କଚଡ଼ା ଉପରେ ପାଣି

୯ହଜାର ହେକ୍ଟର ଧାନ ବିଲ ଜଳବନ୍ଦୀ

ବାଲିପାଟଣା: ବାଲିପାଟଣାରେ ଆଜି ପ୍ରବଳ ବର୍ଷା ହୋଇଛି। ଦିନ ଯେତିକି ଗଡ଼ୁଥିଲା ସେହି ପରିମାଣର ବର୍ଷା ବଢି ଚାଲିଥିଲା। ଅପରାହ୍ଣରୁ ପବନ ସାଙ୍ଗକୁ ବର୍ଷା ବି ବଢ଼ିଥିଲା। ଦଲକାଏ ଦଲକାଏ ପବନ ସହ ତୁହାକୁ ତୁହା ବର୍ଷା ଚାଷୀର ନିଦ ହଜାଇ ଦେଇଛି। ଏ ବର୍ଷ ଭଲ ଧାନ ହୋଇଥିଲା। କ୍ଷେତ ଦେଖି ଚାଷୀର ପେଟ ପୂରିଯାଉଥିଲା। ମନରେ ଆଶା ବାନ୍ଧିଥିଲା ଏଥର ଭଲ ଲାଭ ପାଇବ ବୋଲି। ହେଲେ ଧାନକଟା ହେବା ପୂର୍ବରୁ ଲଘୁଚାପ ବର୍ଷା ସବୁ ଆଶା ଧୂଳିସାତ୍‌ କରିଦେଲା। ଗତ ମାସର ଲଘୁଚାପ ବର୍ଷାରେ ବାଲିପାଟଣା ବ୍ଲକର ୮୫୦ହେକ୍ଟର ପାଚିଲା ଧାନ ନଷ୍ଟ ହୋଇଥିଲା। ଆଉ ଆଜିଠୁ ଆରମ୍ଭ ହୋଇଥିବା ବର୍ଷା ଚାଷୀକୂଳର ସବୁ ଆଶା ଭରସାକୁ ଧୋଇ ଦେଇଛି। ସନ୍ଧ୍ୟା ସୁଦ୍ଧା ବ୍ଲକର ପ୍ରାୟ ୯ହଜାର ହେକ୍ଟର ପାଚିଲା ଧାନ ବିଲ ଜଳବନ୍ଦୀ ହୋଇଯାଇଛି। ୪୦ରୁ ୫୦କିମି ବେଗରେ ପବନ ବହୁଥିବାରୁୁ ହେକ୍ଟର ହେକ୍ଟର ଜମିରେ ଧାନ ତଳେ ପଡ଼ି ପାଣିରେ ଭାସୁଛି। ବିଶେଷ ଭାବେ ବ୍ଲକର ୪ହଜାର ୭୮୦ ହେକ୍ଟର ଖାଲୁଆ ଜମି ଓ ୪ହଜାର ୩୦୧ହେକ୍ଟର ମଧ୍ୟମ ଖାଲୁଆ ଜମିର ଧାନ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଖାଲୁଆ ଜମିରେ ଧାନ କରିଥିବା ଚାଷୀ ଘଡ଼ିକୁ ଘଡ଼ି ଯାଇ କେବଳ ବିଲକୁ ଦେଖିବା ବ୍ୟତୀତ ଆଉ କିଛି ଉପାୟ ପାଉନି।

ଅପରପକ୍ଷେ କେତେକ ଚାଷୀ ଧାନ କାଟି ବିଲରେ ପକାଇଥିବା ବେଳେ ଆଉ କେତେକ ଉପାୟ ନପାଇ ସେହି ବିଲ ହିଡ଼ରେ ଗଦା କରିଛନ୍ତି। ବିଲରେ ଧାନ ହଳା ରଖି ତା’ ଉପରେ ଜରିପାଲ ପକାଇଛନ୍ତି। କାମ କରିବାକୁ ଲୋକ ମିଳୁ ନଥିବାରୁ ପାଚିଲା ଧାନ ବିଲରୁ ଆସିପାରିନି। ଆଉ କିଛି ଚାଷୀ ବର୍ଷାକୁ ଦେଖି ପାଚିଥିବା ଧାନ କାଟଥିଲେ ବି ଗଛ ଶୁଖି ନଥିବାରୁ ସେହି କଞ୍ଚା ଧାନକୁ ବିଡ଼ା ବାନ୍ଧି ଦେଇ ଖଳାକୁ ନେଇ ଆସିଛନ୍ତି। ବର୍ଷା ଫଳରେ ସେ ଧାନ ଶୁଖି ନ ଥିବାରୁ ସେତକ ବି ଫିମ୍ପି ମାରି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ହଜାର ହଜାର ହେକ୍ଟର ଧାନ ପାଚି ମଥା ନୂଆଁଇ ସାରିଲାଣି। କିନ୍ତୁ କଟା ଯାଇ ପାରି ନାହିଁ। ବ୍ଲକର ପ୍ରାୟ ୯୦ପ୍ରତିଶତ ଧାନ କଟାଯାଇ ନାହିଁ। ତେଣୁ ବର୍ଷାପରେ ଧାନ ବିଲରେ ଗଜା ହେବାର ସମ୍ଭାବନା ବି ଦେଖାଦେଲାଣି।

ବାଲିପାଟଣା ଅଞ୍ଚଳର ଚାଷୀଙ୍କ କହିବାନୁଯାୟୀ, ବର୍ଷା ଛାଡ଼ିବା କ୍ଷଣି ଯଦି ଟାଣ ଖରା ହେଲା ତେବେ ସବୁ ଧାନ ଝଡ଼ିଯିବ। ବର୍ଷା ପରେ ବିଲ ଓଦା ରହିବ ଓ ଧାନକଟା ମେସିନ୍‌ କିମ୍ବା ପାଓ୍ଵାରଟିଲର ବିଲରେ ପଶିପାରିବ ନାହିଁ। ସେପଟେ ଧାନ କାଟିବାକୁ ଲୋକ ମିଳୁନାହାନ୍ତି। ତେଣୁ ଆଖି ଆଗରେ ଏ ବର୍ଷା ଚାଷୀଭାଇଙ୍କ ବର୍ଷକର ସ୍ୱପ୍ନକୁ ଭାଙ୍ଗିଦେବାକୁ ବସିଛି। ବିଶ୍ୱନାଥପୁରର ଚାଷୀ ସତ୍ୟବାଦୀ ସ୍ୱାଇଁ କହିଛନ୍ତି ୧୧ଏକର ଧାନ କରି ସେ ପୋଶେ ବି ଖଳାକୁ ନେଇନାହାନ୍ତି। ଆଜିର ବର୍ଷାକୁ ଦେଖି କହିଛନ୍ତି ଧାନର ଅବସ୍ଥା କ’ଣ ହେବ କହିହେବନି। ଖର୍ଚ୍ଚ କରିଥିବା ଟଙ୍କା ମିଳିବ କି ନାହିଁ ମୁଁ ଜାଣି ପାରୁନି। ପାଚିଲା ଧାନ ପବନରେ ପଡ଼ିଗଲାଣି, ଗଜା ହୋଇଯିବା ନିଶ୍ଚିତ। ବର୍ଷା ମାଡ଼ରେ ପାଚିଲା ଧାନ କେଣ୍ଡା ଓ ପାଖୁଡ଼ା ଝଡ଼ି ପଡ଼ିବ। ସରାଟର ଚାଷୀ ବିଜୟ ପରିଡ଼ା କହିଛନ୍ତି ଗତମାସ ବର୍ଷାରେ ପ୍ରାୟ ଧାନ ପଡ଼ିଯାଇଥିଲା। ଏ ବର୍ଷା ପ୍ରଚୁର କ୍ଷତି ହେବ। ଧାନ ଝଡ଼ିବା ସହ କଟାଯାଇଥିବା କଞ୍ଚାଧାନ ବି ଗମ ହୋଇ ନଷ୍ଟ ହେବା ନିଶ୍ଚିତ।

ସମ୍ବନ୍ଧିତ ଖବର