ଭୁବନେଶ୍ବର: ସ୍ବାମୀଙ୍କ ମୃତ୍ୟୁ ପରେ ସମ୍ପତ୍ତି ଅକ୍ତିଆର କରିବା ପାଇଁ ୨ ପତ୍ନୀଙ୍କ ମଧ୍ୟରେ ଚାଲିଛି ଟଣାଓଟରା। କେହି କାହାରିକୁ ଛାଡ଼ିବାକୁ ନାରାଜ୍। ସ୍ଥିତି ଏମିତି ଯେ ଜଣେ ଜଣକୁ ଘରେ ମଧ୍ୟ ପୂରାଇ ଦେଉନାହାନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଲ୍ଲୀ ଥାନା ଅଧୀନସ୍ଥ ପ୍ରିୟଦର୍ଶିନୀ ମାର୍କେଟ୍ କମ୍ପ୍ଲେକ୍ସ ନିକଟରେ।

Advertisment

ଖବର ଅନୁଯାୟୀ, ଗତ ୯ବର୍ଷ ତଳେ ଡା. କେ.ସି ମହାନ୍ତିଙ୍କ ଦେହାନ୍ତ ହୋଇଥିଲା। ତାଙ୍କର ସିଆର୍‌ପିସ୍ଥିତ ପାଇକନଗର ମୌଜାର ୯୨ନଂ ପ୍ଲଟରେ ଏକ ଘର ରହିଥିଲା। ଡା. ମହାନ୍ତିଙ୍କ ଦେହାନ୍ତ ପରେ ତାଙ୍କର ପ୍ରଥମ ପତ୍ନୀ ଅନସୂୟା ମହାନ୍ତି ଉକ୍ତ ଘରକୁ ଅକ୍ତିଆର କରିବାକୁ ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ। ପରେ ଫ୍ୟାମିଲି କୋର୍ଟରେ କେସ୍ କରିବା ପରେ ଗତ ବର୍ଷ ଅକ୍ଟୋବର ୨୯ରେ ଡା. ମହାନ୍ତିଙ୍କ ପତ୍ନୀ ଭାବେ ଅନସୂୟାଙ୍କୁ ଘୋଷଣା କରାଯାଇଥିଲା। ଏଣୁ ଡା. ମହାନ୍ତିଙ୍କ ସମସ୍ତ ସମ୍ପତ୍ତି ତାଙ୍କର ବୋଲି ନିର୍ଦ୍ଦେଶ ହୋଇଥିଲା।

ମାତ୍ର ଡା. ମହାନ୍ତିଙ୍କ ଦ୍ବିତୀୟ ପତ୍ନୀ ସନ୍ଧ୍ୟାରାଣୀ ସାହୁ ଏନେଇ ହାଇକୋର୍ଟରେ ଅଭିଯୋଗ କରିବା ପରେ ଉଚ୍ଚ ନ୍ୟାୟାଳୟ ସ୍ଥିତାବସ୍ଥା ଜାରି କରିଥିଲେ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଦ୍ବିତୀୟ ପତ୍ନୀ ସନ୍ଧ୍ୟାରାଣୀ ପୂର୍ବରୁ ଘର ଅକ୍ତିଆର କରିଥିବାରୁ ଘରେ ରହିଥିଲେ। ମାତ୍ର ପ୍ରଥମ ପତ୍ନୀ ଅନସୂୟା ଘରେ ପଶିବା ଯୋଗୁଁ ସେ ଗେଟ୍ ତାଲା ପକାଇ ରଖିଥିଲେ। ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରିବା ସହିତ ଅନସୂୟାଙ୍କୁ ଘରକୁ ଯିବା ଆସିବା କରିବା ପାଇଁ ଆବଶ୍ୟକ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛି।