ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଚାଲିଛି। ଚନ୍ଦନ ପୋଖରୀ ଚାରିପାଖ ବନ୍ଧ ଉଜ୍ଜ୍ବଳ ଆଲୋକରେ ଝଲସୁଛି। ଦିନେ ଯେଉଁ ପୋଖରୀ ପରିତ୍ୟକ୍ତ ଅବସ୍ଥାରେ ଥିଲାଏବେ ତାର ପାଣି କାଚକେନ୍ଦୁ ଭଳି ପରିଷ୍କାର ପରିଚ୍ଛନ୍ନ ହୋଇଯାଇଛି। ପୋଖରୀରୁ ପଙ୍କ ଉଦ୍ଧାର କରାଯିବା ସହ ଜଳରାଶିକୁ ଚୂନ ଓ ଅନ୍ୟାନ୍ୟ ରାସାୟନିକ ସାମଗ୍ରୀ ଦ୍ବାରା ବିଶୁଦ୍ଧ କରାଯାଇଛି।
ଯାତ୍ରାକମିଟି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅକ୍ଷୟ ତୃତୀୟା ଦିନ ଥାନପତି ଚନ୍ଦ୍ରଶେଖର ଦେବ ଓ ମାତା ପାର୍ବତୀଙ୍କ ସହିତ ପ୍ରତାପଶାସନ ଗ୍ରାମର ଅରାଧ୍ୟ ବାଲୁଙ୍କେଶ୍ବର ଦେବ ଓ ମାତା ପାର୍ବତୀ ଓ ପୁରୁଣା ମକଦ୍ଦମ ସାହିର ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଗୋଟିଏ ପାଲିଙ୍କିରେ ବିଜେ କରି ଶୋଭାଯାତ୍ରାରେ ଚନ୍ଦନ ପୋଖରୀ ନିକଟକୁ ଆସିବେ। ଚନ୍ଦନ ପୋଖରୀରେ ଦେବଦେବୀ ଦୁଇଟି ସୁସଜ୍ଜିତ ଡଙ୍ଗାରେ ଚାପ ଖେଳିବେ। ଚାପ ଖେଳି ସାରିବା ପରେ ଚନ୍ଦନ ମଣ୍ଡପରେ ଦିଅଁମାନଙ୍କୁ ବେଶ କରାଯିବ। ୨୨ଦନ ଧରି ଦେବଦେବୀ ଚନ୍ଦନ ମଣ୍ଡପରେ ବେଶ ଓ ପୂଜାର୍ଚ୍ଚନା ହେବେ। ୨୩ ଦିନ ପାରମ୍ପରିକ ନାଗାନାଚ ହେବ। ଆକର୍ଷଣୀୟ ଶୋଭାଯାତ୍ରାରେ ନାଗା ନୃତ୍ୟ ରୋଶଣିରେ ଦିଅଁମାନେ ସାହି ପରିକ୍ରମା କରି ଚନ୍ଦନ ଯାତ୍ରା ଉଦ୍ଯାପିତ ହେବ। ଯାତ୍ରା ପରେ ବାଲୁଙ୍କେଶ୍ବର ଦେବ ଓ ଦୋଳଗୋବିନ୍ଦ ନିଜ ବିଜେସ୍ଥଳୀକୁ ଫେରିଯିବେ।