ଭୁବନେଶ୍ବର: ‘ଅପରେସନ୍‌ ଅଣଛାତ୍ର’ ପରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା କମିବା ବଦଳରେ ବଢ଼ିଯାଇଛି। ବିଭିନ୍ନ ଅଭିଯୋଗ ଆଣି ବିଶ୍ବବିଦ୍ୟାଳୟର କିଛି ଛାତ୍ର ଓ ପୁରାତନ ଛାତ୍ର ଆଜି କୁଳପତିଙ୍କ କାର୍ଯ୍ୟାଳୟ ‌ଘେରଉ କରିଛନ୍ତି। ‘ମିସନ୍‌ ଅଲ୍‌ଆଉଟ୍’ ମାଧ୍ୟମରେ କ୍ୟାମ୍ପସ୍‌ରୁ ଜବରଦଖଲ ଉଚ୍ଛେଦ କରିବା, ଭଡ଼ାରେ ଲାଗିଥିବା କ୍ବାର୍ଟର୍ସକୁ ଖାଲି କରିବା, ଭଡ଼ା ଦେଇଥିବା କର୍ମଚାରୀ, ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟରେ ମେହେନ୍ଦି ପାର୍ଟି କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି କୁଳପତିଙ୍କୁ ଘେରଉ କରାଯାଇଛି। ପ୍ରାୟ ଦୁଇ ଘଣ୍ଟା ଧରି କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ, କୁଳସଚିବ ସ୍ବାତୀ ମିଶ୍ର, ପିଜି କାଉନସିଲ୍‌ ଅଧ୍ୟକ୍ଷା ପ୍ରଫେସର ମିତାଲି ଚିନ୍ନାରାଙ୍କ ସହ ଆଲୋଚନା ହେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଛାତ୍ରଙ୍କ ସବୁ ଦାବି ପୂରଣ କରାଯିବା ସହ ‘ମିସନ୍‌ ଅଲଆଉଟ୍’ କାର୍ଯ୍ୟକାରୀ କରିବାକୁ 
କୁଳପତି ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ପୂର୍ବାହ୍ନ ପ୍ରାୟ ୧୧ଟାରେ ଶତାଧିକ ଛାତ୍ର ଓ ପୁରାତନ ଛାତ୍ର ହଷ୍ଟେଲ୍‌ ନିକଟରୁ ଶୋଭାଯାତ୍ରାରେ ବାହାରି ପ୍ରଶାସନିକ ଭବନ ଅଭିମୁଖେ ଯାଇଥିଲେ। ପୁଲିସ ଛାଉଣିକୁ ଖାତିର ନକରି ସେମାନେ କୁଳପତିଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ। ପ୍ରବେଶପଥରେ ପୁଲିସ ଓ ବିଶ୍ବବିଦ୍ୟାଳୟ ସୁରକ୍ଷା କର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇନଥିଲେ। ସେମାନେ କୁଳପତିଙ୍କ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରି ହୋହାଲ୍ଲା କରିଥିଲେ। ତେଣୁ କୁଳପତି ସମ୍ମିଳନୀ କକ୍ଷରେ ସେମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ପ୍ରମୁଖ ଦାବି ଥିଲା ଯେ କ୍ବାର୍ଟର୍ସ ଭଡ଼ା ଲଗାଇଥିବା ଅଧିକାରୀ, କର୍ମଚାରୀଙ୍କୁ ଚିହ୍ନଟ କରାଯାଉ ଓ ଭଡ଼ାଟିଆଙ୍କୁ ବାହାର କରାଯାଉ। ସେହିଭଳି ବିଶ୍ବବିଦ୍ୟାଳୟର ୪୦୦ ଏକର ଜମି ଏବେ ଅଛି କି ନାହିଁ ବୋଲି ସେମାନେ ପ୍ରଶ୍ନ କରିଥିଲେ। ଆଲୋଚନା ସମୟରେ ଜଣେ ଛାତ୍ର ପିଜି କାଉନସିଲ୍‌ ଅଧ୍ୟକ୍ଷାଙ୍କ ଚେୟାର୍‌ରେ ହାତ ମାରିବାରୁ ଅଧ୍ୟକ୍ଷା‌ ଶ୍ରୀମତୀ ଚିନ୍ନାରା ବିରକ୍ତ ହୋଇଥିଲେ। ଏହାକୁ ନେଇ ପୁଣି ଉତ୍ତେଜନା ବଢ଼ିଥିଲା। ମାତ୍ର କୁଳପତିଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Untitled-9

କୁଳପତି ପ୍ରତିଶ୍ରୁତି ଦେଇଥିଲେ ଯେ ଭଡ଼ାରେ ଲାଗିଥିବା କ୍ବାର୍ଟର୍ସ ଖାଲି କରିବାକୁ ନୋଟିସ୍‌ ଜାରି ହୋଇଛି। ଆସନ୍ତା ଦୁଇଦିନ ମଧ୍ୟରେ ସେମାନେ କ୍ୟାମ୍ପସ ନ ଛାଡ଼ିଲେ, କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିଭଳି ବସ୍ତି ହଟାଇବାକୁ ବିଏମ୍‌ସିକୁ ଚିଠି କରାଯିବ ଏବଂ ବସ୍ତି ହଟାଇ ଦିଆଯିବ।

ସରକାରୀ କାର୍ଯ୍ୟାଳୟରେ ମେହେନ୍ଦି ପାର୍ଟି

ପ୍ରଶାସନିକ ଭବନରେ ଥିବା‌ ଜଣେ ଅଧିକାରୀଙ୍କ କାର୍ଯ୍ୟାଳୟରେ ହୋଇଥିବା ମେହେନ୍ଦି ପାର୍ଟିକୁ ନେଇ ଆଜି ଆଲୋଚନା ସରଗରମ ହୋଇଥିଲା। ଏଥିରେ ସାମିଲ ହୋଇଥିଲେ ବିଶ୍ବବିଦ୍ୟାଳୟର ଏକାଧିକ ଅଧିକାରୀ। ଏହି ପାର୍ଟିର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିଥିଲା। ଛାତ୍ର ଓ ପୁରାତନ ଛାତ୍ରମାନେ ଆଜି ଏହି ଭିଡିଓ ଦେଖାଇ କୁଳପତିଙ୍କୁ ଘେରିଥିଲେ। ଏହା ଏକ ଶିକ୍ଷାନୁଷ୍ଠାନ ନା ରଙ୍ଗଶାଳା ବୋଲି ପ୍ରଶ୍ନ କରିବା ସହ ପାର୍ଟି କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କୁଳସଚିବ କହିଛନ୍ତି ଯେ ଅଭିଯୋଗର ତଦନ୍ତ ଚାଲିଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ହଷ୍ଟେଲ ଜଗିଛି ପୁଲିସ

ସମସ୍ତ ହଷ୍ଟେଲରେ ବେଆଇନ ଭାବେ ରହୁଥିବା ଅଣଛାତ୍ରଙ୍କୁ କଢ଼ାଯିବା ପରେ ପୁଲିସ ପ୍ରହରା ବଢ଼ାଇ ଦିଆଯାଇଛି। ୨ ଓ ୩ ନମ୍ବର ଛାତ୍ରାବାସରେ ପୁଲିସ ତମ୍ବୂ ଟାଣି ଜଗି ରହିଛି। ୩ ନମ୍ବର ହଷ୍ଟେଲକୁ ସମ୍ପୂର୍ଣ୍ଣ ଖାଲି କରି ଦିଆଯାଇଛି। ପୁଲିସ ଉପସ୍ଥିତିରେ କିଛି ପିଲା ଆଜି ନିଜ ନିଜ ଜିନିଷ ନେଇଛନ୍ତି। ୩ନମ୍ବର ‌ହଷ୍ଟେଲର ଛାତ୍ରମାନଙ୍କୁ ୧ ଓ ୨ ନମ୍ବର ହଷ୍ଟେଲକୁ ସ୍ଥାନାନ୍ତର କରାଯାଇଛି।