ଭୁବନେଶ୍ୱର: କଳା ମଣ୍ଡଳ ପ୍ରତିଷ୍ଠା ହେବ। ବହୁବିଧ କଳା ପ୍ରଦର୍ଶନୀର ଠିକଣା ପାଲଟିବ। ପ୍ରେକ୍ଷାଳୟ ପାଇଁ ଆଉ ସମସ୍ୟା ହେବନି। ଗୋଟିଏ ପରିସରରେ ତିନିଟି ପ୍ରେକ୍ଷାଳୟର ସୁଯୋଗ ମିଳିବ। ବଡ଼ବଡ଼ ସହର ଭଳି ଆନୁସଙ୍ଗିକ ସୌଖୀନ ସୁବିଧା ଉପଲବ୍ଧ ହେବ। ଏମିତି କେତେ ସ୍ୱପ୍ନ ଦେଖେଇଥିଲେ ସରକାର। ଏଥିପାଇଁ ଜାଗା ଚିହ୍ନଟ ହେଲା। ଟଙ୍କା ବି ମଂଜୁର ହେଲା। ତେବେ ୨୦୦୩ର ପରିକଳ୍ପିତ ଏହି ପ୍ରକଳ୍ପ ଉପରେ ଏଯାଏଁ ଇଟା ଖଟେ ଯୋଡ଼ା ହୋଇପାରିନି। ୧୫ ବର୍ଷ ପରେ ଉଦ୍ଦିଷ୍ଟ ଜମିକୁ କେବଳ ଯାହା ମାଟି ପକେଇ ସମତୁଲ କରାଯାଉଛି। ଜାଗା ବିବାଦ ଯୋଗୁଁ ୯ ବର୍ଷ ବିତିଗଲା। ପୁଣି ଜାଗା ବିବାଦ ତୁଟିବା ପରେ ଟେଣ୍ଡର ଡାକି କାମ ଆରମ୍ଭ କରିବାକୁ ୩ ବର୍ଷ ଲାଗିଗଲାଣି। ସଂସ୍କୃତି ବିଭାଗ ଏନେଇ କେତେ ତତ୍ପର ତାହା ଏଥିରୁ ବୁଝାପଡ଼ୁଛି।
ସୈନିକ ସ୍କୁଲ୍ ଅଞ୍ଚଳ ଗଜପତି ନଗର ନିକଟରେ ୧୧ଟି ବିଭାଗକୁ ନେଇ କଳାମଣ୍ଡଳର ଏହି ବିରାଟ ପ୍ରକଳ୍ପକୁ ନେଇ ନୀଳନକ୍ସା ପ୍ରସ୍ତୁତ ହୋଇଥିଲା। ପ୍ରକଳ୍ପର ବଜେଟ୍ ବଢ଼ିବଢ଼ି ୬୦ କୋଟି ଛୁଇଁଲାଣି। ୧୦ ଏକର ଜାଗାରେ ହୋଇଥିବା ଯୋଜନା ଆସି ୭ ଏକରରେ ପହଞ୍ଚିଲାଣି। ଅଥଚ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟ କରୁଥିବା ଇଡ୍କୋର କଚ୍ଛପ ଗତି ଯୋଗୁଁ କଳାମଣ୍ଡଳ ଭଳି ବୃହତ୍ ମଣ୍ଡପର ଉପଲବ୍ଧି ନେବାକୁ ମାନସିକ ପ୍ରସ୍ତୁତି କରିସାରିଥିବା ଅନେକ ଜନସାଧାରଣ ମରିହଜି ଗଲେ ପଛେ ଏହାର ଗନ୍ଧ ଟିକେ ବାରିପାରିଲେନି। ବିଭାଗୀୟ ସଚିବ ମନୋରଂଜନ ପାଣିଗ୍ରାହୀଙ୍କ ସୂଚନା ମୁତାବକ, ଚଳିତ ଆର୍ଥିକ ବର୍ଷରେ ଇଡ୍କୋକୁ ୧୦ କୋଟି ଦିଆଯାଇଛି। ପୂର୍ବରୁ ୨୪ କୋଟି ଦିଆସରିଥିବା ବେଳେ ଇଡ୍କୋ ସମୁଦାୟ ୩୪ କୋଟି ଟଙ୍କା ପାଇସାରିଛି। ଅର୍ଥାତ ଜାଗା ବିବାଦ ତୁଟିବା ପରେ ୨୦୧୫ରୁ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ବଜେଟ୍ରୁ ପ୍ରତିବର୍ଷ ଏହି ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ବଜେଟ୍ ଆଣିଚାଲିଛି। ଅର୍ଥାତ ୫୯.