ବାଲିଅନ୍ତା : ପୁଣି ୪ ଆକ୍ରାନ୍ତଙ୍କ ମୃତ୍ୟୁ, ଦିନକ ପରେ ପହଞ୍ଚୁଛି ସ୍ୱର୍ଗରଥ

ବାଲିଅନ୍ତା : ବାଳକାଟି ଫାଣ୍ଡି ଅଧୀନରେ ଥିବା କୋଭିଡ୍‌ ହସ୍ପିଟାଲରେ ମୃତକଙ୍କ ସତ୍କାର ନେଇ ବିଏମ୍‌ସି ଚରମ ଅବହେଳା କରୁଥିବା ଅଭିଯୋଗ ହେଉଛି। ଏନେଇ ଡାକ୍ତରଖାନା ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ଜଣାପଡ଼ିଛି। ଆକ୍ରାନ୍ତ ବ୍ୟକ୍ତିଙ୍କୁ ମୃତ୍ୟୁ ହେବାର ଦିନକ ପରେ ଶବ ସତ୍କାର ପାଇଁ ବିଏମସି ନେଉଥିବା ଜଣାପଡ଼ିଛି। ମୃତ୍ୟୁର ଦିନକ କରେ ପରିବାର ଲୋକଙ୍କୁ ସୂଚନା ପ୍ରଦାନ କରାଯାଉଛି। ଦିନେ ଦୁଇଦିନ ଶବ ଡାକ୍ତରଖାନାରେ ପଡ଼ି ରହିବା ପରେ ସ୍ବର୍ଗରଥ ଡାକ୍ତରଖାନାରେ ପହଞ୍ଚି ମୃତଦେହ ସତ୍କାର ପାଇଁ ନେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି।

ଗତକାଲି ଓ ଆଜି ଦୁଇ ଦିନ ମଧ୍ୟରେ ଉକ୍ତ ହସ୍ପିଟାଲରେ ଜଣେ ମହିଳାଙ୍କ ସମେତ ମୋଟ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଗତକାଲି ୬୦ ବର୍ଷ ମଧ୍ୟରେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକଦ୍ବୟଙ୍କ ପରିଚୟ ମିଳିପାରି ନାହିଁ। ସେମାନଙ୍କ ମୃତଦେହ ସତ୍କାର ପାଇଁ ଆଜି ଅପରାହ୍‌ଣରେ ସ୍ବର୍ଗରଥ ପହଞ୍ଚିଥିଲା। ସେହିପରି ଆଜି ଅପରାହ୍‌ଣରେ ୪୩ ବର୍ଷୀୟା ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ୬୦ ବର୍ଷ ବୟସ୍କ ପୁରୁଷଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମହିଳାଙ୍କ ଘର ନିଆଳି ଥାନା ଅଞ୍ଚଳରେ ହୋଇଥିବା ବେଳେ ପୁରୁଷ ମୃତକଙ୍କ ଘର କଣାସ ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଆସନ୍ତାକାଲି ସ୍ବର୍ଗରଥ ପହଞ୍ଚିବା ପରେ ଶବ ସତ୍କାର ପାଇଁ ସତ୍ୟନଗର ଶ୍ମଶାନକୁ ପଠାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଫଳରେ ମୃତକଙ୍କ ଆତ୍ମୀୟମାନେ ଦୀର୍ଘ ସମୟ ଧରି ହସ୍ପିଟାଲରେ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି।

ସମ୍ବନ୍ଧିତ ଖବର