ଭୁବନେଶ୍ବର: ଏଣିକି ରାଜଧାନୀ ରାସ୍ତାରେ ଚାଲିପାରିବନି ଓଲା, ଉବେର କି ରାପିଡୋ ଗାଡ଼ି। ଏହି କମ୍ପାନିର ଗାଡ଼ି ରାସ୍ତାରେ ଦେଖାଦେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବ। କାରଣ ଏହି ୩ ସଂସ୍ଥା ମୋଟର ଯାନ ଆଇନ-୧୯୮୮ ଓ ଏଗ୍ରିଗେଟର ପଲିସି-୨୦୨୩କୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରିଛନ୍ତି। ଏଥିପାଇଁ ଆର୍ଟିଓ ପକ୍ଷରୁ ବିଭିନ୍ନ ସମୟରେ ଏମାନଙ୍କୁ ନୋଟିସ୍ କରାଯାଇଥିଲା ଏବଂ ବାରମ୍ବାର ବୈଠକ ବି ହୋଇଥିଲା। ଏହାସତ୍ତ୍ବେ ନିୟମ ଉଲ୍ଲଂଘନ ବନ୍ଦ ନହେବାରୁ ଆର୍ଟିଓ ପକ୍ଷରୁ ଚଢ଼ଉ କରି ଜରିମାନା ଆଦାୟ କରାଯାଇଥିଲା। ତଥାପି ସଂସ୍ଥା ମାନିଲେ ନାହିଁ। ଏନେଇ ଆଜି ଆର୍ଟିଓ-୧ ପକ୍ଷରୁ ସହିଦନଗର ଥାନାରେ ଅଭିଯୋଗ କରାଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚୌଧୁରୀ ଥାନାରେ ଅଭିଯୋଗ କରିବାପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ଉଲ୍ଲେଖନୀୟ ଯେ ପୂର୍ବରୁ ଦିଲ୍ଲୀ ସରକାର ଘରୋଇ ନମ୍ବର ଥାଇ ଯାତ୍ରୀ ପରିବହନ କରୁଥିବା ସଂସ୍ଥା- ଓଲା, ଉବେର ଓ ରାପିଡୋ ଉପରେ ନିଷେଧାଦେଶ ଜାରି କରିଥିଲେ।
ନିୟମ ଅନୁଯାୟୀ, ଘରୋଇ ନମ୍ବର ଥିବା ଗାଡ଼ିକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ। ଯାତ୍ରୀ ପରିବହନ ଉଦ୍ଦେଶ୍ୟରେ ବ୍ୟବହାର ହେବାକୁ ଥିବା ଗାଡ଼ିଗୁଡ଼ିକ ‘ଭେଇକିଲ୍ ଅନ୍ ରେଣ୍ଟ’ରେ ପଞ୍ଜୀକୃତ ହେବେ। ଆର୍ଟିଓଙ୍କୁ ଆବେଦନ କରିବାକୁ ପଡ଼ିବ। ଆର୍ଟିଓ ଏହାକୁ ମଞ୍ଜୁର କରିବା ପରେ ପୁଣି ଏଚ୍ଏସ୍ଆର୍ପି ନମ୍ବର ପ୍ଲେଟ୍ ପାଇଁ ବିଧିବଦ୍ଧ ଭାବରେ ଆବେଦନ କରିବାକୁ ହେବ। ଗାଡ଼ି ଡିଲର୍ ଜରିଆରେ ନମ୍ବର ପ୍ଲେଟ୍ ଆସିବା ପରେ ଯାଇ ଏହି ଗାଡ଼ିଗୁଡ଼ିକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ। ‘ଭେଇକିଲ୍ ଅନ୍ ରେଣ୍ଟ’ ପାଇଁ ଆବେଦନ କଲାବେଳେ ସମାନ୍ତରାଳ ଭାବରେ ପରମିଟ୍ ପାଇଁ ଆବେଦନ କରିବାକୁ ହେବ। ଏହି ଗାଡ଼ିଗୁଡ଼ିକ ବ୍ୟବସାୟିକ ଭିତ୍ତରେ ବ୍ୟବହାର ହେବାକୁ ଥିବାରୁ ଯେଉଁ ଅଞ୍ଚଳରେ ଯାତ୍ରୀ ପରିବହନ ସେବା ଯୋଗାଇବେ, ସେହି ଅଞ୍ଚଳ ପାଇଁ ସ୍ବତନ୍ତ୍ର ପରମିଟ୍ ନେବେ। ଏଥିପାଇଁ ମଧ୍ୟ ସମ୍ପୃକ୍ତ ଆର୍ଟିଓଙ୍କ ପାଖରେ ଆବେଦନ କରିବେ। ଆର୍ଟିଓ ପରମିଟ୍ ଦେବା ପରେ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ହିଁ ଗାଡ଼ିଗୁଡ଼ିକ ବୁଲି ବ୍ୟବସାୟ କରିପାରିବେ। ତା’ ସହିତ ଏହି ଗାଡ଼ି ପାଇଁ ସ୍ବତନ୍ତ୍ର ବୀମା କରିବାକୁ ପଡ଼ିବ। ଫଳରେ କୌଣସି ଦୁର୍ଘଟଣାରେ ଗାଡ଼ିରେ ବସିଥିବା ଯାତ୍ରୀ ଆହତ କିମ୍ବା ମୃତ୍ୟୁବରଣ କଲେ କ୍ଷତିପୂରଣ ମିଳିବ।
ସେହିପରି ପରମିଟ୍ ଓ ବୀମା ସହ ଡ୍ରାଇଭିଂ ଲାଇସେନ୍ସ୍, ପ୍ରଦୂଷଣମୁକ୍ତ ପ୍ରମାଣପତ୍ର ଓ ଅନ୍ୟାନ୍ୟ ସମସ୍ତ କାଗଜପତ୍ର ମଧ୍ୟ ଅପ୍ ଟୁ ଡେଟ୍ ରହିବ। ଗାଡ଼ି ଭଡ଼ାରେ ଲଗାଉଥିବା ସଂସ୍ଥାମାନେ ବ୍ୟବହାର କରୁଥିବା ୱେବ୍ସାଇଟ୍କୁ ପରିବହନ ବିଭାଗ ନିୟନ୍ତ୍ରଣ କରିବ। ଏଣୁ ଏମାନଙ୍କର ସମସ୍ତ କାରବାର ବିଷୟରେ ପରିବହନ ବିଭାଗ ଜାଣିପାରିବ। ଘରୋଇ ନମ୍ବର ଥାଇ ଯାତ୍ରୀ ପରିବହନ କଲେ ବା ବ୍ୟବସାୟିକ ଭିତ୍ତିରେ ବ୍ୟବହାର କଲେ ୫,୦୦୦ ଟଙ୍କା ଜରିମାନା ହେବ। ଏଭଳି ଅପରାଧ ଦ୍ବିତୀୟ ଥର କରି ଧରାପଡ଼ିଲେ ୧୦ ,୦୦୦ ଜରିମାନା ଓ ୧ ବର୍ଷ ସଶ୍ରମ କାରାଦଣ୍ଡ ହେବ। ତା’ ସହିତ ସମ୍ପୃକ୍ତ ଚାଳକଙ୍କର ୩ ମାସ ପର୍ଯ୍ୟନ୍ତ ଲାଇସେନ୍ସ ବାତିଲ ହେବର ନିୟମ ରହିଛି। ଏହି ନିୟମ ରହିଥିଲେ ମଧ୍ୟ ରାଜଧାନୀରେ ଶହ ଶହ ଘରୋଇ ନମ୍ବରଧାରୀ ବାଇକ୍, ଅଟୋ, କାର ଭଡ଼ାରେ ଲାଗିଛି। ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକ ମୋଟା ଅଙ୍କର ପାଉଣା ବା ଅଂଶ ନେଇ ଯାଉଥିବା ବେଳେ ଗାଡ଼ି ମାଲିକମାନେ ମଧ୍ୟ ଭଲ ଆୟ କରୁଛନ୍ତି। କିନ୍ତୁ ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଛି।
ତେବେ ଏ ମାମଲାର ଭିନ୍ନ ଦିଗ ମଧ୍ୟ ରହିଛି। ଓଲା, ଉବେର, ରାପିଡୋରେ ଗାଡ଼ି ଲଗାଇ ବା ଗାଡ଼ି ଚଳାଇ ଭୁବନେଶ୍ବରରେ ହଜାର ହଜାର ଲୋକ ପରିବାର ପାଳୁଛନ୍ତି। ଅନେକ ଶିକ୍ଷିତ ବେକାର ଏ କାମ କରୁଥିବା ଦେଖାଯାଉଛି। ଏହି ଗାଡ଼ି ଚାଲିବା ବନ୍ଦ ହୋଇଗଲେ, ଏହି ଲୋକମାନଙ୍କର ଜୀବିକା କଥା କ’ଣ ହେବ? ପୁଣି ଓଲା, ଉବେର କି ରାପିଡୋ ଜରିଆରେ କମ୍ ଖର୍ଚ୍ଚରେ ପ୍ରତିଦିନ କାମକୁ ବା ଅନ୍ୟ ସ୍ଥାନକୁ ଯିବା ଆସିବା କରୁଥିବା ଓ ସେଥିରେ ଅଭ୍ୟସ୍ତ ହୋଇ ଯାଇଥିବା ସାଧାରଣ ଲୋକ ଏବେ କ’ଣ କରିବେ? ମୁଖ୍ୟ ରାସ୍ତାଗୁଡ଼ିକରେ ଅବଶ୍ୟ ‘ମୋ ବସ୍’ ଚାଲିଛି। କିନ୍ତୁ ରାଜଧାନୀରେ ଲୋକଙ୍କର ସମୁଦାୟ ଚଳପ୍ରଚଳର ଗୋଟିଏ ଛୋଟ ଅଂଶ ହିଁ ‘ମୋ ବସ୍’ରେ ଯାଉଛି। ବାକି ଲୋକଙ୍କ ପାଇଁ ସରକାର ବା ରାଜଧାନୀ କର୍ତ୍ତୃପକ୍ଷ କ’ଣ କରିବେ?