ଖଣ୍ଡଗିରି ମେଳା ପରେ ଥିଲା ଖଚାଖଚ, ଏବେ ଖାଁ ଖାଁ

ଭୁବନେଶ୍ବର: ଆଉ ଶୁଭୁନି ଡାକବାଜିର ଲହରିଆ ସ୍ବର। ଶୁଣାଯାଉନି ହରେକ୍‌ ମାଲ୍‌ କି ଗୋଟେ ସାଙ୍ଗେ ଗୋଟେ ଫ୍ରିର ଆବୁରୁଜାବୁରୁ ଶବ୍ଦ। ୧୬ ଦିନ କାଳ ହୋ ହାଲ୍ଲାରେ ଫାଟି ପଡ଼ୁଥିବା ଖଣ୍ତଗିରିର ଆଜିର ପରିବେଶ ଥିଲା ଖାଁ ଖାଁ। ଯାତ୍ରାର ପ୍ରଚାର ହେଉନଥିଲା କି ଟିକେଟ୍‌ କାଉଣ୍ଟରରେ ଭିଡ଼ ଜମିନଥିଲା। ଧାଡ଼ିଧାଡ଼ି ବାନ୍ଧି ବଜାର ବସିନଥିଲା କି ବଜାର ମଧୢ ଦେଇ ଖଣ୍ତଗିରି ପାହାଡ଼ ଉପରକୁ ଲୋକଙ୍କ ସୁଅ ଛୁଟୁନଥିଲା। ସ୍ବାଭାବିକ ସ୍ଥିତିକୁ ବାଦ୍‌ ଦେଲେ ଆଜିର ଖଣ୍ତଗିରି ଥିଲା ଏକଦମ ଗୁମ୍‌ସୁମ୍‌। ଗତ ୧ ତାରିଖରୁ ଆରମ୍ଭ ହୋଇଥିଲା ଖଣ୍ତଗିରି କୁମ୍ଭ ମେଳା। ସାଧୁସନ୍ଥଙ୍କ ମେଳ ସାଙ୍ଗକୁ ଗଢ଼ି ଉଠିଥିଲା ଶହଶହ ଦୋକାନ ବଜାର। ସକାଳୁ ସ˚ଜ ଲାଗୁଥିଲା ଅସ୍ଥାୟୀ ଦୋକାନର ହାଉଜାଉ ଭିଡ଼। ବାହାରୁ ଆସି ଭିଡ଼ ଜମେଇଥିଲେ ଶହ ଶହ ବ୍ୟବସାୟୀ। ଦିନତମାମ ଜମୁଥିଲା କିଣାବିକାର ଆସର। ମାତ୍ର କାଲି ବିଳମ୍ବିତ ରାତିର ଦ୍ବିତୀୟ ପ୍ରହର ସକାଳ ଆଡ଼କୁ ଯେତିକି ନିକଟତର ହେଉଥିଲା ଭିଡ଼ ସେତିକି ଭାଙ୍ଗି ଭାଙ୍ଗି ଆସୁଥିଲା। ୧୨ଟି ଯାତ୍ରା ଦଳ ୧୨ଦିନ କାଳ ଯାତ୍ରା ପରିବେଷଣ କରି ଯାତ୍ରା ମୈଦାନକୁ ଦୁଲୁକାଉଥିବା ବେଳେ ଆଜି ସ୍ବରଶବ୍ଦ ବି ନଥିଲା।

ସକାଳ ହେବା ବେଳକୁ ଧୀରେଧୀରେ ଭାଙ୍ଗି ଯାଉଥିଲା ଅସ୍ଥାୟୀ ଦୋକାନ। ବିକ୍ରି ପାଇଁ ଆଣି ବଳିପଡ଼ିଥିବା ଜିନିଷକୁ ଗଣ୍ଠିଲି କରି ମାଳମାଳ ହୋଇ ବାହୁଡ଼ି ଯାଉଥିଲେ ବ୍ୟବସାୟୀବୃନ୍ଦ। ଚାହୁଁ ଚାହୁଁ ସନ୍ଧ୍ୟା ପହଞ୍ଚିଥିଲା। କିନ୍ତୁ କାଲିର ଆଲୁଅମାଳାର ଝଲକ ନଥିଲା ପାଖ ଗାଁ’ର ଲୋକ ଯେ କେହି ବି ଖଣ୍ତଗିରି ବାଟ ଦେଇ ଯାଉଥିଲେ ସବୁଥାଇ ବି ଯେମିତି ନିଃସ୍ବ ଲାଗୁଥିଲା ଖଣ୍ତଗିରି। ସାଧୁସନ୍ଥଙ୍କ ମନ୍ତ୍ରର ଭାବ ଉଦ୍ଦୀପକ ଗୁଞ୍ଜରଣ ଶୁଭୁନଥିଲା କି ଯାତ୍ରାକୁ ନେଇ ଚର୍ଚାର ଖଟି ବସିନଥିଲା। କାଲି ଯାଏ ଝୁଲୁଥିବା ୨୦୦ ଫୁଟିଆ ଯାତ୍ରା ପୋଷ୍ଟର ନଥିଲା କିନ୍ତୁ ଏହି ବାଟ ଦେଇ ଯାଉଥିବା ପୁଞ୍ଜାପୁଞ୍ଜା ଆଖିଗୁଡ଼ାକ ଆପଣାଛାଏଁ ଉଠି ଯାଉଥିଲା ପୋଷ୍ଟର ଥିବା ସ୍ଥାନକୁ। ପୁଣି ଆଗକୁ ବଢ଼ିବା ବେଳେ ପରସ୍ପର କୁହାକୋହି ହେଉଥିଲେ ଛାଡ଼, ଆର ବର୍ଷକୁ ଅପେକ୍ଷା…

ସମ୍ବନ୍ଧିତ ଖବର