୫ କୋଟିର ପ୍ରସ୍ତାବିତ ବଜେଟ୍ରୁ ଅର୍ଧାଧିକ ଟଙ୍କା ଇଡ୍କୋ ପାଇସାରିଛି। କିନ୍ତୁ କାମ ଏଯାଏଁ ଅଧା ହେବା ତ ଦୂରର କଥା, କାମ ଆରମ୍ଭ କରିବ କରିବ ବୋଲି ୩ ବର୍ଷ ବିତିଗଲାଣି। ୨୦୦୩ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨.୩ କୋଟି ଟଙ୍କା ମଂଜୁର ହେବା ପରେ ୨୦୦୬ରେ ସାଧାରଣ ପ୍ରଶାସନ ବିଭାଗ ଗଜପତି ନଗରଠାରେ ୧୦ ଏକର ଜାଗା ଦେଇଥିଲା। ମାତ୍ର ପଟିଆ ରାଜାଙ୍କର ପଟ୍ଟା ରଖିଥିବା କିଛି ଲୋକ ଏହି ଜମି ଉପରେ କାମ ବନ୍ଦ କରିଦେଇଥିଲେ। ଫଳରେ କାମ ଆଗେଇ ପାରି ନଥିଲା। ଜମି ବିବାଦ ଛିଣ୍ଡିବାକୁ ୯ ବର୍ଷ ଲାଗିଗଲା। ୬.୬୩ ଏକର ବିବାଦମୁକ୍ତ ଜମି ଚିହ୍ନଟ ହୋଇ ୨୦୧୫ରୁ କାମ ଆରମ୍ଭ କରିବା ପାଇଁ ଇଡ୍କୋକୁ ଦିଆଯାଇଥିଲା। ସେତେବେଳେ ବଜେଟ୍ ୪୫କୋଟି ଆକଳନ କରାଯାଇଥିଲା। ମାତ୍ର ଦିନ ଗଡ଼ିବାରୁ ନିର୍ଧାରିତ ପ୍ରକଳ୍ପ ଆସି ପାଖାପାଖି ୬୦ କୋଟିରେ ପହଞ୍ଚିଲାଣି। ଅନେକ ବଡ଼ବଡ଼ ସାଂସ୍କୃତିକ ସଭାରେ ସରକାର ପ୍ରତିବର୍ଷ କଳାମଣ୍ଡଳ ହେବା ନେଇ ୧୫ ବର୍ଷ ହେଲା ସ୍ୱପ୍ନ ଦେଖାଇ ଆସୁଛନ୍ତି। ହେଲେ କେବେ ସାକାର ରୂପ ନେବ ତାହା ଏବେ ବି ଅନିଶ୍ଚିତତାରେ ରହିଛି।
ବିଭାଗୀୟ ଅଧିକାରୀଙ୍କ କହିବା ମୁତାବକ,ଏହା ମଧ୍ୟରେ ଓଡ଼ିଶାର ସର୍ବବୃହତ୍ତ ପ୍ରେକ୍ଷାଳୟ ସମେତ ୧୫୦୦ ଏବଂ ୮୦୦ ସିଟ୍ ବିଶିଷ୍ଟ ଆଉ ଦୁଇଟି ପ୍ରେକ୍ଷାଳୟ ହେବାର ଯୋଜନା ରହିଛି। ଏହା ମଧ୍ୟରେ ଲଳିତ କଳାମଣ୍ଡଳ, କଳା ଓ ହସ୍ତଶିଳ୍ପ ସଂଗ୍ରହାଳୟ, ସଂଗୀତ କଳାମଣ୍ଡଳ, କଳାକାର ଗ୍ରାମ, ଐତିହ୍ୟ ଉଦ୍ୟାନ, ଶିଶୁ ଉଦ୍ୟାନ, ଲ୍ୟାଣ୍ଡ୍ସ୍କେପ୍ କୋର୍ଟ, ମୁକ୍ତାକାଶ ପ୍ରଦର୍ଶନୀ ସ୍ଥଳ, କାଫେଟେରିଆ, ଅତିଥି ଭବନ ଭଳି ସୁବିଧା ଉପଲବ୍ଧ ହେବ। କିନ୍ତୁ ଦୀର୍ଘର୍ଦିନର ଏହି ପ୍ରସ୍ତାବର ମନ୍ଥର ଗତିକୁ ନେଇ ଯେମିତି କାହାର ଚିନ୍ତା ନାହିଁ। ସରକାରଙ୍କର କଳାମଣ୍ଡଳ ପ୍ରକଳ୍ପ ପ୍ରତି ଉଦାସୀନ ଓ ଆନ୍ତରିକତାର ଅଭାବ ଯୋଗୁଁ ଏହି କାମକୁ ଠିକ୍ ବାଟରେ ପରିଚାଳନା କରାଯାଉ ନାହିଁ। ତେଣୁ ଯଦି ସରକାର ଏମିତି ଦିନ ଗଡ଼େଇ ଚାଲିବେ ତେବେ ୬୦ କୋଟିର ପ୍ରକଳ୍ପ ୧୦୦ କୋଟି ଟପିଯିବା ବି ବଡ଼ କଥା ନୁହେଁ ବୋଲି ବୁଦ୍ଧିଜୀବୀଙ୍କ ମହଲାରେ ଚର୍ଚା ହେଉଛି।