ବାତ୍ୟା ପରେ ଦୟନୀୟ ସ୍ଥିତି, ବାଲିପାଟଣା ପାଇଁ ବିଜୁଳି ସ୍ବପ୍ନ

ବାଲିପାଟଣା: ବାତ୍ୟା ବିତିଯିବା ଆଜକୁ ୧୦ ଦିନ ହେବ। ପରିସ୍ଥିତି ଧୀରେ ଧୀରେ ସୁଧାର ଆସିବାରୁ ଲୋକ ଏବେ ବାତ୍ୟା ଆଶ୍ରୟସ୍ଥଳୀରୁ ଫେରିଲେଣି। କିନ୍ତୁ ସଭିଁଙ୍କ ମୁହଁରେ ଗୋଟିଏ କଥା। ବିଜୁଳି କେବେ ଆସିବ। ସଭିଁଙ୍କ ପାଇଁ ବିଜୁଳି ସ୍ବପ୍ନ ପାଲଟିଲାଣି। ବିଦ୍ୟୁତ୍‌ ବିଭାଗ ବି ସଠିକ୍‌ରେ କିଛି କହି ପାରୁନି। ଆଜି ପର୍ଯ୍ୟନ୍ତ ମାତ୍ର ୬ଟି ୩୩ କେଭି ଖୁଣ୍ଟ ସଜଡ଼ା ହୋଇଛି। ୧୦୦ଟି ୧୧କେଭି ଖୁଣ୍ଟ ପଡ଼ିଛି। ଏଲ୍‌ଟି ଲାଇନ୍‌ରେ ହାତ ମରା ହୋଇନି। ଶତାଧିକ କର୍ମଚାରୀ କାମରେ ଲାଗିଥିଲେ ବି କୋଉଠୁ ସଜଡ଼ା ଆରମ୍ଭ କରିବେ ଥଳକୁଳ ପାଉ ନାହାନ୍ତି। ବିଲରେ ପାଣି ଥିବାରୁ ୩୩କେଭି ଖୁଣ୍ଟ ବସି ପାରୁନି ବୋଲି ଜଣେ କର୍ମଚାରୀ କହିଛନ୍ତି। ଏପଟେ ପ୍ରବଳ ଗୁଳୁଗୁଳି ଜନଜୀବନକୁ ବ୍ୟସ୍ତ କରି ପକାଇଛି। ଡାକ୍ତରଖାନାରେ ରୋଗୀ ଫ୍ୟାନ୍‌ ପବନ ନ ପାଇ ବାଧ୍ୟ ହୋଇ ବିଞ୍ଚଣାକୁ ଆଶ୍ରା କରିଛନ୍ତି। ବାଲିପାଟଣା ଷ୍ଟ୍ରକଚର୍‌କୁ ସପ୍ତାହକ ମଧ୍ୟରେ ବିଦ୍ୟୁତ୍‌ ଆସିବ ବୋଲି ବିଦ୍ୟୁତ ବିଭାଗ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଜଣାଇଥିଲେ ବି କାର୍ଯ୍ୟ ଏବେ ସ୍ବପ୍ନ ଭଳି ଲାଗୁଛି। କେବଳ ବିଏସଏନଏଲ୍‌କୁ ଛାଡ଼ି ଦେଲେ ବାଲିପାଟଣାରେ କୌଣସି ମୋବାଇଲ ନେଟୱାର୍କ କାମ କରୁନି। ମୋବାଇଲ ନେଟୱର୍କ ପାଇଁ ଲୋକେ ଛାତ ଉପରେ ଖୋଲା ସ୍ଥାନରେ ବୁଲି ନେଟୱାର୍କ ଖୋଜୁଛନ୍ତି।

ଝାଡ଼ା, ବାନ୍ତି, ଜ୍ୱର ବଢ଼ୁଛି
ବାତ୍ୟା ପରେ ଦୂଷିତ ପାଣି, ଦୁର୍ଗନ୍ଧ ପରିବେଶ ଓ ପ୍ରଚଣ୍ଡ ଗୁଳୁଗୁଳୁ ପାଇଁ ଏବେ ବହୁ ଗାଁରେ ଜ୍ୱର ଝାଡ଼ା ପ୍ରବଳ ମାତ୍ରାରେ ବ୍ୟାପି ଗଲାଣି। ଆଜି ସକାଳେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୫ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି। ଦୈନିକ ୫ରୁ ୧୦ରୋଗୀ ମେଡିକାଲ ଆସୁଛନ୍ତି। ପ୍ରତି ଗାଁରେ ମେଡିକାଲ ଟିମ୍‌ ପହଞ୍ଚି ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି।

୫କୋଟି ୫୫ଲକ୍ଷ ଟଙ୍କା ବଣ୍ଟା ହେଲାଣି
ବାଲିପାଟଣାରେ ଆଜି ସୁଦ୍ଧା ୫ କୋଟି ୫୫ଲକ୍ଷ ୫୦ହଜାର ଟଙ୍କା ଲୋକଙ୍କୁ ବଣ୍ଟା ସାରିଲାଣି। ୨ପ୍ଲାଟୁନ୍‌ ପୁଲିସ ସହ ଅତିରିକ୍ତ ଡିସିପି ଜୋନ୍‌-୪ ଏସିପି ଓ ଥାନା ଅଧିକାରୀ ସୁରକ୍ଷା ଦାୟିତ୍ୱ ଉପରେ କଡ଼ା ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର