ଭୁବନେଶ୍ୱର: କପର୍ଦକ ଶୂନ୍ୟ ବିଏମ୍‌ସି। ପୂର୍ବ ସରକାରଙ୍କ କଥାରେ ପଡ଼ି ସବୁ ପଇସା ସାରିଦେଲେ। ଏବେ ନୂଆ ସରକାର ପଇସା ଦେଉ ନାହାନ୍ତି। ସରକାରଙ୍କ ନିର୍ଦ୍ଦେଶରେ କାମ କରୁ କରୁ ଏବେ ନିଜ କାମ ପାଇଁ ପଇସା ନାହିଁ। ଯେତିକି ପ୍ରକଳ୍ପର ଅଟକଳ ହୋଇଛି ସେ ସବୁକୁ ସାରିବାକୁ ହେଲେ ଆଉ ୩୦୦କୋଟିରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି। ଏହାକୁ ନେଇ କର୍ପୋରେସନ ବୈଠକରେ ହୋ ହଲ୍ଲା‌ ହେବା ସହ ବିଏମ୍‌ସିର ସ୍ଥାୟୀ ଜମା(ଫିକ୍ସଡ୍‌ ଡିପୋଜିଟ୍‌) ଉଠାଇବା ପାଇଁ ଯୋଜନା ହେଲାଣି। ହେଲେ କୋଉଠି ଖର୍ଚ୍ଚ ହେଲା ଏତେ ଅର୍ଥ? ସବୁ ଅର୍ଥ କଣ ଜନହିତକର ପ୍ରକଳ୍ପରେ ଖର୍ଚ୍ଚ ହୋଇଛି? ଏ ସବୁ ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ଏକ ବଡ଼ ଧରଣର କେଳେଙ୍କାରୀ ସାମ୍ନାକୁ ଆସିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ତତ୍‌କାଳୀନ ପ୍ରମୁଖ ଶାସନ ସଚିବ ଜି ମାଥି ଭାଥନନ୍‌ଙ୍କ ନିର୍ଦ୍ଦେଶକ୍ରମେ ବିଏମ୍‌ସି ୭୬କୋଟି ଟଙ୍କା ବିଡିଏକୁ ଦେଇଛି। ଏଭଳି ବିଭିନ୍ନ ସମୟରେ ବିଏମ୍‌ସି ବିଡିଏକୁ ସମୁଦାୟ ୧୦୬ କୋଟି ଟଙ୍କା ଦେଇଥିବା ଜଣାପଡ଼ିଛି। ହେଲେ ଏହି କୋଟା ଅଙ୍କର ଅର୍ଥ କେଉଁଠି ଖର୍ଚ୍ଚ ହେଲା? କାହା ସ୍ବାର୍ଥରେ ଏହି ଅର୍ଥ ଲାଗିଲା? 

Advertisment

ତାହାର ହିସାବ ନା ବିଡିଏ ଦେଇଛି ନା ବିଏମ୍‌ସି ମାଗିଛି। ବିନା ବିଲ୍‌ରେ ବିଏମ୍‌ସି ଟଙ୍କାଟିଏ ଖର୍ଚ୍ଚ କରୁନଥିବା ବେଳେ ଏତେ ମୋଟା ଅଙ୍କର ଅର୍ଥ କିଭଳି ଦେଇଦେଇଛି ସେ ନେଇ ପ୍ରଶ୍ନ ଉଠିଛି। ତେବେ କେବଳ ଏହି ଅର୍ଥ ଦେଇ ଦେଇ ନାହିଁ ବରଂ ସଚିବ ତଥା ବିଭାଗର ଇଙ୍ଗିତରେ ବିଏମ୍‌ସି କୋଟି କୋଟି ଟଙ୍କା ବେକାର ଖର୍ଚ୍ଚ କରିଛି। ଯେଉଁଥିପାଇଁ କପର୍ଦକ ଶୂନ୍ୟ ପରିସ୍ଥିତି ସୃଷ୍ଟି ହୋଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ପବ୍ଲିକ ୱାର୍କସ ପାଇଁ ମହାନଗର ନିଗମର ବଜେଟ୍‌ରେ ପାଖାପାଖ‌ି ୪୦୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି। ଏପ୍ରିଲ୍‌ରୁ ଅଗଷ୍ଟ ଶେଷ ସୁଦ୍ଧା ରାସ୍ତା, ଡ୍ରେନ୍, ଲାଇଟ୍, ସୌନ୍ଦର୍ଯ୍ୟୀକରଣ, ପୋଖରୀ, ପାର୍କ ଓ ଟଏଲେଟ୍‌ରେ ବିଏମ୍‌ସି ୨୪୯କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ହିସାବ ଦେଇଛି। ଏଥିରୁ ୧୭୯କୋଟି ୩୨ ଲକ୍ଷ ସରକାରୀ ଅନୁଦାନରୁ ଖର୍ଚ୍ଚ ହୋଇଥିବା ବେଳେ ୭୦କୋଟି ୪୦ ଲକ୍ଷ ଟଙ୍କା ବିଏମ୍‌ସି ନିଜ ପାଣ୍ଠିରୁ ଖର୍ଚ୍ଚ କରିଛି। 

ସ୍ଥାୟୀଜମା ଭାଙ୍ଗିବେ
ବିଡିଏକୁ ଦେଇଛନ୍ତି ୧୦୬କୋଟି
କଣ ଖର୍ଚ୍ଚ ହେଲା ହିସାବ ନାହିଁ
ମାଥିଙ୍କ ଚିଠିରେ ଦେଇଥିଲେ

ସେହିଭଳି ଡ୍ରେନ୍‌, ସିଡିପି ରୋଡ୍‌, ୱାର୍ଡ ଅଫିସ, ଜମି ଅଧିଗ୍ରହଣ, ବୈଦ୍ୟୁତିକ କାର୍ଯ୍ୟ ପାଇଁ ୩୪୦ କୋଟି ଟଙ୍କା ସରକାରଙ୍କୁ ମଗା ଯାଇଥିବା ବେଳେ ପେଭର୍ ରୋଡ୍‌ ପାଇଁ ୩୦୦ କୋଟି ଟଙ୍କା, ପରିମଳ, ବାୟୋମାଇନିଂ ଓ ଏମ୍‌ସିସି/ଏମ୍‌ଆର୍‌ଏଫ୍‌ ପାଇଁ ୧୩୦ କୋଟି, ସ୍ବଚ୍ଛ ଭାରତ ମିସନ, ଟଏଲେଟ୍‌ ଓ ବାୟୋମାଇନିଂ(ଦ୍ବିତୀୟ ଦଫା) ପାଇଁ ୮୨କୋଟି ୩୮ ଲକ୍ଷ ଟଙ୍କା, ଜାଗା ମିସନ୍ କାମ ପାଇଁ ୭୪କୋଟି ୩୫ ଲକ୍ଷ ଟଙ୍କା ମଗା ଯାଇଛି। ହେଲେ ସରକାରଙ୍କ ପ୍ରଦାନ କରିନାହାନ୍ତି ବୋଲି ବିଏମ୍‌ସି ଦର୍ଶାଇଛି। ସେହିଭଳି ୫ମ ଷ୍ଟେଟ୍‌ ଫାଇନାନ୍‌ସ୍‌ କମିସନ ଓ ୧୫ ତମ ସେଣ୍ଟ୍ରାଲ୍‌ ଫାଇନାନ୍‌ସ୍‌ କମିସନରୁ ୧୮୦ କୋଟି ଟଙ୍କା ମିଳିବ। ବଜେଟ୍‌ରେ ବ୍ୟବସ୍ଥା ଥିବା ପ୍ରୋଜେକ୍ଟ ସ୍ପେସିଫିକ୍‌ ଗ୍ରାଣ୍ଟ ଯଥା; ଆମ ପୋଖରୀ, ଜମି ଅଧିଗ୍ରହଣ, ‘ଉନ୍ନତି’ ଯୋଜନାରେ ୧୫୦ କୋଟି ଟଙ୍କା ରାଜ୍ୟ ସରକାର ଦେବେ। 

ଚଳିତବର୍ଷ ଏପ୍ରିଲ୍‌ରୁ ଜୁନ୍ ପର୍ଯ୍ୟନ୍ତ ରାଜ୍ୟ ସରକାର ‘ମୁକ୍ତା’ ପାଇଁ ୫୦ କୋଟି ଟଙ୍କା ଦେଇଛନ୍ତି। ସେଥିରୁ ବିଏମ୍‌ସି ୪୫ କୋଟି ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ଆଉ ୪ କୋଟି ୮୨ ଲକ୍ଷ ଟଙ୍କା ବଳିଛି। ଜାଗା ମିସନ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ପାଇଁ ୩କୋଟି ୬୧ଲକ୍ଷ ୫୭ହଜାର ଟଙ୍କା ସରକାରୀ ଅନୁଦାନ ମିଳିଥିବା ବେଳେ ଏଥିରେ ବର୍ତ୍ତମାନ ସୁଦ୍ଧା ୭୭ଲକ୍ଷ ୬୮ହଜାର ୬୧୫ଟଙ୍କା ଖର୍ଚ୍ଚ ହୋଇଥିବା ବିଏମ୍‌ସି ଦର୍ଶାଇଛି। 
ଏ ସବୁକୁ ଯଦି ହିସାବ କରାଯାଏ ତେବେ ବିଏମ୍‌ସି ଆକଳନ କରିଥିବା ୩୦୦ କୋଟି ନିଅଣ୍ଟ ସ୍ଥିତିରେ ସତ୍ୟାସତ୍ୟ ନାହିଁ କିମ୍ବା ଏହି ୩ଶହ କୋଟି ବିଏମ୍‌ସି ଅକାରଣରେ ବରବାଦ କରିଛି। ତେବେ ଏ ନେଇ କର୍ପୋରେଟର ନୃପେଶ ନାୟକ କହିଛନ୍ତି, ବଏମ୍‌ସିକୁ ଏ ସବୁର ହିସାବ ମଗାଯାଇଛି। କେଉଁଥିରେ କେତେ ଖର୍ଚ୍ଚ ହୋଇଛି? ବିଡିଏକୁ କାହିଁକି ଅର୍ଥ ପ୍ରଦାନ କରାଯାଇଛି ଓ ସେ ଏହାକୁ କେଉଁଥିରେ ଖର୍ଚ୍ଚ କରିଛି? ପ୍ରକଳ୍ପୱାରି ହିସାବ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।