ରାଜଧାନୀରେ କରୋନାରେ ପୁଣି ଜଣେ ମୃତ! ଦିନକରେ ୨୬୭ ଚିହ୍ନଟ, ଆକ୍ରାନ୍ତ ସାଢ଼େ ୭ ହଜାର ଟପିଲେ

ଭୁବନେଶ୍ବର: ରାଜଧାନୀରେ ଲଗାତାର କିଛିଦିନ ୩ଶହରୁ ଅଧିକ କିମ୍ବା ୩ଶହ ନିକଟତର ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ମାତ୍ର ଗତ ୨୪ଘଣ୍ଟାରେ ଏହି ସଂଖ୍ୟା ଖସି ଆସିଛି। ଦିନକରେ ରାଜଧାନୀରୁ ୨୬୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୪୩ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ୨୬୭ ଆକ୍ରାନ୍ତଙ୍କ ମଧ୍ୟରେ ୧୭୪ ସଙ୍ଗରୋଧରୁ ଓ ୧୧୪ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସଙ୍ଗ‌ରୋଧରୁ ରାଜଧାନୀର ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରୁ ୧୦ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାସହ ୪ ଘରୋଇ ହସ୍ପିଟାଲରୁ ୮ଜଣ ଓ ସରକାରୀ ଡାକ୍ତରଖାନାରୁ ଜଣେ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ସେହିପରି ସୁବାସ ନଗର ବସ୍ତି, କେଦାରପଲ୍ଲୀ ବସ୍ତି, ରିକ୍ସା କଲୋନି, ବେହେରା ସାହି, ୟୁନିଟ୍‌-୬ କାଳୀମନ୍ଦିର ବସ୍ତି ଭଳି ଅଞ୍ଚଳରୁ ରୋଗୀ ରହିଛନ୍ତି। ଏହାବାଦ୍ ରାଜଧାନୀର ଅଣ ବସ୍ତି ଅଞ୍ଚଳରୁ ବହୁ ସଂଖ୍ୟାରେ ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି।

ଅପରପକ୍ଷରେ ୧୧୪ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଝାରପଡ଼ାରୁ ସର୍ବାଧିକ ୮ଜଣ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ସିଆରପିଏଫ୍‌ କ୍ୟାମ୍ପସରୁ ୫ଜଣ, ଖଣ୍ଡଗିରି ବାରବଜାର ବସ୍ତି, ମା’ ମଙ୍ଗଳା ବସ୍ତି, ବାଲିତୋଟା ସାହି, ୟୁନିଟ୍‌-୮ ବସ୍ତି, ରିକ୍ସା କଲୋନି, ଶାନ୍ତିପଲ୍ଲୀ ଭଳି ଅଞ୍ଚଳରୁ ଏକାଧିକ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୯୯ରେ ପହଞ୍ଚିଛି। ଏଥିରୁ ୪୫୬୩ ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ୨୯୯୪ ରୋଗୀ ଏବେ ବି ଚିକିତ୍ସିତ ହେଉଛନ୍ତି। ରାଜଧାନୀରେ ଏ ପର୍ଯ୍ୟନ୍ତ ୩୩ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି।

ଭୁବନେଶ୍ବର: ରାଜଧାନୀରେ ଆଉ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହେବା ପୂର୍ବରୁ ମୃତ୍ୟୁ ହୋଇଥିଲା। ତାଙ୍କର କୋଭିଡ୍‌ ପରୀକ୍ଷା ପରେ ପଜିଟିଭ୍ ଥିବା ସୂଚନା ମିଳିଛି। ମୃତକ ଜଣକ ନୂଆପଲ୍ଲୀ ଅଞ୍ଚଳର। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମୃତ୍ୟୁ ସଂପର୍କରେ ଘୋଷଣା କରାଯାଇ ନାହିଁ। ସରକାରୀ ଭାବେ ଘୋଷଣା ହେବା ପରେ ତାହା କରୋନା ଜନିତ ମୃତ୍ୟୁ କିମ୍ବା ଅଣ କରୋନା ମୃତ୍ୟୁ ତାହା ସ୍ପଷ୍ଟ ହୋଇପାରିବ। ତେବେ ଗତ କିଛିଦିନ ହେବ କ୍ୟାପିଟାଲ ହସ୍ପିଟାଲକୁ ଏଭଳି ଅନେକ ମୃତ ବ୍ୟକ୍ତି ଆସୁଥିବା ବେଳେ ନମୁନା ପରୀକ୍ଷା ପରେ ସେମାନେ କରୋନା ସଂକ୍ରମିତ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର