ଭୁବନେଶ୍ବର: ରାଜଧାନୀର ପ୍ରମୁଖ ଟ୍ରାଫିକ୍ ଛକମାନଙ୍କ ମଧ୍ୟରେ ଏଜି ଛକ ଅନ୍ୟତମ। ରାଜଧାନୀର କେନ୍ଦ୍ରରେ ଅବସ୍ଥିତ ଏହି ଛକ ଦେଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତ ଭିଆଇପିମାନଙ୍କ ଚଳପ୍ରଚଳ ହୁଏ। ତେଣୁ ଦିନେ ଏହି ଛକର ସୌନ୍ଦର୍ଯ୍ୟ ରାଜଧାନୀବାସୀଙ୍କ ପାଇଁ ଦେଖିଲା ଭଳି ଥିଲା। ମାତ୍ର ଏବେ ଏହି ଛକ ଶ୍ରୀହୀନ ହୋଇପଡ଼ିଛି। ୱାଟର ଫାଉଣ୍ଟେନ ଭାଙ୍ଗିଯାଇଥିବା ବେଳେ ସୋ’ ଗଛଗୁଡ଼ିକ ଝାଉଁଳି ଗଲାଣି। ବଡ଼ କଥା ହେଉଛି ଏହି ଛକରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିଗୁଡ଼ିକ ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି।
ସୂଚନାଯୋଗ୍ୟ, ଏଜି ଛକର ଟ୍ରାଫିକ୍ ଫୋଷ୍ଟ ଅଞ୍ଚଳକୁ ସୁନ୍ଦର କରିବା ପାଇଁ ଏଠାରେ ସୁନ୍ଦର ସୁନ୍ଦର ଗଛ ଲଗା ଯାଇଥିଲା ଓ ଲାଇଟ୍ ଫାଉଣ୍ଟେନ୍ କରାଯାଇଥିଲା। ଫଳରେ ଏହି ଛକର ସୌନ୍ଦର୍ଯ୍ୟ ଲୋକଙ୍କୁ ବିମୋହିତ କରୁଥିଲା। ରାତିରେ ରଙ୍ଗିନ୍ ଆଲୋକରେ ଏସବୁ ବେଶ୍ ଆକର୍ଷଣୀୟ ଦେଖାଯାଉଥିଲା। ଟ୍ରାଫିକ୍ ପୋଷ୍ଟରେ ଅଟକିବା ସମୟରେ ଗାଡ଼ିଚାଳକଟିଏ ବିରକ୍ତ ନ ହେବା ପାଇଁ ଏହି ବ୍ୟବସ୍ଥା ଥିଲା। ପୁଣି ରାଜଧାନୀର ମୁଖ୍ୟ ଛକ ହୋଇଥିବାରୁ ଏହା ରାଜଧାନୀର ସୌନ୍ଦର୍ଯ୍ୟ ବୋଲି କୁହାଯାଉଥିଲା। ଲୋକେ ସୋ’ ଗଛ ଓ ୱାଟର ଫାଉଣ୍ଟେନ୍କୁ ଦେଖି ଉପଭୋଗ କରୁଥିଲେ। ମାତ୍ର ଉପଯୁକ୍ତ ରକ୍ଷାଣବେକ୍ଷଣ ଅଭାବରୁ ଏବେ ସେସବୁ ଭାଙ୍ଗିରୁଜି ଯାଇଛି।
ସୋ’ ଗଛଗୁଡ଼ିକ ମଉଳି ପଡ଼ିଥିବାରୁ ତାହା ଆଉ ଆକର୍ଷଣୀୟ ହୋଇ ରହିନାହିଁ। ୱାଟର ଫାଉଣ୍ଟେନ୍ ଅଚଳ ହୋଇପଡ଼ିଛି। ସେହିଭଳି ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତି ସହ ବିଭିନ୍ନ କଳାକୃତି ମଧ୍ୟ ରଖାଯାଇଥିଲା। ସେସବୁ ବି ଥିଲା ସୌନ୍ଦର୍ଯ୍ୟର ଭଣ୍ଡାର। ମହାପୁରୁଷଙ୍କ ପ୍ରତିମୂର୍ତ୍ତି ନିକଟ ବହୁ ପାର୍ଶ୍ବ ମୂର୍ତ୍ତିରେ ଶିଉଳି ଲାଗିଯାଇଛି। ଅନେକ ମୂର୍ତ୍ତି ମଧ୍ୟ ଭାଙ୍ଗି ତଳେ ଗଡ଼ିଲାଣି। ଏ ବାବଦରେ ବିଡିଏ ଅଧିକାରୀ ଏ.କେ ଧୀରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏଜି ଛକର ପୁନଃ ସୌନ୍ଦର୍ଯ୍ୟୀକରଣ କରିବା ପାଇଁ ଯୋଜନା ରହିଛି। ତେଣୁ ଏହାକୁ ଆଉ ମରାମତି କରାଯାଉନାହିଁ। ଖୁବ୍ ଶୀଘ୍ର ଏହି ଛକକୁ ପୁଣି ଅଧିକ ସୁନ୍ଦର କରାଯିବ।