ଚନ୍ଦ୍ରଶେଖରପୁର: ପ୍ରାୟ ଦୁଇ ଦିନ ତଳେ ମଞ୍ଚେଶ୍ବର ଥାନା ଅଞ୍ଚଳରେ ଘଟିଥିବା ଏକ ବୀଭତ୍ସ ହତ୍ୟାକାଣ୍ଡ ସମ୍ପର୍କରେ ଆଜି ଜଣାପଡ଼ିଛି। ରେଳବାଇ ଖେଳପଡ଼ିଆସ୍ଥିତ ଅସ୍ଥାୟୀ ପାଇଖାନା ପଛରୁ ଯୁବକଙ୍କ ଗଳିତ ମୃତଦେହ ମିଳିବା ପରେ ଘଟଣାଟି ପଦାକୁ ଆସିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ତାଙ୍କ ମୁଣ୍ଡକୁ ପଥରରେ ଛେଚି ଦିଆଯାଇଥିବାରୁ ଛିନିଭିନି ହୋଇଯାଇଥିବା ମୁହଁରୁ କିଛି ଜଣାପଡ଼ୁନାହିଁ। ସେହିଭଳି ମୃତଦେହରେ ବିଭିନ୍ନ ଜାଗାରେ କଟା ଦାଗ ବି ରହିଛି। ତେଣୁ ତାଙ୍କୁ ଦୁର୍ବୃତ୍ତମାନେ ପ୍ରଥମେ କୌଣସି ଧାରୁଆ ଅସ୍ତ୍ରରେ ହାଣି ପକାଇବା ପରେ ମୁଣ୍ଡକୁ ପଥରରେ ଛେଚି ଦେଇଥିବା ସ୍ପଷ୍ଟ ହୋଇଛି। ମଞ୍ଚେଶ୍ବର ଥାନା ପୁଲିସ ମୃତଦେହକୁ ଜବତ କରି କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଛି। ପରିଚୟ ମିଳିବା ପରେ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି। ମୃତକଙ୍କ ପରିଚୟ ମିଳିବା ପରେ ପୁଲିସ ହତ୍ୟାକାରୀଙ୍କୁ ସହଜରେ ଠାବ କରିପାରିବ ବୋଲି ସୂଚନା ଦେଇଛି। 

Advertisment

ସବୁଦିନ ଭଳି ଆଜି ଅପରାହ୍‌ଣରେ ମଞ୍ଚେଶ୍ବର ରେଳଡବା ମରାମତି କାରଖାନା ନିକଟ ରେଳ ଖେଳପଡ଼ିଆରେ ଯୁବକମାନେ ଫୁଟ୍‌ବଲ୍‌ ଖେଳୁଥିଲେ। ଖେଳୁଖେଳୁ ବଲ୍‌ଟି ପଡ଼ିଆରେ ହୋଇଥିବା ଅସ୍ଥାୟୀ ପାଇଖାନା ପଛକୁ ଗଡ଼ିଯାଇଥିଲା। ବଲ୍‌ ଆଣିବାକୁ ଯାଇଥିବା ଯୁବକଜଣକ ପାଇଖାନା ପଛପଟେ ଯୁବକଙ୍କ ଗଳିତ ମୃତଦେହ ପଡ଼ିଥିବା ଦେଖିଥିଲେ। ଗଦା ହୋଇଥିବା ଭଙ୍ଗାରୁଜା ପ୍ଲାଏ ଓ ଡାଳପତ୍ର ତଳୁ ମୃତଦେହର ଗୋଡ଼ ଦୁଇଟି ଦେଖାଯାଉଥିଲା ଏବଂ ପ୍ରବଳ ଗନ୍ଧ ବାହାରୁଥିଲା। ମୃତଦେହ ଦେଖି ଯୁବକଜଣକ ପାଟି କରିବାରୁ ଅନ୍ୟ ଖେଳାଳିମାନେ ସେଠାକୁ ଯାଇଥିଲେ। ତୁରନ୍ତ ସେମାନେ ମଞ୍ଚେଶ୍ବର ଓ ଆର୍‌ପିଏଫ୍‌ ଥାନା ପୁଲିସକୁ ଜଣାଇଥିଲେ। ଆଗପଛ ହୋଇ ରେଳବାଇ ଆର୍‌ପିଏଫ୍‌ ଥାନା ଓ ଏସିପିଙ୍କ ସହ ମଞ୍ଚେଶ୍ବର ଥାନା ପୁଲିସ ସେଠାରେ ପହଞ୍ଚିଥିଲା। ପୁଲିସ ସହ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ବି ଆସିଥିଲା। ଏହାପରେ ଶବକୁ ଭଙ୍ଗା ପ୍ଲାଏ ଓ ଡାଳପତ୍ର ଗଦା ତଳୁ ବାହାର କରାଯାଇଥିଲା। ମୃତକଙ୍କ ହାତରେ ଏକ ଦାମୀ ଘଣ୍ଟା ଓ ଅଣ୍ଟାରେ ଏକ ବ୍ରାଣ୍ଡେଡ୍‌ ବେଲ୍‌ଟ ରହିଛି। ସେହିଭଳି ପ୍ୟାଣ୍ଟ ସାର୍ଟ ବି ବ୍ରାଣ୍ଡେଡ୍‌ କମ୍ପାନିର। ମାତ୍ର ପକଟେ୍‌ରୁ ମୋବାଇଲ୍‌, ପର୍ସ କିମ୍ବା ଅନ୍ୟ କିଛି ବି କାଗଜପତ୍ର ମିଳିପାରିନାହିଁ। ହତ୍ୟାକାରୀମାନେ ପର୍ସ ଓ ମୋବାଇଲ୍‌ ନେଇପଳାଇଥିବା ଅନୁମାନ କରାଯାଉଛି। ଯୁବକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ତାଙ୍କ ପରିଚୟ ହଜାଇଦେବାକୁ ଦୁର୍ବୃତ୍ତମାନେ ଅପଚେଷ୍ଟା କରିଥିବା ସ୍ପଷ୍ଟ ହୋଇଛି। ଦୁଇ ଥାନା ପୁଲିସ ମଧ୍ୟରେ କଥାବାର୍ତ୍ତା ଛିଡ଼ିବା ପରେ ମଞ୍ଚେଶ୍ବର ଥାନା ପୁଲିସ ଶବ ଜବତ କରିଥିଲା। ସ୍ଥାନୀୟ ଲୋକଙ୍କ କହିବା କଥା ରାତି ହେଲେ ଏହି ପଡ଼ିଆରେ ଅସାମାଜିକ ତତ୍ତ୍ବଙ୍କ ଆଡ଼ା ଜମେ। ମଦ ପିଇ ନିଶାଡ଼ିମାନେ ଏଠାରେ ଉତ୍ପାତ କରିବା ଏକ ନିତିଦିନିଆ କଥା। ତେଣୁ ସେମିତି କିଛି ଆକସ୍ମିକ ଗଣ୍ଡଗୋଳରୁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ। ଜଣେ ପୁଲିସ ଅଧିକାରୀଙ୍କ କହିବା କଥା ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ବାରି ହୋଇପଡ଼ୁଛି। କିନ୍ତୁ ଯୁବକଙ୍କ ପରିଚୟ ନ ମିଳିବା ପର୍ଯ୍ୟନ୍ତ ହତ୍ୟାକାରୀ କିଏ, କ’ଣ ପାଇଁ ଓ କିଭଳି ପରିସ୍ଥିତିରେ ତାଙ୍କୁ ହତ୍ୟା କରାଯାଇଛି, କହିହେବ ନାହିଁ। ତଥାପି ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭିରୁ ଦୁଇ ତିନି ଦିନ ତଳର ଫୁଟେଜ୍‌ ସଂଗ୍ରହ କରି ଘଟଣା ପଛର ରହସ୍ୟ ଖୋଜିବ ବୋଲି ସେ କହିଛନ୍ତି।