ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ …ବଦଳିବ କି ରମାଦେବୀ ବିଶ୍ବବିଦ୍ୟାଳୟ ଭାଗ୍ୟ?

ସରକାରଙ୍କ କୃପାଦୃଷ୍ଟି ଅପେକ୍ଷାରେ କର୍ତ୍ତୃପକ୍ଷ, ସାକାର ହେବ ତ ଦ୍ବିତୀୟ କ୍ୟାମ୍ପସ ସ୍ବପ୍ନ?

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ ୭ ବର୍ଷ ହେଲାଣି। ଜଣେ କୁଳପତି ଯାଇ ଆଉ ଜଣେ ଆସିଲେଣି। ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବ ବି ବାରମ୍ବାର ବଦଳିଛନ୍ତି। ମାତ୍ର ବଦଳି ପାରିନାହିଁ ରାଜ୍ୟର ଏକମାତ୍ର ମହିଳା ବିଶ୍ବବିଦ୍ୟାଳୟର ଭାଗ୍ୟ। ଏବେ ବି ଗୋଟିଏ କ୍ୟାମ୍ପସରେ ଚାଲିଛି ୪ଟି ଶିକ୍ଷାନୁଷ୍ଠାନ। ଇତି ମଧ୍ୟରେ ୨୦୨୨-୨୩ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଛି। ଯୁକ୍ତ୨ ପାଠ୍ୟକ୍ରମରେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଚାଲିଛି। ପିଜି ଆବେଦନ ସରିଥିବା ବେଳେ ଯୁକ୍ତ୩ ପାଠ୍ୟକ୍ରମ ପାଇଁ ଆସନ୍ତା ମାସରେ ବିଜ୍ଞପ୍ତି ପ୍ରକାଶ ପାଇବ। ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଯୁକ୍ତ୨, ଯୁକ୍ତ୩, ପିଜି, ଏମ୍‌ ଫିଲ୍‌ ପାଠ୍ୟକ୍ରମରେ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି। ବିଗତ ୬ ବର୍ଷ ପରି ଏଥର ମଧ୍ୟ ଗୋଟିଏ କ୍ୟାମ୍ପସରେ ୪ଟି ପାଠ୍ୟକ୍ରମର ଛାତ୍ରୀ ପାଳି କରି ପଢ଼ିବେ। ସକାଳେ ପର୍ଯ୍ୟାୟକ୍ରମେ ଯୁକ୍ତ୨ ଓ ଯୁକ୍ତ୩ ଏବଂ ମଧ୍ୟାହ୍ନରେ ପିଜି ପାଠ୍ୟକ୍ରମ ଛାତ୍ରୀଙ୍କ ପାଠପଢ଼ା ହେବ।

ପ୍ରତି ଶିକ୍ଷାବର୍ଷ ଆରମ୍ଭରେ ସମସ୍ୟା ହେଉଥିଲେ ମଧ୍ୟ କେହି ବି ପରିସ୍ଥିତିକୁ ଗୁରୁତ୍ବର ସହ ନେଉନାହାନ୍ତି। ୨୦୧୬ରୁ ଆଜି ଯାଏ ଯେତେବେଳେ ବି ସମୀକ୍ଷା ବୈଠକ ହେଉଛି ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଓ ସଚିବ କହୁଛନ୍ତି ଆମେ କରିଦେବୁ। ଖୁବ୍‌ଶୀଘ୍ର ବିକଳ୍ପ ବ୍ୟବସ୍ଥା ହେବ। ଦ୍ବିତୀୟ କ୍ୟାମ୍ପସ ଲାଗି ଜାଗା ଚୟନ ‌ଚାଲିଛି। ତେବେ କେଉଁଠି ଓ କେବେ ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ହେବ ସେନେଇ କେହି ବି ସ୍ପଷ୍ଟ କରୁନାହାନ୍ତି। ପୂର୍ବତନ କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କ ସମୟରେ ଦ୍ବିତୀୟ କ୍ୟାମ୍ପସ ଲାଗି ଜମି ଚିହ୍ନଟ ନେଇ ଜୋରଦାର ଉଦ୍ୟମ ଚାଲିଥିଲା। ୨୦୨୧ରେ ପ୍ରଫେସର ଅପରାଜିତା ଚୌଧୁରୀ ନୂତନ କୁଳପତି ଭାବେ ଯୋଗଦେବା ପରେ ଦ୍ବିତୀୟ କ୍ୟାମ୍ପସ କଥା କେବେ ବି ଉଠାଇ ନାହାନ୍ତି। ବରଂ ଗବେଷଣାକୁ ପ୍ରାଥମିକତା ଦିଆଯାଉଥିବା ନେଇ ବାରମ୍ବାର କହୁଛନ୍ତି। ଏମିତିକି ତାଙ୍କ ଉଦ୍ୟମରେ ଗତବର୍ଷ ଜୁଲାଇ ମାସରେ ବିଶ୍ବବିଦ୍ୟାଳୟକୁ ୟୁଜିସି ୧୨(ବି) ମାନ୍ୟତା ମିଳିଛି। ‌ହେଲେ ଏହାପରେ ସବୁ କିଛି ଠପ୍‌। ଦୁଇ ବର୍ଷ ହେଲା ପିଏଚ୍‌ଡି ନାମଲେଖା ଲାଗି ବିଜ୍ଞପ୍ତି ପ୍ରକାଶ ପାଇପାରି ନାହିଁ। ଗବେଷଣା କଥା ନ କହିବା ଭଲ। ନାକ୍‌ ମାନ୍ୟତା ନେଇ ବି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସେ‌ତେଟା ଆଗ୍ରହ ଦେଖାଇ ନାହାନ୍ତି। ଗୋଟିଏ ଦୁଇଟି ବୈଠକ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରସ୍ତୁତି ହୋଇନାହାନ୍ତି।

କେବଳ ଯେ ଦ୍ବିତୀୟ କ୍ୟାମ୍ପସ ଚୟନ କିମ୍ବା ଗବେଷଣାରେ ପଛେଇଛି ତାହା ନୁହେଁ। ବରଂ ବିଶ୍ବବିଦ୍ୟାଳୟରେ ଭିତ୍ତିଭୂମି ଧୀରେ ଧୀରେ ସଙ୍କୁଚିତ ହେବାକୁ ଲାଗିଛି। ଗୋଟିଏ ପରେ ଗୋଟିଏ କୋଠା କ୍ୟାମ୍ପସରେ ନିର୍ମାଣ ହେଉଥିବାରୁ ୨୩ ଏକର ପରିମିତ ଏହ‌ି ବିଶ୍ବବିଦ୍ୟାଳୟ ଜାତୀୟସ୍ତରୀୟ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। କାରଣ ଏପର୍ଯ୍ୟନ୍ତ ନିଜସ୍ବ ଖେଳ ପଡ଼ିଆ ହିଁ ନାହିଁ। ଛାତ୍ରୀଙ୍କ ଖେଳିବା ଲାଗି ଯେଉଁ ପଡ଼ିଆ ଥିଲା ସେଥିରେ ଏକାଡେମିକ ବିଲଡିଂ, ଷ୍ଟେଜ୍‌ କରାଯାଇ ସଙ୍କୁଚିତ କରାଯାଇଛି। ରୁସା ପାଣ୍ଠିରେ ୩ରୁ ଅଧିକ କୋଠା ନିର୍ମାଣ ସହ ଗତ ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହୋଇଛି। ଛାତ୍ରୀଙ୍କ ଲାଗି ହଷ୍ଟଲ ନିର୍ମାଣ ହୋଇଛି ସତ। ମାତ୍ର ତାହା ବି ଆବଶ୍ୟକତା ପୂରଣ କରିବାରେ ଯଥେଷ୍ଟ ହେଉ ନାହିଁ।

କ୍ୟାମ୍ପସର ପୁରାତନ ଛାତ୍ରୀ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହେବା ପରେ ଏକାଧିକ ସମସ୍ୟା ମଧ୍ୟରେ ଘାଣ୍ଟି ହେଉଥିବା ରାଜଧାନୀର ଏହି ଶିକ୍ଷାନୁଷ୍ଠାନର ଭବିଷ୍ୟତ ବଦଳିବା ନେଇ ଅନେକ ସ୍ବପ୍ନ ଦେଖିଲେଣି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ମଧ୍ୟ ଆଶା ବାନ୍ଧିଛନ୍ତି ଯେ ଏଣିକି ଏହି ଶିକ୍ଷାନୁଷ୍ଠାନ ପ୍ରତି ରାଜ୍ୟ ସରକାରଙ୍କ କୃପାଦୃଷ୍ଟି ପଡ଼ିବ। କ୍ୟାମ୍ପସ ସମ୍ପ୍ରସାରଣ ସହ ଛାତ୍ରୀମାନଙ୍କୁ ସମୟ ଉପଯୋଗୀ ନୂଆ ନୂଆ ପାଠ୍ୟକ୍ରମରେ ଶିକ୍ଷା ଦିଆଯିବ। ଏମିତି କି ପୁରାତନ ଛାତ୍ରୀ ତଥା ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ନାମରେ କ୍ୟାମ୍ପସରେ ଚେୟାର ପ୍ରତିଷ୍ଠା, କୋଠାକୁ ତାଙ୍କ ନାମରେ ନାମିତ କରିବା ଭଳି ବିଭିନ୍ନ ପଦକ୍ଷେପ ନେବାକୁ କର୍ତୃପକ୍ଷ ଯୋଜନା ପ୍ରସ୍ତୁତ କରିଛନ୍ତି। ରାଷ୍ଟ୍ରପତି ଏହି ଶିକ୍ଷାନୁଷ୍ଠାନର ଯେଉଁ ହଷ୍ଟେଲରେ ରହି ପଢ଼ୁଥିଲେ ସେଥିରେ ଏବେ ରୁମ୍‌ ଅଭାବ ସମସ୍ୟା ପାଲଟିଛି। କେବଳ ଆଦିବାସୀ ଛାତ୍ରୀ ରହୁଥିବା ଏହି ହଷ୍ଟେଲର ସମ୍ପ୍ରସାରଣ ହେବା ନେଇ ଛାତ୍ରୀମାନେ ଆଶାବାଦୀ ବସିଛନ୍ତି। ବିଶେଷକରି ମୟୂରଭଞ୍ଜରୁ ବହୁ ସଂଖ୍ୟକ ଛାତ୍ରୀ ଏଠାରେ ରହି ପଢ଼ୁଛନ୍ତି।

ସମ୍ବନ୍ଧିତ ଖବର