ଭୁବନେଶ୍ବର: ଗୁରୁବାର ଜନ୍ମ ହୋଇଥିଲା ବୋଲି ମା’ ତା’ର ନାଁ ରଖିଥିଲେ ଗୁରୁଲ୍। ମା’ ରଖିଥିବା ନାଁ’କୁ ସାର୍ଥକ କରିଥିଲା ସେ। କେହି ଅସୁବିଧା ପଡ଼ିଲେ ଦେବଦୂତ ଭଳି ପହଞ୍ଚି ଯାଉଥିଲା। ସ୍କୁଲ୍ ପିକ୍ନିକ୍ ବେଳେ ଯେବେ ୩ ଜଣ ପିଲା ସମୁଦ୍ରରେ ବୁଡ଼ି ଯାଉଥିଲେ ୨ଜଣଙ୍କୁ ଉଦ୍ଧାର କରି ସ୍କୁଲ୍ ପିଲାଙ୍କ ନଜରରେ ହିରୋ ପାଲଟି ଯାଇଥିଲା ଗୁରୁଲ୍। ସେବା ପରାୟଣ ମନୋଭାବ ଯୋଗୁଁ ଚାରିଆଡ଼େ ତା’ର ପ୍ରଶଂସା। ହେଲେ କାହା ନଜର ଲାଗିଗଲା; ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅନ୍ୟ ଜଣେ ସାଙ୍ଗ ସହ ଗୁରୁଲ୍ ଆରପାରିକୁ ଚାଲିଗଲା ପରେ ଏବେ ତାକୁ ଝୁରୁଛନ୍ତି ସାଙ୍ଗସାଥୀଙ୍କଠୁ ନେଇ ସାହି ପଡ଼ିଶା। ଏହା ହିଁ ହେଉଛି ଦୁର୍ଘଟଣାର ୪ଦିନ ପରେ ଗୁରୁଲ୍ର ବ୍ୟକ୍ତିତ୍ବକୁ ଅବତାରଣା କରିବାର ଉଦ୍ଦେଶ୍ୟ।
Sambad is now on WhatsApp
Join and get latest news updates delivered to you via WhatsApp
ଯେମିତି ନିୟତି ଏମିତି ଏକ ଦୁର୍ଘଟଣା ଆଗରୁ ସ୍ଥିର କରିଥିଲା। ପ୍ରାଣ ହରାଇଥିବା ଗିରିଜା ଶଙ୍କର ବାଗ୍(ଗୁରୁଲ୍) ଓ ଚନ୍ଦ୍ରାଂଶୁ ପତି ମିଶ୍ର ଉଭୟ ଥିଲେ ଘରର ଏକମାତ୍ର ପୁତ୍ର ସନ୍ତାନ। ଗୁରୁଲ୍କୁ ଯେବେ ୫/୬ବର୍ଷ, ସେବେଠୁ ବାପାଙ୍କ ସ୍ନେହରୁ ବଞ୍ଚିତ ଥିଲା। ନାଭାଲ୍ରେ ଚାକିରି କରିଥିବା ବେଳେ ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ତା’ର ବାପା କୋମାକୁ ଚାଲି ଯାଇଥିଲେ। ବାପା ଚଣ୍ଡୀପ୍ରସାଦ ବାଗ ଶଯ୍ୟାଶାୟୀ ହେବାରୁ ବାପାଙ୍କ ସ୍ନେହ ପାଇବା ପରିବର୍ତେ ତାଙ୍କ ସେବା କରିବାକୁ ଲାଗି ପଡ଼ିଥିଲା। କେବଳ ଘର ଭିତରେ ସୀମିତ ନଥିଲା ତା’ର ସେବା। ଫୁରସତ୍ ମିଳିଲେ ଅନାଥାଶ୍ରମ ଯାଇ ପିଲାଙ୍କ ସହ ସମୟ ବିତାଉଥିଲା। ସେ ରହୁଥିବା ପାତ୍ରପଡ଼ା ଶ୍ରେୟା ପ୍ୟାଲେସ୍ରେ ସେ ଯେମିତି ଥିଲା ସେଠିକାର କୁକୁରମାନଙ୍କର ସାଙ୍ଗ। ଯେବେ ସ୍କୁଲ୍ ବସ୍ରୁ ଓହ୍ଲାଇ ଘର ପର୍ଯ୍ୟନ୍ତ ଗୁରୁଲ୍ ଚାଲିଚାଲି ଯାଉଥିଲା, ତା’ ସାଙ୍ଗରେ କିଛି କୁକୁର ଘର ପର୍ଯ୍ୟନ୍ତ ଯାଉଥିଲେ। ଯଦି କୁକୁରଟିଏ କୌଣସି କାରଣରୁ ଅସୁସ୍ଥ ହୋଇପଡ଼ୁଥିଲା ତା’କୁ ଭଲ ନ କରିବା ଯାଏଁ ତାକୁ ଭୋକଶୋଷ ହେଉ ନଥିଲା। ଏବେ ଗୁରୁଲ୍ ଚାଲିଯିବା ପରେ ସେ ଛୋଟବେଳୁ ଆଣି ପାଳିଥିବା କୁକୁର ରୋମି ବି ତା ସାର୍ଟପ୍ୟାଣ୍ଟ୍ ଦେଖି ଭୁକୁଛି। ଯେମିତି ତା’କୁ ଡାକି ଦିଅ ବୋଲି କହୁଛି।
