ଆଉ ଜଣେ ନିର୍ଦେଶକ ଗିରଫ: ଟ୍ରେଷ୍ଟି ସିକ୍ୟୁରିଟି ଲିମିଟେଡ୍‌ ଠକେଇ ମାମଲା

ଭୁବନେଶ୍ୱର: ଟ୍ରେଷ୍ଟି ସିକ୍ୟୁରିଟି ଲିମିଟେଡ୍‌ ଚିଟ୍‌ଫଣ୍ଡ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଆଜି ଅନ୍ୟ ଜଣେ ନିର୍ଦେଶକଙ୍କୁ ଗିରଫ କରିଛି। ସେ ହେଲେ ଶଶିଭୂଷଣ ଦାସ। ଘର କେନ୍ଦୁଝର ଜିଲ୍ଲା ନନ୍ଦିପଡ଼ା ଥାନା ଅଧୀନ ଗେଡ଼େମାରେ। ଆଜି ତାଙ୍କୁ କଟକଠାରେ ଥିବା ସ୍ୱତନ୍ତ୍ର ଚିଟ୍‌ଫଣ୍ଡ୍‌ କୋର୍ଟକୁ ଚାଲାଣ କରାଯାଇଛି। କୋର୍ଟରେ ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି।
କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଟ୍ରେଷ୍ଟି ସିକ୍ୟୁରିଟି ଲିମିଟେଡ୍‌ ଚିଟ୍‌ଫଣ୍ଡ ସଂସ୍ଥା ଭଦ୍ରକଠାରେ ନିଜର ଏକ ଶାଖା କାର୍ଯ୍ୟାଳୟ ଖୋଲିଥିଲା। ସଂସ୍ଥା କମ୍‌ ଦିନରେ ଅଧିକ ସୁଧ ଦେବାର ଲୋଭ ଦେଖାଇ ଜମାକାରୀଙ୍କଠାରୁ ପାଖାପାଖି ୧୦ କୋଟି ଟଙ୍କାର ଠକେଇ କରିଥିଲା। ଏ ନେଇ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧୀନ ଏରାମ ଅଞ୍ଚଳର ପ୍ରଶାନ୍ତ କୁମାର ମାଝି ନାମକ ଜଣେ ବ୍ୟକ୍ତି ବାସୁଦେବପୁର ଥାନାରେ ଅଭିଯୋଗ କରିଥିଲେ। ପରେ ୨୦୧୫ ମସିହାରେ ମାମଲାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ ନେଇଥିଲା। କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରି ପ୍ରଥମେ ସଂସ୍ଥାର ପରିଚାଳନା ନିର୍ଦେଶକ ଦୟାନିଧି ମହାପାତ୍ର ଓ ପରେ ନିର୍ଦେଶକ ହରି ଅଜୁର୍ନ ପଣ୍ଡା ଓ ରଶ୍ମି ରଂଜନ ମହାପାତ୍ରଙ୍କୁ ଗିରଫ କରିଥିଲା। ସେହି ଦିନଠାରୁ ଶଶିଭୂଷଣ ଫେରାର ଥିଲେ। ଗତକାଲି କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ କେନ୍ଦୁଝର ଘରୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର