ବାପାଙ୍କ ମୁହଁରେ ନିଆଁ ଦେଇପାରିଲିନି…କଳାକାରଙ୍କ ଗୁହାରି ଶୁଣି ବସ୍‌ ପଠାଇଲେ ସବ୍ୟସାଚୀ

ଭୁବନେଶ୍ବର: ବାପା କହିଥିଲେ, ଯୋଉଠି ବି ଥିବୁ ମୁଁ ମଲା ପରେ ଆସି ମୋ ମୁହଁରେ ନିଆଁ ଦେବୁ। ବାପା ଚାଲିଗଲେ, କିନ୍ତୁ ମୁହଁରେ ନିଆଁ ଦବା ତ ଦୂରେ ଥାଉ, ମୁଁ ତାଙ୍କୁ ‌ମଲା ଶେଯରେ ବି ଥରେ ଦେଖି ପାରିଲିନି। ବସ୍‌ରେ ଆସିବାକୁ ପାଖରେ ଏତେ ଟଙ୍କା ନଥିବାରୁ ମଦୁରାଇରୁ ଓଡ଼ିଶା ଆସିବାକୁ ଅନେକଙ୍କୁ କାକୁତିମିନତି ହେଲି। ସେଠାରେ କିନ୍ତୁ କିଛି ଲୋକ ମତେ କହିଲେ, ତୁମେ ଘରକୁ ଯିବ ବୋଲି ବାହାନା କରୁଛ। ବାପା ‌ମୃତ୍ୟୁଶଯ୍ୟାରେ ପଡ଼ିଥିବା ବେଳେ ସେଠାରେ ଲୋକେ ମତେ ମିଛୁଆ ବୋଲି କହି ଟାହିଟାପରା କରିବାର ଯନ୍ତ୍ରଣା ମନରୁ ଯାଉନି ବୋଲି କହିଛନ୍ତି ତାମିଲନାଡ଼ୁରୁ ଆଜି ଓଡ଼ିଶା ଫେରିଥିବା କଳାକାର ମଲ୍ଲିକ (୩୧)। କଳାକାରଙ୍କ ଏ ଦାରୁଣ ଅଭିବ୍ୟକ୍ତି ଶୁଣିବା ପରେ ତାଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଥିଲେ ଲୋକପ୍ରିୟ ସିନେ ତାରକା ସବ୍ୟସାଚୀ ମିଶ୍ର। ସବ୍ୟ-ମିସନରେ ଯୋଡ଼ି ହୋଇଥିଲା କରୋନାକାଳୀନ ପ୍ରବାସୀ ଶ୍ରମିକ ଉଦ୍ଧାର ଇତିହାସରେ ଆଉ ଏକ ଦାରୁଣ କଥା।

କଳାକାରଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁରରେ। ତାମିଲନାଡ଼ୁର ମଦୁରାଇରେ ସେ ଏକ କମ୍ପାନିରେ ମେସିନ ଚଳାଇବା କାମ କରୁଥିଲେ। ଲକ୍‌ଡାଉନ୍‌ରେ ସେଠାରେ ଭଡ଼ା ଘରେ ପଡ଼ି ରହିଥିଲେ। ମାତ୍ର ଗତ ୧୧ତାରିଖରେ ତାଙ୍କ ବାପା ପଦ୍ମନାଭ ମଲ୍ଲିକଙ୍କର ମୃତ୍ୟୁ ହୋଇଗଲା। ତେଣୁ ବାପାଙ୍କୁ ଦେଖିବା ପାଇଁ ଓଡ଼ିଶା ଫେରିବାକୁ ମଦୁରାଇରୁ ବାହାରି ଆସିଥିଲେ। ପାଖରେ ଏତେ ଟଙ୍କା ନଥିବାରୁ ୪-୫ହଜାର ଟଙ୍କା ଦେଇ ବସ୍‌ରେ ଆସିବା ସମ୍ଭବ ହୋଇନଥିଲା। ରେଳ ଷ୍ଟେସନ୍‌ ଯାଇ ଟ୍ରେନ୍‌ ଯୋଗେ ଆସିବାକୁ ସ୍ଥିର କଲେ। ଅଥଚ ସେଠି ପହଞ୍ଚିବା ପରେ କୁହାଗଲା, ଓଡ଼ିଶାକୁ ୨ଦିନ ପରେ ଟ୍ରେନ୍‌ ଯିବ। ଏହା ଶୁଣି ସେ ଭାଙ୍ଗି ପଡ଼ିଥିଲେ। ଘରୁ ବାହାରି ଆସିଥିବାରୁ ସେଇ ପ୍ଲାଟଫର୍ମରେ ବସି ରହିଲେ। ବାପାଙ୍କ ମୃତ୍ୟୁ ଓ ବାପା ‌ମୁହଁରେ ନିଆଁ ଦେବା କଥା ତାଙ୍କର ବାରମ୍ବାର ମନେ ପଡ଼ିଯାଉଥିଲା। ତେଣୁ ଦୁଇ ରାତି ଶୋଇ ପାରିନଥିଲେ। ତାଙ୍କର ଏ ଅସମୟରେ ପୁଣି ଘୋଷଣା ହେଲା ଯେ ଓଡ଼ିଶାକୁ ଟ୍ରେନ୍‌ ଯିବ ନାହିଁ, ପ୍ଲାଟଫର୍ମରୁ ସମସ୍ତେ ବାହାର। ତେଣୁ କଳାକାର ପ୍ଲାଟଫର୍ମରୁ ବାହାରି ଆସିଥିଲେ। ଭଗବାନ ସେଠୀ ନାମକ ଜଣେ ବ୍ୟକ୍ତି କଳାକାରଙ୍କ ଏ ଦୟନୀୟ ଅବସ୍ଥା କଥା ଶୁଣି ଅଭିନେତା ସବ୍ୟସାଚୀଙ୍କୁ ‌ଯୋଗାଯୋଗ କଲେ। ସବ୍ୟସାଚୀ କଳାକାରଙ୍କ କଥା ଶୁଣି ତୁରନ୍ତ ମଦୁରାଇରେ ଏକ ବସ୍‌ର ବ୍ୟବସ୍ଥା କଲେ। ଏଥିସହ ସେଠାରୁ ଓଡ଼ିଶା ଫେରିବାକୁ ଚାହୁଁଥିବା ଆଉ କିଛି ବ୍ୟକ୍ତିଙ୍କୁ ଏକାଠି କରାଗଲା। କଳାକାରଙ୍କ ସହ ୫୦ ଜଣ ବ୍ୟକ୍ତି ଓଡ଼ିଶା ଫେରି ଆସିଛନ୍ତି।

