ଦୁଇବର୍ଷ ପରେ ବସିଲା ବାଲିପାଟଣା ପଞ୍ଚାୟତ ସମିତି ବୈଠକ

ବାଲିପାଟଣା: ଦୀର୍ଘ ଦୁଇବର୍ଷ ପରେ ବାଲିପାଟଣା ପଞ୍ଚାୟତ ସମିତି ବୈଠକ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ମନୀଷା ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ବିଧାୟକ ଶ୍ରୀ ଢାଲି ବ୍ଲକରେ ପଡ଼ି ରହିଥିବା ୧୧ କୋଟି ଟଙ୍କାର ପ୍ରକଳ୍ପକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନି‌ର୍ଦେଶ ଦେଇଥିଲେ। କାମ ସରିବାର ୭ ଦିନ ଭିତରେ ଠିକାଦାର ମାନଙ୍କୁ ବିଲ୍‌ ଦେବାପାଇଁ କହିଥିଲେ। ସମସ୍ତ ଜନପ୍ରତିନିଧି ଏକ ହୋଇ କାର୍ଯ୍ୟ କଲେ ବାଲିପାଟଣା ବ୍ଲକ ଖୋର୍ଦ୍ଧା ଜିଲ୍ଲାରେ ୧ ନମ୍ବର ହେବ ବୋଲି ମତ ରଖିଥିଲେ। ଏହାଛଡ଼ା ବୈଠକରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଦିଆଯାଉଥିବା ଛତୁଆ, ଧାନହରା ଅଙ୍ଗନବାଡ଼ି ଘର ନିମ୍ନମାନର କାମ, ଫନି ସହାୟତା ନ ମିଳିବା ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକକୁ ବ୍ଲକ ଉନ୍ନୟନ ଅଧିକାରୀ ମିତାଞ୍ଜଳୀ ଦାଶ ପରିଚାଳନା କରିଥିଲେ। ଜିପିଓ ରଂଜନ ସ୍ବାଇଁ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଡିପିଓ ଆରତୀ ରଥ, ବିଇଓ ମହେଶ୍ବର ସାହୁ, ଗୁଆପୁର ସମିତ ସଭ୍ୟ ଗଙ୍ଗାଧର ମଲ୍ଲିକ, ମଝିହରା ସମିତି ସଭ୍ୟ ଦୀପ୍ତିମାନ ପୃଷ୍ଟି, ମଝିହରା ସରପଞ୍ଚ ନାରାୟଣ ସାହୁ, ରାଜସ ସରପଞ୍ଚ ବାସୁଦେବ ପାଳ, ଗାରେଡିପାଞ୍ଚଣ ସରପଞ୍ଚ ସୌମ୍ୟରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର