ଭୁବନେଶ୍ବର: ଗତକାଲି କଟକ ଜଗତପୁରସ୍ଥିତ ସଦ୍ଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା ପରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ରାଜଧାନୀର ୩ କୋଭିଡ୍ ହସ୍ପିଟାଲରେ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପନ ବ୍ୟବସ୍ଥାର କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏଥିସହିତ ଅଗ୍ନିକାଣ୍ଡ ବେଳେ କର୍ମଚାରୀମାନେ କି କି ପଦକ୍ଷେପ ଗ୍ରହଣ କରିବେ, ତାହା ଜଣାଇବା ପାଇଁ ମକ୍ ଡ୍ରିଲ୍ କରାଯାଇଥିଲା। ଦିନ ତମାମ୍ ଚାଲିଥିବା ଏହି ମକ୍ ଡ୍ରିଲ୍ରୁ ପ୍ରଥମେ ହସ୍ପିଟାଲ ପରିସରରେ ନିଆଁ ଲାଗିଥିବାର ଭ୍ରମ ସୃଷ୍ଟି କରିଥିଲେ ବି ପୂର୍ବରୁ ଚିକିତ୍ସାଧୀନ ବ୍ୟକ୍ତିମାନଙ୍କୁ ଜଣାଇ ଦିଆଯାଇଥିବାରୁ କେହି ଆତଙ୍କିତ ହୋଇପଡ଼ିନଥିବା ଦେଖିବାକୁ ମିଳିଥିଲା।
ସଦଗୁରୁ ହସ୍ପିଟାଲ ଅଗ୍ନିକାଣ୍ଡ ପରେ ଆଜି ଆକ୍ସନ ମୁଡ୍କୁ ଆସି ଯାଇଥିଲା ଅଗ୍ନିଶମ ବିଭାଗ। ରାଜଧାନୀରେ ୩ଟି କୋଭିଡ୍ ହସ୍ପିଟାଲରେ ଅଗ୍ନିଶମ ଟିମ୍ ଯାଞ୍ଚ କରିବା ସହ ମକ୍ ଡ୍ରିଲ୍ କରିଥିଲା। ସୂଚନାନୁସାରେ, ଆଜି ସମ୍, କିମସ୍ ଓ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ଏହି ମକ୍ ଡ୍ରିଲ୍ କରାଯାଇଥିଲା। ମୁଖ୍ୟତଃ ତିନୋଟି ଦିଗ ଉପରେ ଧ୍ୟାନ ଦିଆଯାଇଥିଲା। କୋଭିଡ୍ ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କିପରି ଅଛି, ଲାଗିଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଓ ବ୍ୟବସ୍ଥା କିପରି କାମ କରୁଛି, କୌଣସି ଅଘଟଣ ଘଟିଲାବେଳେ ହସ୍ପିଟାଲ କର୍ମଚାରୀ ମୁକାବିଲା କରିବା ପ୍ରଶିକ୍ଷଣ ପାଇଛନ୍ତି ଇତ୍ୟାଦି ଉପରେ ଗୁରୁତ୍ବ ଦିଆଯାଇଥିଲା। ତେବେ ତିନୋଟିଯାକ କୋଭିଡ୍ ହସ୍ପିଟାଲରେ ଅଗ୍ନି ନିର୍ବାପକ ଯନ୍ତ୍ର ଠିକ୍ ରହିଥିବା ଜଣାପଡ଼ିଥିଲା। ହସ୍ପିଟାଲ କର୍ମଚାରୀମାନେ ଅଗ୍ନିଶମ କର୍ମଚାରୀଙ୍କ ସହ ମିଶି ମକ୍ ଡ୍ରିଲ୍ କରିଥିଲେ। ନିଆଁ ଲିଭାଇବା ସହ କିଭଳି ଉଦ୍ଧାର କାର୍ଯ୍ୟ କରାଯିବ ସେ ନେଇ ଡେମୋ ଦେଖାଇଥିଲେ। ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ଏହି ମକ୍ ଡ୍ରିଲରେ ସାମିଲ ଥିଲେ ବୋଲି ଡେପୁଟି ଫାୟାର ଅଫିସର ରମେଶ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି। ଡେପୁଟି ଫାୟାର୍ ଅଫିସର ଶ୍ରୀ ମାଝୀଙ୍କ ସୂଚନାନୁସାରେ ଗତ ଅଗଷ୍ଟ ୫ ତାରିଖରେ ମଧ୍ୟ ବିଭିନ୍ନ ହସ୍ପିଟାଲରେ ଅଗ୍ନି ନିର୍ବାପନ ବ୍ୟବସ୍ଥାର ଯାଞ୍ଚ କରା ଯାଇଥିଲା।