ବାଲିପାଟଣା: ୫୪ଦିନ ପରେ ବାପା ଆଣିଲେ ହତ୍ୟା ଅଭିଯୋଗ। ପୁଅକୁ ମାଡ଼ ମାରି ହତ୍ୟା କରିବା ପରେ ତାଙ୍କୁ ସୁଚିନ୍ତିତ ଭାବେ ବାଟବଣା କରିଦିଆଯାଇଛି ବୋଲି ବାପା ପୁଲିସରେ ଅଭିଯୋଗ କରିଛନ୍ତି। ତେଣୁ ପୁଲିସ ପୁଣି ଥରେ କବର ଖୋଳି ନମୁନା ସଂଗ୍ରହ କରିବା ପରେ ପରୀକ୍ଷା ପାଇଁ ଫୋରେନ୍‌ସିକ୍‌ ଲାବ୍‌କୁ ପଠାଇଛି। ଆଜି ଏହି ଘଟଣା ବାଲିପାଟଣାରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। 

Advertisment

ଆଜି ମୁକୁନ୍ଦଦାସପୁରର ସୟଦ୍‌ ଆଜାଦତୁଲ୍ଲା ବାଲିପାଟଣା ଥାନାରେ ଏଭଳି ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ପୁଅ ସୟଦ ସାହିଲ୍‌(୧୮) ଜୁଲାଇ ୨୭ ତାରିଖ ସନ୍ଧ୍ୟାରେ ସେହି ଗାଁର ମହମ୍ମଦ ଜମାଲ୍‌ଙ୍କ ମାଛ ଫାର୍ମକୁ ବିଦ୍ୟୁତ୍ ମରାମତି କାମରେ ଯାଇଥିଲା। କିନ୍ତୁ ରାତି ପ୍ରାୟ ୮ଟା ବେଳେ ଫାର୍ମ କର୍ମଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ପିପିଲି ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ ପରେ ହାଇଟେକ୍‌ ହସ୍ପିଟାଲ୍‌ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ସାହିଲ୍‌ଙ୍କୁ ଡାକ୍ତରଖାନା ନେଇଥିବା ଫାର୍ମ କର୍ମଚାରୀମାନେ ବ୍ୟବଚ୍ଛେଦ ନ କରାଇ ମୃତଦେହକୁ ଗାଡ଼ିରେ ଲଦି ଗାଁକୁ ଫେରାଇ ଆଣିଥିଲେ।

ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ସାହିଲ୍‌ଙ୍କ ମୁଣ୍ଡ ପଛରେ କ୍ଷତ ଥିବାରୁ ଲୋକେ ସନ୍ଦେହ କରିଥିଲେ। କିନ୍ତୁ ବିଦ୍ୟୁତ୍ ଆଘାତରେ ସାହିଲ୍‌ର ମୃତ୍ୟୁ ହୋଇଛି ବୋଲି ମାଛ ଫାର୍ମ ମାଲିକ ଜମାଲ୍‌ କହିଥିଲେ ଏବଂ କିଛି କ୍ଷତିପୂରଣ ଦେବେ ବୋଲି ଗାଁ ଲୋକଙ୍କ ଆଗରେ ପ୍ରତିଶ୍ରୁତି ଦେଇଥିଲେ। ଗରିବ ଆଜାଦ ପୁଅ ମୃତ୍ୟୁ‌ରେ ମ୍ରିୟମାଣ ହୋଇପଡ଼ିଥିବାରୁ ସେତେବେଳେ କିଛି କହିପାରିନଥିଲେ। ତେଣୁ ଗାଁ ମଶାଣିରେ ସାହିଲ୍‌ଙ୍କ ଶବକୁ କବର ଦିଆଯାଇଥିଲା। ଏହା ଭିତରେ ୫୪ ଦିନ ବିତିଯାଇଥିଲେ ବି ମାଛ ଫାର୍ମ ମାଲିକ ଜମାଲ୍‌ କ୍ଷତିପୂରଣ ଦେବା ନାଁ ଧରିଲେ ନାହିଁ। ଗାଁ ମୁରବିଙ୍କ ସମ୍ମୁଖରେ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜମାଲ୍‌ଙ୍କ ପ୍ରତାରଣା ପରେ ବିବାଦ ପୁଣି ମୁଣ୍ଡ ଟେକିଛି। ଦିନ ଗଡ଼ିଯାଇଥିବାରୁ ପ୍ରମାଣ ମିଳିବନି ଭାବି ଜମାଲ୍‌ କ୍ଷତିପୂରଣ ଦେଉନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ତେଣୁ ସାହିଲ୍‌ଙ୍କ ବାପା ଆଜାଦ ହତ୍ୟା ଅଭିଯୋଗ ଆଣିଛନ୍ତି। ବିଦ୍ୟୁତ ମରାମତି କରିବାକୁ ଡାକି ସାହିଲ୍‌କୁ ମାରିଦେବା ପରେ ବିଦ୍ୟୁତ୍ ଆଘାତର ରୂପ ଦେଇଥିଲେ ବୋଲି ସେ କହିଛନ୍ତି। ଉପଯୁକ୍ତ ତଦନ୍ତ ହେଲେ ପ୍ରକୃତ କାରଣ ଜଣାପଡ଼ିବ।

ଆଜି ବାଲିପାଟଣା ଥାନାରେ ମାମଲା ରୁଜୁ ହେବା ପରେ ମାଜିଷ୍ଟ୍ରେଟ୍‌ ତଥା ଅତିରିକ୍ତ ତହସିଲଦାର ମିଲନ୍‌ ଜୟସ୍ୱାଲ୍‌, ସାଇଣ୍ଟିଫିକ୍‌ ଟିମ ଅଫିସର ସୁଶ୍ରୀ ସବିନୟା, ଫିଙ୍ଗର୍‌ ପ୍ରିଣ୍ଟ ଇନ୍ସପେକ୍ଟର ପ୍ରଫୁଲ ବେହେରା, ଡାକ୍ତର ଲକ୍ଷ୍ମୀଧର ବେହେରା ଓ ବାଲିପାଟଣା ଥାନା ପୁଲିସ ଉପସ୍ଥିତିରେ କବର ଖୋଳି ଶବରୁ ବିଭିନ୍ନ ନମୁନା ସଂଗ୍ରହ କରାଯାଇଥିଲା। ବାଲିପାଟଣା ଥାନା ପୁଲିସ ପୁଣି ମୂଳରୁ ମାମଲାର ଖୋଳତାଡ଼ ଆରମ୍ଭ କରିଛି। ଘଟଣାଦିନ ପିପିଲି ଡାକ୍ତର ଖାନା, କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ ହାଇଟେକ୍‌ ଡାକ୍ତରଖାନାରେ କରାଯାଇଥିବା ଚିକିତ୍ସା ରିପୋର୍ଟ ସଂଗ୍ରହ କରିବାକୁ ପୁଲିସ ଲାଗିପଡ଼ିଛି।