ଗୁରୁଲ୍ ଚାଲିଗଲା ପରେ ବାପା ଚଣ୍ଡୀପ୍ରସାଦ ଶଯ୍ୟାରେ ପଡ଼ି ପଡ଼ି ପୁଅକୁ ଝୁରି ହେଉଛନ୍ତି। ମା’ ଅମିୟବାଳା ପରିଡ଼ା ପୁଅର ଫଟୋକୁ ମୋବାଇଲ୍ରେ ଦେଖି ଲୁହ ନିଗାଡ଼ୁଛନ୍ତି। ମା’ କୁହନ୍ତି, ଗୁରୁଲ୍ ୮୭ ପ୍ରତିଶତ ନମ୍ବର ରଖି +୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲା। ଜେଇ ପ୍ରବେଶିକା ପରୀକ୍ଷା ଦେଇଥିଲା। କିନ୍ତୁ ଡେଙ୍ଗା ଚଉଡ଼ା ଶରୀର ଯୋଗୁଁ ବାପାଙ୍କ ଭଳି ନାଭାଲ୍ରେ ଭର୍ତି ହେବାକୁ କସରତ କରୁଥିଲା। ଅମିୟବାଳା କାକଟପୁର ମହିଳା ମହାବିଦ୍ୟାଳୟରେ ଅଧ୍ୟାପିକା ଥିବା ସହ ଜଣେ ସମାଜସେବୀ ମଧ୍ୟ। ମା’ ଓ ବାପାଙ୍କଠାରୁ ହିଁ ବଂଶଗତ ସୂତ୍ରରେ ବୋଧେ ଗୁରୁଲ୍ ଏହି ସେବା ମନୋଭାବ ନେଇ ଜନ୍ମ ହୋଇଥିଲା। ମା’ ଚଣ୍ଡୀ ଫାଉଣ୍ଡେସନ୍ ଟ୍ରଷ୍ଟ ଗଢ଼ି ଦେଇ ସେବାରେ ନିଜୋକୁ ନିୟୋଜିତ ରଖିଥିଲେ। ଏହାର ବି ନିର୍ଦେଶକ ରହିଥିଲା ଗୁରୁଲ୍। ମାତ୍ର ନୈସେନାରେ ଚାକିରି କରିବାର ସ୍ବପ୍ନ, ସେବା କରିବାର ଆକାଂକ୍ଷା ତା’ର ମୃତ୍ୟୁ ସହ ମରିଗଲା।
କେବଳ ପାଠ ନୁହେଁ ଭଲିବଲ୍, ଫୁଟ୍ବଲ୍ରେ ମଧ୍ୟ ଦକ୍ଷ କ୍ରୀଡ଼ାବିତ୍ ଭାବେ ନିଜକୁ ପ୍ରମାଣିତ କରି ମେଡାଲ୍ ଜିତିଥିଲା ଗୁରୁଲ୍। ଅଥଚ ଅଲକ୍ଷଣା ଶନିବାରଟା ତା’ ପାଇଁ ଥିଲା ଶେଷଦିନ। ସବୁଦିନ ଘରୁ ବାହାରିବା ପୂର୍ବରୁ ବାପା ମା’ଙ୍କ ପାଦ ଛୁଇଁ ମୁଣ୍ଡିଆ ମାରୁଥିବା ଗୁରୁଲ୍ ସେଦିନ ଆଉ କାହା ପାଦ ଛୁଇଁ ନଥିଲା। ସକାଳ ସାଢ଼େ ୮ଟା ବେଳେ ଘରୁ ବାହାରିଗଲା। ସାଢ଼େ ୧୧ରୁ ୧୨ଟା ଭିତରେ ଫୋନ୍ କରି କହିଲା, ମାମା ଆମେ ସାଙ୍ଗମାନେ ଆଜି ବାହାରେ ଖାଇବୁ। ସାଙ୍ଗ ହୋଇ ଖାଇବା ପରେ ସେଲ୍ଫି ଉଠେଇ ଫଟୋ ସୋସିଆଲ୍ ମିଡିଆରେ ଛାଡ଼ିଥିଲେ। ଅଥଚ ମାତ୍ର ଘଣ୍ଟାଏ ପରେ ଜୀବନଦୀପ ଲିଭିଗଲା। ୨୪ ତାରିଖରେ ଅମିୟବାଳା ପର୍ବତକନ୍ୟା କଳ୍ପନା ଦାଶଙ୍କୁ ସୋସିଆଲ୍ ମିଡିଆରେ ମର୍ମସ୍ପର୍ଶୀ ଭାଷାରେ ଶ୍ରଦ୍ଧାଞ୍ଜଳି ଦେବାର ୨୪ ଘଣ୍ଟା ନପୂରୁଣୁ ନିଜ ପୁଅର ମୃତ୍ୟୁ ଖବର ଶୁଣିଥିଲେ।