ଓଡ଼ିଶା ଫେରିଲା ପରେ କଳାକାର ଯେତିକି ଆଶ୍ବସ୍ତ ହୋଇଛନ୍ତି, ପୁଣି ସେତିକି ଭାଙ୍ଗି ପଡ଼ିଛନ୍ତି। କଳାକାର କହିଛନ୍ତି, ମୁଁ ବାପାଙ୍କ ମୁହଁରେ ନିଆଁ ତ ଦେଇପାରିଲିନି ଏବେ ପୁଣି କର୍ମାନୁଷ୍ଠାନରେ ବି ସାମିଲ୍‌ ହୋଇପାରିବି ନାହିଁ। ୧୪ଦିନ କ୍ବାରାଣ୍ଟିନ୍‌ରେ ରହିବାର ନିୟମ ଥିବାରୁ ଏଇଠି ହିଁ ମତେ ମୋ ବାପାଙ୍କ ପାଇଁ କର୍ମ ଅନୁଷ୍ଠାନ କରିବାକୁ ପଡ଼ିବ। ଏତେ ଦିନ କଲବଲ ହେବା ପରେ ଯେବେ କେହି ବିଶ୍ବାସ କରିବାକୁ ପ୍ରସ୍ତୁତ ନଥିଲେ ସବ୍ୟସାଚୀ ଭାଇ ମୋ ନିଜ ଭାଇଠାରୁ ଅଧିକ ଆପଣାପଣ ଦେଖାଇଲେ। ମତେ ଓଡ଼ିଶା ଫେରାଇ ଆଣିଥିବାରୁ ସବ୍ୟସାଚୀ ଭାଇଙ୍କୁ ମୋ’ର ଅଜସ୍ର ଧନ୍ୟବାଦ। ସବ୍ୟସାଚୀ କହିଛନ୍ତି, କଳାକାରଙ୍କ କଥା ଶୁଣିବା ମାତ୍ରେ ଆଉ ନିଜକୁ ଅଟକାଇ ପାରିନଥିଲି। କରୋନା ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟା ଯେ କରୋନା ଭୂତାଣୁଠୁ ଅଧିକ ଭୟଙ୍କର ହେଇପାରେ; ଏହିଭଳି କିଛି ଘଟଣା ବୟାନ କରୁଛି। ଗୋଟିଏ ନୁହେଁ ଏମିତି ଆହୁରି ଅନେକ ଘଟଣା ଅଛି। ‌ତେଣୁ ପାରୁପର୍ଯ୍ୟନ୍ତ ମୋ ପ୍ରବାସୀ ଓଡ଼ିଆ ଭାଇ ଭଉଣୀଙ୍କୁ ଫେରାଇ ଆଣିବାର ଦାୟିତ୍ବ ନେବି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର