ବିମାନବନ୍ଦରରୁ ପୁଣି ୧୦ ଲକ୍ଷ ଟଙ୍କାର ସୁନା ଜବତ

ଭୁବନେଶ୍ୱର: ମାତ୍ର ୩ ଦିନ ପରେ ପୁଣିଥରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ବିପୁଳ ପରିମାଣର ସୁନା ଜବତ ହୋଇଛି। ବ୍ୟାଙ୍କକ୍‌ରୁ କୋଲକାତା ଆସୁଥିବା ଜଣେ ଯାତ୍ରୀ ପାଖାପାଖି ୨୮୪ ଗ୍ରାମ୍‌ ସୁନା ଚାଲାଣ କରୁଥିବା ବେଳେ ସୀମାଶୁଳ୍କ ବିଭାଗ ହାତରେ ଧରା ପଡ଼ିଥିଲେ। ଜବତ ସୁନାର ମୂଲ୍ୟ ୧୦ ଲକ୍ଷରୁ ଊର୍ଧ୍ୱ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସୂଚନା ମୁତାବକ, ଯାତ୍ରୀଜଣଙ୍କ ବିଳମ୍ବିତ ରାତିରେ ବ୍ୟାଙ୍କକ୍‌ରୁ ଏୟାର ଏସିଆ ବିମାନ (ଏଫ୍‌ଡି-୧୧୨) ଯୋଗେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ଏଠାରୁ ସେ କୋଲକାତା ଯାଇଥା’ନ୍ତେ। ତେବେ ପୂର୍ବ ସୂଚନା ପାଇ ବିମାନବନ୍ଦରରେ ପ୍ରସ୍ତୁତ ହୋଇ ରହିଥିବା ସୀମାଶୁଳ୍କ ବିଭାଗ ଅଧିକାରୀମାନେ ତାଙ୍କୁ ଅଟକାଇ ବ୍ୟାଗ୍‌ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସାର୍ଟ ବଟମ୍‌ରେ ସୁନାଗୁଡ଼ିକୁ ରିଙ୍ଗ ଆକାରରେ ଲଗାଯାଇଥିଲା। ଆଉ ରିଙ୍ଗକୁ ଏଭଳି ରୁପାର ଆବରଣ ଦିଆଯାଇଥିଲା ଯେ ସହଜରେ କେହି ସୁନା ବୋଲି ଜାଣିପାରିବେ ନାହିଁ। ବିଭାଗୀୟ କର୍ମଚାରୀମାନେ ସମସ୍ତ ସୁନା ଜବତ କରିବା ସହ ତାକୁ ଅଟକ ରଖି ପଚରାଉଚରା କରୁଛନ୍ତି। ପ୍ରକାଶ ଥାଉ କି, ୩ଦିନ ତଳେ ମହରାଷ୍ଟ୍ରର ଜଣେ ମହିଳାଙ୍କଠାରୁ ୮ଖଣ୍ଡ ସୁନା ବିସ୍କୁଟ ଜବତ କରାଯାଇଥିଲା। ଏହାର ଓଜନ ୯୫୯ ଗ୍ରାମ ଏବଂ ବଜାର ମୂଲ୍ୟ ୩୩ଲକ୍ଷ ଟଙ୍କା ହେବ। ଏହାଛଡ଼ା ସେ ୧୨୨ ପ୍ୟାକେଟ୍‌ ସିଗାରେଟ୍‌ ମଧ୍ୟ ସାଥିରେ ଆଣିଥିଲେ। ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ବିମାନ ଚଳାଚଳ କରିବା ପରେ ଗତ କିଛି ମାସ ହେବ ସୁନା ତସ୍କରି ମାମଲା ବୃଦ୍ଧି ପାଇବାରେ ଲାଗିଛି। ଭାରତୀୟ ବଜାର ତୁଳନାରେ ବ୍ୟାଙ୍କକ୍‌ରେ ସୁନା ଦର କମ୍‌ ଥିବାରୁ କିଛି ଯାତ୍ରୀ ଫେରିବା ସମୟରେ ସେଠାରୁ ସୁନା ଆଣିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି।

ସମ୍ବନ୍ଧିତ ଖବର