ଦୁବାଇରୁ ଫେରି ହାଇଦ୍ରାବାଦରେ ଫସିଥିଲେ, ଓଡ଼ିଶା ଫେରାଇ ଆଣିଲେ ସବ୍ୟସାଚୀ

ଭୁବନେଶ୍ବର: ଚାରି ମାସ ହେଲା ମାଲିକ ଦରମା ବନ୍ଦ କରିଦେଇଥିଲେ। ଦୁବାଇରୁ ଫେରିବା ପାଇଁ ଆବଶ୍ୟକ ପାସପୋର୍ଟ ବି ସେମାନଙ୍କଠୁ ଛଡ଼ାଇ ନେଇଥିଲେ। ସଞ୍ଚିତ ଅର୍ଥ ସରିଯିବା ପରେ ଓଡ଼ିଶା ଫେରିବାକୁ ୧୬ଜଣ ଶ୍ରମଜୀବୀ ଅଭିନେତା ସବ୍ୟସାଚୀଙ୍କୁ ଟ୍ବିଟର୍‌ ଯୋଗେ ଅନୁରୋଧ କରିଥିଲେ। ସବ୍ୟସାଚୀ ତୁରନ୍ତ ଏ ବାବଦରେ ପଦକ୍ଷେପ ନେଇ କିଛି ବ୍ୟକ୍ତିଙ୍କ ସହଯୋଗରେ ସେମାନଙ୍କୁ ଓଡ଼ିଶା ଫେରିବା ପାଇଁ ବାଟ କରିଥିଲେ। ମାତ୍ର ସେମାନେ ଫେରିବା ପରିବର୍ତେ ହାଇଦ୍ରାବାଦରେ ଫସିଗଲେ।

ଭାୟା ହାଇଦ୍ରାବାଦ ହୋଇ ଫେରୁଥିବା ବେଳେ ତେଲେଙ୍ଗାନା ସରକାର ତାଙ୍କୁ ଅଟକାଇ ୭ ଦିନ କ୍ବାରାଣ୍ଟିନ୍‌ରେ ରହିବାକୁ ଏକ ୨ ତାରକ‌ା ହୋଟେଲ୍‌କୁ ପଠାଇଦେଲେ। ୭ ଦିନର ରହଣି ପାଇଁ ୧୬ ଜଣଙ୍କଠାରୁ ୮ ହଜାର ଟଙ୍କା ହିସାବରେ ୧ଲକ୍ଷ ୨୮ହଜାର ଟଙ୍କା ଦାବି କରାଗଲା। ଶ୍ରମଜୀବୀମାନେ ଅସହାୟତା ପ୍ରକାଶ କରିଥିଲେ ହେଁ ହୋଟେଲ୍‌ କର୍ତୃପକ୍ଷ ବାଧ୍ୟ କରିଥିଲେ। ଟଙ୍କା ଦେଇନପାରିବାରୁ ହୋଟେଲ୍‌ କର୍ତୃପକ୍ଷ ସେମାନଙ୍କ ଖାଦ୍ୟପେୟ ବନ୍ଦ କରିଦେଲେ। ଶୀଘ୍ର ହୋଟେଲ୍‌ ଛାଡ଼ି ଯିବା ପାଇଁ ତାଗିଦ୍‌ କଲେ। ଏନେଇ ପୁନଃ ସବ୍ୟସାଚୀଙ୍କୁ ଯୋଗାଯୋଗ କରିବାରୁ ସେ ହାଇଦ୍ରାବାଦରେ ରହୁଥିବା ଅଶ୍ବିନୀ ମହାପାତ୍ର, ମାହି, ଦୀପକ ମହାପାତ୍ର, ସସ୍ମିତା ମିଶ୍ର, ମନୋଜ କୁମାର ମିଶ୍ର, ଶ୍ରୀନିବାସ ଆନ୍ନା ଓ ଓଡ଼ିଶାର ଆଇଟି ପ୍ରଫେସନାଲଙ୍କ ସହଯୋଗରେ ସେମାନଙ୍କୁ ଖାଦ୍ୟ ଯୋଗାଇ କ୍ଷୁଧା ଦୂର କରିବା ସହ ଓଡ଼ିଶା ଫେରିବା ବନ୍ଦୋବସ୍ତ କରିଥିଲେ।

ସବ୍ୟସାଚୀ କହିଛନ୍ତି, ଆଜି ୧୬ଜଣ ଶ୍ରମଜୀବୀ ହାଇଦ୍ରାବାଦରୁ ମୁକ୍ତି ପାଇଥିବା ବେଳେ ସବ୍ୟସାଚୀଙ୍କ ଫିଲ୍ମ ‘ଲକିର ଲକ୍‌ଡାଉନ ଲଭ ଷ୍ଟୋରି’ ମୁକ୍ତିଲାଭ କରିଛି। ଗୋଟେ ପଟେ ୧୬ଜଣ ଫେରିବା ବେଳେ ଅଭିଭୂତ ‌ହୋଇଯାଇଥିବା ବେଳେ ଅନ୍ୟ ପଟେ‌ ମୋ ଅଭିନୀତ ଫିଲ୍ମର ମୁକ୍ତିଲାଭ ଖୁସିକୁ ଦ୍ବିଗଣିତ କରିଛି।

ସମ୍ବନ୍ଧିତ ଖବର